କେନ୍ଦୁଝର: ବିଧାୟକଙ୍କ ଜୀବନ ପ୍ରତି ବିପଦ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମାଗିଲେ ସୁରକ୍ଷା । ଜୀବନ ପ୍ରତି ବିପଦ ଥିବା ଆଶଙ୍କା କରି ସୁରକ୍ଷା ମାଗିଲେ କେନ୍ଦୁଝର ତେଲକୋଇ ବିଧାୟକ ଫକୀର ମୋହନ ନାୟକ । ଏନେଇ ସେ ମୁଖ୍ୟମନ୍ତ୍ରୀ, ବାଚସ୍ପତି, ଗୃହ ସଚିବ ଓ ଡିଜିପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି ବିଧାୟକ ।

ବିଧାୟକଙ୍କ ଅଭିଯୋଗ ଅନୁସାରେ, ତେଲକୋଇ ନିର୍ବାଚନମଣ୍ଡଳୀ ଏକ ଶାନ୍ତିପ୍ରିୟ ଅଞ୍ଚଳ । ହେଲେ କିଛି ଦିନ ହେଲା କିଛି କୁଚକ୍ରୀ ଗୋଷ୍ଠୀ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ପ୍ରାୟ ୧୫ ଦିନ ତଳେ ବାଂଶପାଳ ବ୍ଲକ କାଦକଳାରେ ଏକ ସାଙ୍ଗଠନିକ ବୈଠକ ବେଳେ କିଛି ଦୁର୍ବୃତ୍ତ କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଥିବା ସେ କହିଛନ୍ତି । ଏନେଇ ନୟାକୋଟ ଥାନାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ବେଳେ କେନ୍ଦୁଝର ଏସପିଙ୍କୁ ମଧ୍ୟ ଅବଗତ କରିଥିବା ସୂଚନା ଦେଇଛନ୍ତି। 

Also Read: ତେଜିଲା ରାଜନୀତି, ବିଜେପି କହିଲେ ମଥ୍ୟା ପ୍ରଚାର କରୁଛନ୍ତି ବିରୋଧୀ, ଜବାବ ରଖିଲେ ବିଜେଡି

ଏହାପରେ ସୋସିଆଲ ମିଡିଆରେ ଧମକପୂର୍ଣ୍ଣ ପୋଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି ବିଧାୟକ । ବାଂଶପାଳ ପରେ ହରିଚନ୍ଦନପୁର ଓ ତେଲକୋଇରେ ଏଭଳି ଘଟଣା ଘଟାଇବାକୁ ଧମକ ଦିଆଯାଉଥିବା ସେ କହିଛନ୍ତି । ତେବେ ଏଭଳି ଘଟଣା ପଛରେ ଯୋଜନାବଦ୍ଧ ଭାବେ କେହି କେହି ବିଶୃଙ୍ଖଳା ସୃଷ୍ଟି କରୁଥିବା ଆଶଙ୍କା କରିଛନ୍ତି ବିଧାୟକ । ସୋସିଆଲ ମିଡିଆରେ ଧମକ ଦେଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ପଛରେ କିଏ ଅଛି, ତାହା ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ତେଲକୋଇ ଅଞ୍ଚଳରେ ଶାନ୍ତି ଫେରାଇବା ସହ ନିଜର ସୁରକ୍ଷା ପାଇଁ ସେ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି ।