କୋଲମ୍ୱୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଡ୍ର’ ଆଡ଼କୁ ଯାଉଥିଲା । କିନ୍ତୁ ଖେଳର ତୃତୀୟ ଦିନ ଶେଷ ଓଭରରେ ଭାରତୀୟ ବୋଲର ମହମ୍ମଦ ସିରାଜ ଯେଉଁଭଳି ବ୍ୟାଟିଂ କଲେ ତାହା ଅଦ୍ଭୁତ ଥିଲା । ସିରାଜ ଚମତ୍କାର ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ । ସିରାଜ ମ୍ୟାଚର ଶେଷ ଓଭରରେ ମାତ୍ର ୬ଟି ବଲରେ ମ୍ୟାଚ୍‌ର ମୋଡ଼ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ ।

ଶେଷ ଓଭରର ୬ ବଲରେ କଲେ ୨୩ ରନ୍

ମ୍ୟାଚ୍‌ରେ ଭାରତକୁ ଜିତିବା ପାଇଁ ୨୦୭ ରନ୍‌ ଟାର୍ଗେଟ୍ ମିଳିଥିଲା । ଭାରତୀୟ ଟିମ୍ ଜିତିବା ନିକଟତର ହୋଇଯାଇଥିଲା, କିନ୍ତୁ ଶେଷ ଓଭରରେ ଜିତିବା ପାଇଁ ୧୫ ରନ୍ ଆବଶ୍ୟକତା ଥିଲା । ଅର୍ଥାତ୍ ୬ଟି ବଲରେ ଭାରତକୁ ୧୫ ରନ୍ କରିବାର ଥିଲା । ସିରାଜ ଶେଷ ଓଭରର ପ୍ରଥମ ତିନୋଟି ବଲରେ କ୍ରମାଗତ ଛକା ମାରି ହାଟ୍ରିକ ଛକା ମାରି ଭାରତକୁ ଜିତାଇ ଥିଲେ । କିନ୍ତୁ ଏହା ଏକ ଅଭ୍ୟାସ ମ୍ୟାଚ୍ ହୋଇଥିବାରୁ ଭାରତ ଶେଷ ଓଭର ପୂରା ଖେଳିବାକୁ ନିଷ୍ପତ୍ତି ନେଇଥିଲା ।

ଶେଷ ଓଭରର ପ୍ରଥମ ତିନୋଟି ବଲରେ କ୍ରମାଗତ ୩ଟି ଛକା ମାରିଥିଲେ ସିରାଜ । ଚତୁର୍ଥ ବଲରେ କୌଣସି ରନ୍ କରି ନଥିଲେ ଏବଂ ପଞ୍ଚମ ବଲରେ ପୁଣି ଚୌକା ମାରିଥିଲେ । ଏହାପରେ ଶେଷ ବଲରେ ସେ ଆଉ ଗୋଟିଏ ରନ୍ ନେଇଥିଲେ । ଏହି ଓଭରର ୬ଟି ବଲରେ ୩ଟି ଛକା ଓ ୧ଟି ଚୌକା ସହାୟତାରେ ମୋଟ ୨୩ ରନ୍ ସଂଗ୍ରହ କରିଥିଲେ । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ସିରାଜ ୧୫ଟି ବଲରେ ଅପରାଜିତ ୩୨ ରନର ପାରି ଖେଳି ଭାରତର ବିଜୟର ନାୟକ ହୋଇଥିଲେ । ସେ ନିଜ ପାଳି ମଧ୍ୟରେ ୪ଟି ଛକା ଓ ୧ଟି ଚୌକା ମାରିଥିଲେ ଏବଂ ତାଙ୍କର ଷ୍ଟ୍ରାଇକ୍ ରେଟ୍ ୨୧୩.୩୩ ଥିଲା ।

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୩୬୩ ରନ୍ କରି ଇନିଂସ ଘୋଷଣା କରିଥିଲା । ଏହାପରେ ଭାରତ ପ୍ରଥମ ଇନିଂସରେ ୬ ୱିକେଟରେ ୩୫୭ ରନ୍ କରି ଇନିଂସ ଘୋଷଣା କରିଥିଲା । ଶ୍ରୀଲଙ୍କାକୁ ପ୍ରଥମ ଇନିଂସରେ ୬ ରନର ଅଗ୍ରଣୀ ମିଳିଥିଲା । ପରେ ଶ୍ରୀଲଙ୍କା ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୨୦୦ ରନ୍ କରି ଇନିଂସ ଘୋଷଣା କରିବା ସହ ୨୦୬ ରନ୍ ହୋଇଥିଲା । ଏହାପରେ ଭାରତକୁ ଜିତିବା ପାଇଁ ୨୦୭ ରନର ଟାର୍ଗେଟ୍ ମିଳିଥିଲା । ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୨୧୪ ରନ୍ କରି ମ୍ୟାଚ୍ ଜିତି ନେଇଥିଲା ।