ନୂଆଦିଲ୍ଲୀ: ଦେଶର ୧୯ ରାଜ୍ୟକୁ ପହଞ୍ଚିବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀର ବେଗ ଅଚାନକ ଥମିଯାଇଛି। ଗତ ୧୧ ଦିନ ହେଲା ଏହା ତେଲେଙ୍ଗାନାରେ ଅଟକି ରହିଛି। ଏଣୁ ଉତ୍ତର ଓ ମଧ୍ୟ ଭାରତର ପଖାପାଖି ୭ ରାଜ୍ୟ ବର୍ଷାକୁ ଅପେକ୍ଷା କରି ରହିଛନ୍ତି। ମୌସୁମୀ ଏପରି ଅଟକି ରହିବାର ପ୍ରଭାବ ଏବେ ଦେଶର ବାର୍ଷିକ ବୃଷ୍ଟିପାତ ଉପରେ ପଡିଛି। ୧ରୁ ୧୮ ଜୁନ ମଧ୍ୟରେ ପୁରା ଦେଶରେ ସ୍ୱଭାବିକରୁ ୩୮% କମ୍ ବର୍ଷା ରେକର୍ଡ ହୋଇଛି। ବର୍ଷାର ଏପରି ଅଭାବ ସବୁଠୁ ଅଧିକ ଗୁଜରାଟ ଓ ମହାରାଷ୍ଟ୍ରକୁ ପ୍ରଭାବିତ କରିଛି।

ପାଣିପାଗ ବିଭାଗ ଅନୁସାରେ ଗୋଟିଏ ସମୟରେ ୫ଟି ଅଲଗା ଅଲଗା ପାଣିପାଗ ପରିବର୍ତ୍ତନ ମୌସୁମୀର ରାସ୍ତା ରୋକି ଦେଇଛି। ମୌସୁମୀର ଏପରି ବିରତି ଲାଗି ସବୁଠୁ ବଡ଼ କାରଣ ଆରବ ସାଗରରୁ ଆସୁଥିବା ଆର୍ଦ୍ର ବାୟୁ ଦୁର୍ବଳ ହେବା। ଏହା ସାଧାରଣତଃ ଭାରତରେ ମୌସୁମୀ ବାଦଲକୁ ଆଗକୁ ଠେଲିଥାଏ। ଏହା ସହିତ ଆରବ ସାଗରର ଦକ୍ଷିଣ-ପଶ୍ଚିମ ବାୟୁ ମଧ୍ୟ ଧିମେଇ ଯାଇଛି। ଏଣୁ ମହାରାଷ୍ଟ୍ର ଓ ଲାଗି ରହିଥିବା ଅଞ୍ଚଳକୁ ଆର୍ଦ୍ର ବାୟୁ ପହଞ୍ଚି ପାରୁନି। ସେହିପରି ଭୂ-ମଧ୍ୟ ରେଖା ପାର କରି ଆସୁଥିବା ପବନରେ ଆର୍ଦ୍ରତା ରହୁ ନାହିଁ ଏହା ପାଖାପାଖି ଶୁଷ୍କ । ସେହିପରି ମୌସୁମୀକୁ ଆଗକୁ ବଢାଇବା ପାଇଁ ବଙ୍ଗୋପସାଗର ଓ ଆରବ ସାଗରରେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନି।

ଏହାଛଡା ଦକ୍ଷିଣ ଭାରତରୁ ବାଦଲକୁ ଉତ୍ତର ଦିଗକୁ ଭିଡୁଥିବା ମୌସୁମୀ ପ୍ରଣାଳୀ ମୈଡେନ-ଜୁଲିୟନ ଅସିଲେସନ (ଏମଜେଓ) ମଧ୍ୟ ଏବେ କମଜୋର ରହିଛି। ଏହି ସବୁ କାରଣ ମୌସୁମୀ ତେଲେଙ୍ଗାନାରେ ଅଟକି ଯାଇଛି। ମୌସୁମୀ ଅଟକି ରହିବା ଯୋଗୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ଓ ବିହାର ଆଦି ରାଜ୍ୟରେ ଏବେବି ଗ୍ରୀଷ୍ମ ଲାଗି ରହିଛି। ତେବେ ଏହି ସବୁ ରାଜ୍ୟମାନଙ୍କରେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିଲେ ବି ପରବର୍ତ୍ତି ଶୁଷ୍କ ଅବସ୍ଥା ଆସିଯାଇଛି। ଉତ୍ତରପ୍ରଦେଶର ବାନ୍ଦା, ମହାରାଷ୍ଟ୍ରର ବ୍ରହ୍ମପୁରୀ ଏବଂ ଓଡିଶାର ବୌଦ୍ଧ ଆଦି ଜିଲ୍ଲାରେ ତାପମାତ୍ରା ୪୨ରୁ ୪୩ ଡିଗ୍ରି ସେଲସିୟସ୍ ମଧ୍ୟରେ ରହୁଛି।

ଏଥି ମଧ୍ୟରେ ଆମେରିକୀୟ ପାଣିପାଗ ଏଜେନ୍ସୀ ଉପଗ୍ରହ ତଥ୍ୟ ଆଧାରରେ ଚିନ୍ତାଜନକ ସଂକେତ ଦେଇଛି। ଏଜେନ୍ସୀ ଅନୁସାରେ ଇଣ୍ଟର ଟ୍ରପିକାଲ କନଭର୍ଜେନ୍ସ ଜୋନ ନିଷ୍କ୍ରିୟ ରହିବା କାରଣରୁ ମୌସୁମୀ ପବନ ଆର୍ଦ୍ରତା ଭିଡି ପାରୁନି। ଏହା ଛଡା ଅଲନିନୋ ସ୍ଥିତି ମଧ୍ୟ ସକ୍ରିୟ ହେବାକୁ ଲାଗିଲାଣି। ଏଣୁ ଆଗାମୀ ସମୟରେ ଦେଶର କିଛି ଅଞ୍ଚଳକୁ ମରୁଡି ଅଥବା ଅସ୍ୱଭାବିକ ବର୍ଷାର ସମ୍ମୁଖୀନ ହେବାକୁ ପଡିପାରେ। ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ୨୦ ଓ ୨୧ ଜୁନରେ ପୂର୍ବୋତ୍ତର ଓ ପୂର୍ବ ଭାରତ ସିକ୍କିମ, ଆସାମ, ମେଘାଲୟ, ପଶ୍ଚିମବଙ୍ଗ ଓ ବିହାର ଭୀଷଣ ବର୍ଷା ଆଶଙ୍କା କରାଯାଉଛି।

ସେହିପରି ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ଝାଡ଼ଖଣ୍ଡରେ ଘଣ୍ଟା ପ୍ରତି ୪୦ରୁ ୬୦ କିମି ବେଗରେ ପବନ ବହିବା ସହ ଘଡ଼ଘଡ଼ି ବିଜୁଳି ସହ ହାଲୁକା ବର୍ଷା ହୋଇପାରେ। ଏହାଛଡା ଦକ୍ଷିଣ ଭାରତର କର୍ଣ୍ଣାଟକ, ତାମିଲନାଡୁ, ପୁଡୁଚେରୀ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ଲଗାଣ ବର୍ଷାର ଆଶା କରାଯାଉଛି। ଏଥିରେ ଏବେ ପ୍ରଶ୍ନ ଉଠୁଛି କେବେ ଆଗକୁ ଅଗ୍ରସର ହେବ ମୌସୁମୀ? ପାଣିପାଗ ବିଭାଗ ଅନୁସାରେ ଏବେ ବାୟୁମଣ୍ଡଳର ଉପର ପରସ୍ତ (୮-୧୫ କିମି ଉଚ୍ଚତା)ରେ ତୀବ୍ର ବେଗରେ ପବନ ବହିବା ଅର୍ଥାତ ଜେଟ୍ ଷ୍ଟ୍ରିମ ମୌସୁମୀକୁ ପ୍ରଭାବିତ କରୁଛି। ଏହି ଷ୍ଟ୍ରିମ ଦୁର୍ବଳ ହେଲେ ମୌସୁମୀକୁ ଆଗକୁ ବଢିବା ଲାଗି ସ୍ଥାନ ଓ ବଳ ଉଭୟ ମିଳିବ। ଆଶା କରାଯାଉଛି ଆଗାମୀ ୪-୫ ଦିନରେ ପରିସ୍ଥିତି ବଦଳି ଯିବ ଓ ମୌସୁମୀ ପୁଣି ଥରେ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସମେତ ଅନ୍ୟ ରାଜ୍ୟକୁ ଯାତ୍ରା ଆରମ୍ଭ କରିବ।