ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମରୁମାଲାରଚୀ ଦ୍ରାବିଡ଼ ମୁନ୍ନେତ୍ରା କାଝଗମ (MDMK) ଦଳ ଡିଏମକେ (DMK) ସହିତ ଥିବା ଦୀର୍ଘ ୯ ବର୍ଷର ମେଣ୍ଟକୁ ଆନୁଷ୍ଠାନିକ ଭାବେ ଶେଷ କରିଛି। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ଟିଭିକେ (TVK) ମେଣ୍ଟରେ ସାମିଲ ହେବା ନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି।

ଦଳର ବୈଠକରେ ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକରେ MDMK ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କ ସରକାରଙ୍କୁ ସ୍ୱାଗତ କରିଛି। ଦଳ ମୁଖ୍ୟମନ୍ତ୍ରୀଙ୍କୁ ନିଜର ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତିଗୁଡ଼ିକ ଉପରେ ଦୃଢ଼ ରହିବାକୁ ଅନୁରୋଧ କରିଛି। ରାଜ୍ୟରେ ଏକ ସ୍ୱଚ୍ଛ ଓ ଦୁର୍ନୀତିମୁକ୍ତ ପ୍ରଶାସନ ପ୍ରଦାନ କରିବାକୁ ଦଳ ଦାବି କରିଛି। ତେବେ ଦଳ ମୁଖ୍ୟ ଭାଇକୋ ଶନିବାର ଘୋଷଣା କରିଛନ୍ତି ଯେ, ଆଗାମୀ ଉପନିର୍ବାଚନ ଏବଂ ପୌର ନିର୍ବାଚନରେ ଏମଡିଏମକେ ବିଜୟଙ୍କ ଟିଭିକେ ଦଳକୁ ସମର୍ଥନ କରିବ ।

MDMK ଅଭିଯୋଗ କରିଛି ଯେ, ମେଣ୍ଟରେ ରହିବା ସତ୍ତ୍ୱେ ତାଙ୍କ ଦଳକୁ ଭିତରୁ ଦୁର୍ବଳ କରିବା ପାଇଁ କ୍ରମାଗତ ଭାବରେ ଚେଷ୍ଟା କରାଯାଉଥିଲା। ଏଆଇଏଡିଏମକେକୁ ପୁଣିଥରେ ସରକାର ଗଠନ କରିବାକୁ ସୁଯୋଗ ଦେବା ପାଇଁ ପରଦା ପଛରେ ଏକ ଗୁପ୍ତ ଯୋଜନା ଚାଲିଥିଲା।ଏହିସବୁ ପରିସ୍ଥିତି ଯୋଗୁଁ ଡିଏମକେ ମେଣ୍ଟରେ ଆଉ ଆଗକୁ ବଢ଼ିବା ସମ୍ଭବପର ନଥିଲା ବୋଲି ଏମଡିଏମକେ ସ୍ପଷ୍ଟ କରିଛି। ଏହି ପରିବର୍ତ୍ତନ ତାମିଲନାଡୁର ଆଗାମୀ ରାଜନୀତିକୁ ଏକ ନୂଆ ମୋଡ଼ ଦେବ ବୋଲି ଆଶା କରାଯାଉଛି।