ଆମେରିକା : ଭାଙ୍ଗିଲା ବକ୍ସ ଅଫିସର ସବୁ ରେକର୍ଡ। ଆମେରିକାର ପପ୍ କିଙ୍ଗ୍ ମାଇକେଲ୍ ଜ୍ୟାକସନଙ୍କ ଜୀବନ ଉପରେ ନିର୍ମିତ ବାୟୋପିକ ଫିଲ୍ମ ‘ମାଇକେଲ’ ସିନେ ଜଗତରେ ନୂଆ ଇତିହାସ ରଚିଛି । ବିଶ୍ୱବ୍ୟାପୀ ୧ ବିଲିୟନ୍ ଡଲାରରୁ ଅଧିକ ଆୟ କରି ଏହା ବିଶ୍ୱର ପ୍ରଥମ ବାୟୋପିକ୍ ଫିଲ୍ମ ଭାବେ ସଫଳତା ହାସଲ କରିଛି। ଏହା ସହ ‘ବୋହେମିଆନ୍ ରାପସୋଡି’ ଏବଂ ‘ଓପେନହାଇମର’ ଭଳି ସୁପରହିଟ୍ ବାୟୋପିକ୍ର ରେକର୍ଡକୁ ମଧ୍ୟ ଭାଙ୍ଗିଛି। ତେବେ ଏହି ଐତିହାସିକ ସଫଳତା ପଛରେ କ'ଣ ରହିଛି କାହାଣୀ ଆସନ୍ତୁ ଜାଣିବା ।

ସିନେପ୍ରେମୀଙ୍କ ମଧ୍ୟରେ ବ୍ୟାପକ ଉତ୍ସାହ ସୃଷ୍ଟି କରିଥିବା ‘ମାଇକେଲ’ ରିଲିଜ୍ ପରଠାରୁ ବିଶ୍ୱର ବିଭିନ୍ନ ଦେଶରେ ଜୋରଦାର ବ୍ୟବସାୟ କରୁଛି। ପପ୍ ସଙ୍ଗୀତର ଅବିସ୍ମରଣୀୟ ତାରକା ମାଇକେଲ୍ ଜ୍ୟାକସନଙ୍କ ଜୀବନ, ସଂଘର୍ଷ, ସଫଳତା ଓ ବିବାଦକୁ ପରଦାରେ ଉପସ୍ଥାପନ କରିଥିବା ଏହି ବାୟୋପିକ୍ ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ବିଶ୍ୱବ୍ୟାପୀ ବକ୍ସ ଅଫିସରେ ୧ ବିଲିୟନ୍ ଡଲାରରୁ ଅଧିକ ଆୟ ସହ ‘ମାଇକେଲ’ ଏବେ ବାୟୋପିକ୍ ଫିଲ୍ମ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି। ଏହାପୂର୍ବରୁ ‘ବୋହେମିଆନ୍ ରାପସୋଡି’ ଏବଂ ‘ଓପେନହାଇମର’ ସର୍ବାଧିକ ଆୟ କରିଥିବା ବାୟୋପିକ୍ ଫିଲ୍ମ ମଧ୍ୟରେ ଥିଲେ। କିନ୍ତୁ ‘ମାଇକେଲ’ ସେହି ରେକର୍ଡକୁ ଭାଙ୍ଗି ନୂଆ କୀର୍ତ୍ତିମାନ ସ୍ଥାପନ କରିଛି।

ଫିଲ୍ମରେ ମାଇକେଲ୍ ଜ୍ୟାକସନଙ୍କ ଚରିତ୍ରକୁ ତାଙ୍କ ପରିବାର ସଦସ୍ୟ ଜାଫାର୍ ଜ୍ୟାକସନ୍ ଅଭିନୟ କରିଛନ୍ତି। ତାଙ୍କର ନୃତ୍ୟ, ଅଭିନୟ ଓ ମଞ୍ଚ ପ୍ରଦର୍ଶନକୁ ଦର୍ଶକ ଓ ସମାଲୋଚକ ଉଭୟ ଉଚ୍ଚ ପ୍ରଶଂସା କରିଛନ୍ତି। ଫିଲ୍ମରେ ମାଇକେଲଙ୍କ ସଙ୍ଗୀତ ଜୀବନ ସହ ବ୍ୟକ୍ତିଗତ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ ଘଟଣାକୁ ମଧ୍ୟ ସ୍ଥାନ ଦିଆଯାଇଛି। ସିନେ ବିଶେଷଜ୍ଞଙ୍କ ମତରେ, ବିଶ୍ୱବ୍ୟାପୀ ମାଇକେଲ୍ ଜ୍ୟାକସନଙ୍କ ଅପାର ଲୋକପ୍ରିୟତା, ଉଚ୍ଚମାନର ନିର୍ମାଣ ଏବଂ ଶକ୍ତିଶାଳୀ କାହାଣୀ ଫିଲ୍ମର ସଫଳତାର ପ୍ରମୁଖ କାରଣ। ଅନେକ ଦେଶରେ ଫିଲ୍ମଟି ଏବେ ମଧ୍ୟ ସଫଳତାର ସହ ପ୍ରଦର୍ଶିତ ହେଉଥିବାରୁ ବକ୍ସ ଅଫିସ ଆୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।