ନୂଆଦିଲ୍ଲୀ: ଦେଶରେ ମୌସୁମୀର ବେଗ ଧିମେଇଥିଲେ ମଧ୍ୟ ପାଣିପାଗ ବିତ୍ପାତ ରଚିଛି। ଗତ ୨୪ ଘଣ୍ଟାରେ ମଧ୍ୟପ୍ରଦେଶ, ବିହାର ଓ ଝାଡ଼ଖଣ୍ଡରେ ବଜ୍ରପାତ ଯୋଗୁ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ଅନୁସାରେ ମୌସୁମୀ ଜୁନ ୨୩ରେ ତେଲେଙ୍ଗାନାରୁ ଆଗକୁ ବଢି ଛତିଶଗଡ଼ ପହଞ୍ଚିବାର ସମ୍ଭାବନା ରହିଛି। ତେବେ ମୌସୁମୀ ଏ ପର୍ଯ୍ୟନ୍ତ ଦେଶର ୧୯ ରାଜ୍ୟକୁ ଛୁଇଁ ସାରିଲାଣି, ହେଲେ ଜୁନ ୮ ତାରିଖରୁ ତେଲେଙ୍ଗାନାରେ ଫଶି ରହିଛି।

ଇତି ମଧ୍ୟରେ ଯଦିଓ ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ପ୍ରାକ୍ ମୌସୁମୀ ବର୍ଷା ହୋଇଛି, ତଥାପି ଦିନର ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ଉପରେ ରହୁଛି। ଆଇଏମଡିଙ୍କ ଅନୁସାରେ ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା, ଝାଡ଼ଖଣ୍ଡ, ବିହାର ଓ ଛତିଶଗଡ଼ ରାଜ୍ୟର କିଛି ଅଞ୍ଚଳରେ ମୌସୁମୀ ଲାଗି ଜରୁରୀ ପ୍ରଣାଳୀ ସକ୍ରିୟ ହୋଇଗଲାଣି। ଆଗାମୀ ୪-୫ଦିନରେ ମହାରାଷ୍ଟ୍ର କର୍ଣ୍ଣାଟକ, ଛତିଶଗଡ ଓ ଅନ୍ୟ ଅଞ୍ଚଳକୁ ମୌସୁମୀ ଆଗକୁ ବଢିପାରେ।

ପାଣିପାଗ ବିଭାଗଙ୍କ ଅନୁସାରେ ଗୋଟିଏ ପଟେ ବର୍ଷା ଯୋଗୁ ଯଦିଓ କିଛି ରାଜ୍ୟଙ୍କୁ ଗରମରୁ ଆଶ୍ୱସ୍ତି ମିଳିଛି ତଥାପି କିଛି ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ରହିଛି।ଗତ ବୁଧବାର ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ରାଜସ୍ଥାନ, ଗୁଜରାଟ,ମହାରାଷ୍ଟ୍ର ଓ ତେଲେଙ୍ଗାନର ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରି ସେଲସିୟରୁ ଅଧିକ ଥିଲା। ଦେଶର ସର୍ବାଧିକ ତାପମାତ୍ରା ଉତ୍ତରପ୍ରଦେଶର ବାନ୍ଦାରେ ରେକର୍ଡ ହୋଇଛି। ଏଠାରେ ସର୍ବାଧିକ ତାପମାତ୍ରା ୪୪.୨ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି।

ମହାରାଷ୍ଟ୍ର, ତେଲେଙ୍ଗାନା, ଓଡିଶା, ଝାଡ଼ଖଣ୍ଡ ଓ ବିହାରର କିଛି ଅଞ୍ଚଳ ଏବଂ ଛତିଶଗଡ଼ କିଛି ଭାଗକୁ ଜୁନ ୨୩ ପାଖାପାଖି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗକୁ ବଢିବାକୁ ପାଗ ଅନୁକୂଳ ରହିଛି। ୨୧ ଜୁନ ସୁଦ୍ଧା ଉପ-ହିମାଳୟ ପଶ୍ଚିମବଙ୍ଗ ଓ ସିକ୍କିମରେ ସ୍ଥାନେ ସ୍ଥାନେ ଭୀଷଣରୁ ଅତି ଭୀଷଣ ବର୍ଷାର ସମ୍ଭାନା ରହିଛି। ଏହା ଛଡା ଆସାମ, ମେଘାଳୟ ଓ ଅଋଣାଚଳ ପ୍ରଦେଶ, ତାମିଲନାଡୁ, ପୁଡୁଚେରୀ ଓ କର୍ଣ୍ଣାଟକ କିଛି ଅଞ୍ଚଳରେ ଭୀଷଣରୁ ଅତି ଭୀଷଣ ବର୍ଷାର ସମ୍ଭାବନା ରହିଛି। ସେହିପରି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହୋଇଛି।