ଭୁବନେଶ୍ୱର ୨୪।୧୨: କିଛି ଲୋକଙ୍କୁ ଭଲ ସ୍ଥିତି ଖରାପ ଲାଗୁଛି। ସେମାନଙ୍କୁ ଆନ୍ଦୋଳନ କରିବାକୁ ଭଲ ଲାଗୁଛି । କିନ୍ତୁ ଚାଷୀ ଆମ ସହ ଅଛନ୍ତି । ନଚେତ୍ ଏତେ ସୁରୁଖୁରୁରେ ଧାନ ସଂଗ୍ରହ ହୋଇପାରିନଥାନ୍ତା । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଦ୍ୱି-ଗୁଣିତ ସ୍ପିଡରେ ଧାନ ସଂଗ୍ରହ ଚାଲିଛି ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ଠାରୁ ଚଳିତ ବର୍ଷ ଏହି ସମୟ ସୁଦ୍ଧା ଡବଲ ଧାନ ଉଠାଯାଇଛି । ଟୋକନ ମଧ୍ୟ ଡବଲ ଦିଆଯାଇଛି । ଗତବର୍ଷ ଏହି ସମୟରେ ୧୭ ଲକ୍ଷ ୫୦ ହଜାର କୃଷକ ପଞ୍ଜିକରଣ କରିଥିଲେ । ଏବର୍ଷ ୧୯ ଲକ୍ଷ ୬୮ ହଜାର କୃଷକ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ ୫୮ ଲକ୍ଷ ଏକର ପଞ୍ଜିକରଣ ହୋଇଥିଲା । ଏବର୍ଷ ୬୧.୬୭ ଲକ୍ଷ ଏକର ପଞ୍ଜିକରଣ ହୋଇଛି । ସେହିପରି ଗତ ବର୍ଷ ଏହି ସମୟ ସୁଦ୍ଧା ଟୋକନ ଇସ୍ୟୁ ହୋଇଥିଲା ୪ ଲକ୍ଷ ୭ ହଜାର , ହେଲେ ବର୍ତ୍ତମାନ ସୁଦ୍ଧା ୯ ଲକ୍ଷ ୪୧ ହଜାର ଟୋକନ ଇସ୍ୟୁ ହୋଇସାରିଲାଣି । ଗତ ବର୍ଷ ଏହି ସମୟରେ ସୁଦ୍ଧା ୩ ଲକ୍ଷ ମେଟ୍ରିକ୍ ଟନ ଧାନ ସଂଗ୍ରହ ହୋଇଥିବା ବେଳେ ଚଳିତ ବର୍ଷ ୫ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଛନ୍ତି ସରକାର । ଗତ ବର୍ଷ ୬୦ ହଜାର ଚାଷୀ ଧାନ ବିକିଥିଲେ, କିନ୍ତୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଚାଷୀ ଧାନ ବିକି ସାରିଲାଣି ।

ତେବେ ବରଗଡ଼ରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୦ ହଜାର ୭୮୫ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ସରିଲାଣି । ସମ୍ବଲପୁରରେ ୧ ଲକ୍ଷ ୩୪ ହଜାର ୭୧୮ ମେଟ୍ରିକ୍ ଟନ ଧାନ ଉଠିସାରିଲାଣି । କଳାହାଣ୍ଡିରେ ୯୦ ହଜାର, ନୂଆପଡ଼ାରେ ୫୭ ହଜାର ମେଟ୍ରିକ୍ ଟନ୍ ଧାନ ଉଠିଲାଣି । ବର୍ତ୍ତମାନ ସବୁ ଜିଲ୍ଲାରେ ସୁରୁଖୁରୁରେ ଧାନ ସଂଗ୍ରହ ଚାଲିଛି । କୌଣସି ବିଭ୍ରାନ୍ତି କର ତଥ୍ୟ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସେହିପରି ଧାନ ସଂଗ୍ରହର ସ୍ଥିତି ନେଇ ସମୀକ୍ଷା କରାଯାଇଥିଲା ।