ମୋହାଲି: ପଞ୍ଜାବର ମୋହାଲିଠାରେ ଏକ ଅଭାବନୀୟ ତଥା ଲୋମହର୍ଷକ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ସନ୍ଧ୍ୟାରେ ଏକ ଘରୋଇ କମ୍ପାନୀର ଅଫିସ୍ ଭିତରେ ଜଣେ ୩୦ ବର୍ଷୀୟା ମହିଳାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ତଥା ସହକର୍ମୀ ଛୁରୀ ଭୁସି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏହି ପୁରା ଘଟଣାଟି ଅଫିସ୍ରେ ଲାଗିଥିବା ସିସିଟିଭି (CCTV) କ୍ୟାମେରାରେ କଏଦ ହୋଇଛି।

ପ୍ରେମ ସମ୍ପର୍କରେ ଫାଟ:ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମୃତ ମହିଳା (ଡିମ୍ପଲ୍) ଏବଂ ଅଭିଯୁକ୍ତ ହରଜିନ୍ଦର ସିଂହ ମାନ୍ ଏକ ଘରୋଇ କୋରିଅର୍ କମ୍ପାନୀରେ ଏକାଠି କାମ କରୁଥିଲେ ଏବଂ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ କିଛି ଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ବ୍ରେକଅପ୍ (Breakup) ହୋଇଯାଇ ସମ୍ପର୍କ ଛିନ୍ନ ହୋଇଥିଲା।

ବ୍ରେକଅପ୍ ସହିପାରିଲାନି ଅଭିଯୁକ୍ତ:ଡିମ୍ପଲଙ୍କଠାରୁ ଅଲଗା ହେବା କଥାକୁ ହରଜିନ୍ଦର ସହଜରେ ଗ୍ରହଣ କରିପାରି ନଥିଲା। ସେ ବାରମ୍ବାର ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେବାରୁ ବିଗତ କିଛି ସପ୍ତାହ ଧରି ମାନସିକ ସ୍ତରରେ ଖୁବ୍ ବିଚଳିତ ଥିଲା।

ଅଫିସ୍ରେ ଯୁକ୍ତିତର୍କ ଓ ହତ୍ୟା:ଗୁରୁବାର ସନ୍ଧ୍ୟା ପ୍ରାୟ ୭:୪୦ ସମୟରେ ଅଫିସ୍ ଭିତରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ହରଜିନ୍ଦର ଏକ ଛୁରୀ ବାହାର କରି ଡିମ୍ପଲଙ୍କ ଉପରେ ଆକ୍ରମଣ କରିଥିଲା। ଅନ୍ୟ ସହକର୍ମୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହାକୁ ରୋକିବାରେ ବିଫଳ ହୋଇଥିଲେ ଏବଂ ସେ ଡିମ୍ପଲଙ୍କୁ ୩୦ ଥର ଛୁରୀ ଭୁସି ଦେଇଥିଲା।

ଆତ୍ମହତ୍ୟା ଉଦ୍ୟମ:ଡିମ୍ପଲଙ୍କୁ ରକ୍ତାକ୍ତ କରି ତଳେ ପକାଇବା ପରେ ହରଜିନ୍ଦର ନିଜକୁ ମଧ୍ୟ ଛୁରୀ ଭୁସି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା।

ଡାକ୍ତରଖାନାରେ ମୃତ୍ୟୁ ଘୋଷଣା:ଭୟଭୀତ ସହକର୍ମୀମାନେ ତୁରନ୍ତ ପୋଲିସକୁ ଖବର ଦେବା ସହ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଫୋର୍ଟିସ୍ (Fortis) ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଡିମ୍ପଲଙ୍କୁ ମୃତ ଘୋଷଣା କରିଥିବା ବେଳେ ଅଭିଯୁକ୍ତ ହରଜିନ୍ଦରର ଅବସ୍ଥା ଏବେବି ସଙ୍କଟାପନ୍ନ ରହିଛି।

ପୋଲିସ ତଦନ୍ତ ଜାରି:ଫେଜ୍-୧୧ ପୋଲିସ ଷ୍ଟେସନର ଥାନା ଅଧିକାରୀ (SHO) ଅମନ ବୈଦୱାନଙ୍କ ନେତୃତ୍ୱରେ ପୋଲିସ ଘଟଣାସ୍ଥଳକୁ ସିଲ୍ କରି ଫରେନ୍ସିକ୍ ଟିମ୍ ସହାୟତାରେ ପ୍ରମାଣ ସଂଗ୍ରହ କରୁଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଅଫିସ୍ରୁ ସିସିଟିଭି ଫୁଟେଜ୍ ଜବତ କରିଛି। ମୃତ ମହିଳାଙ୍କ ପରିବାର ଲୋକ ପହଞ୍ଚିବା ପରେ ସେମାନଙ୍କ ବୟାନ ରେକର୍ଡ କରାଯାଇ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଜଣାଇଛି।