ନୂଆଦିଲ୍ଲୀ: ଦେଶର ୩ ରାଜ୍ୟର ୫ ବିଧାନସଭା ଓ ଆସାମ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନ ଫଳାଫଳ ସାମ୍ନାକୁ ଆସିଛି। ଏହି ନିର୍ବାଚନରେ ବିଜେପି ଉଲ୍ଲେଖନୀୟ ପ୍ରଦର୍ଶନ କରି ନନ୍ଦିଗ୍ରାମ, ରେଜିନଗର ଓ ନାଗାଓଁରେ ବିଜୟ ବାନା ଉଡାଇଛି। ସେହିପରି ପୁଡୁଚେରୀର ଥଟ୍ଟନଚାୱଡୀରେ ହୋଇଥିବା ଉପ ନିର୍ବାଚନରେ ଏନଡିଏର ସହଯୋଗୀ ଦଳ ଅଲ ଇଣ୍ଡିଆ ଏନ.ଆର.କଂଗ୍ରେସ ପ୍ରାର୍ଥୀ ଅଶୋକ ଆନନ୍ଦ ବିଜୟୀ ହୋଇଛନ୍ତି। ଏହା ଛଡା ତାମିଲନାଡୁ ଉପନିର୍ବାଚନରେ ବିଜୟଙ୍କ ଟିଭିକେ ଦୁଇଟିଜାକ ଆସନ ହାତେଇ ନେଇଛି।

ବିଜେପି ଓ ଏନଡିଏର ଏହି ବିଜୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନତାଙ୍କୁ କୃତଜ୍ଞତା ଜଣାଇବା ସହ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାମନ୍ତ୍ରୀ ମୋଦି ଏକ୍ସ ରେ ଏକ ପୋଷ୍ଟ କରି ଉଲ୍ଲେଖ କରିଛନ୍ତି ଯେ ଲୋକଙ୍କଠାରୁ ଲଗାତାର ମିଳୁଥିବା ଆଶିର୍ବାଦ ପାଇଁ କୃତଜ୍ଞତା ଜଣାଉଛି, ସେହିପରି ଆସାମର ନଗାଓଁ ଲୋକସଭା ନିର୍ବାଚନ, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନ ଫଳାଫଳ ପୁଣି ଥରେ ସାବ୍ୟସ୍ତ କରୁଛି ଲୋକଙ୍କ ବିଜେପି-ଏନଡିଏର ସୁଶାସନ ଏଜେଣ୍ଡା ସହ ଗଭୀର ସମ୍ପର୍କ ସ୍ଥାପିତ ହୋଇଛି।

ମୋଦି ଉଲ୍ଲେଖ କରିଛନ୍ତି ଯେ ମୁଁ ବିଜୟୀ ହୋଇଥିବା ବିଜେପି ପ୍ରାର୍ଥୀଙ୍କୁ ଶୁଭେଛା ଜଣାଉଛି ଏହା ସହିତ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ କଠିନ ପରିଶ୍ରମକୁ ମଧ୍ୟ ଉଚ୍ଚ ପ୍ରଶଂସା କରୁଛି। ମୋଦି କହିଛନ୍ତି ଯେ ଏହି ଜନାଦେଶ ଆମକୁ ଆହୁରି ମଜଭୁତ କରିବ। କାରଣ ଆମେ ଲୋକଙ୍କ କଲ୍ୟାଣ, ସମୃଦ୍ଧ ଭବିଷ୍ୟତର ଆଶା ପୁରା କରିବା ପାଇଁ ଲଗାତାର କାମ କରୁଛୁ। ଏଥିରେ ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଉପନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି। ନନ୍ଦି ଗ୍ରାମ ପ୍ରାର୍ଥୀ ହାସିରାନୀ ରଥ ୧,୨୨,୭୫୩ ଭୋଟ ଅନ୍ତରରେ ବିଜୟୀ ହୋଇଥିବା ବେଳେ ମୁସ୍ଲିମ ବହୁଳ ରେଜିନଗରରେ ବିଜେପି ପ୍ରାର୍ଥୀ ଶାଖାରଭ ସରକାର ୭୫,୭୪୮ ଭୋଟରେ ବିଜୟୀ ହୋଇଛନ୍ତି।