ନୂଆଦିଲ୍ଲୀ ୨୩।୦୯; ଇଟାଲୀରେ ବର୍ତ୍ତମାନ ପାଲେଷ୍ଟାଇନକୁ ସମର୍ଥନ କରି ବଡ଼ ଧରଣର ପ୍ରଦର୍ଶନ କରାଯାଉଛି। ଏହି ପ୍ରତିବାଦଗୁଡ଼ିକ ଟ୍ରେଡ୍ ୟୁନିଅନ ଦ୍ୱାରା ଡାକରାଯାଇଥିବା ୨୪ ଘଣ୍ଟାର ଧର୍ମଘଟର ଏକ ଅଂଶ ଥିଲା। ଏହା ସାରା ଦେଶରେ ଟ୍ରେନ ଏବଂ ବସ୍ ସମେତ ଜନଜୀବନକୁ ପ୍ରଭାବିତ ହୋଇଥିଲା। ହଜାର ହଜାର ବିକ୍ଷୋଭକାରୀ ରାସ୍ତାକୁ ଓହ୍ଲାଇଥିଲେଯାହା ଫଳରେ ପୋଲିସ ଓ ସେମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ରୋମ୍, ମିଲାନ ଏବଂ ନେପଲ୍ସ ଭଳି ପ୍ରମୁଖ ମହାନଗର ସମେତ ଦେଶର ୮୦ ରୁ ଅଧିକ ସହରରେ ଏହି ପ୍ରଦର୍ଶନ ହୋଇଥିଲା। ଲୋକମାନେ "ଫ୍ରି ପାଲେଷ୍ଟାଇନ" ଏବଂ " Lets Block Everything " ନାରା ଲଗାଇଥିଲେ। ରାସ୍ତା ଅବରୋଧ କରାଯାଇଥିଲା, ବନ୍ଦର ବନ୍ଦ ହେବା ସହ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ବନ୍ଦ କରାଯାଇଥିଲା। ପୋଲିସ ସହିତ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏନେଇ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ହିଂସାକୁ ନିନ୍ଦା କରିଥିଲେ।

ପ୍ରଦର୍ଶନକାରୀମାନେ ମିଲାନ କେନ୍ଦ୍ରୀୟ ଷ୍ଟେସନରେ ଭଙ୍ଗାରୁଜା କରିଥିଲେ, ଝରକା ଭାଙ୍ଗି ପତାକା ପୋଡ଼ିଥିଲେ। ପୋଲିସ ପ୍ରତିବାଦକାରୀଙ୍କୁ ନିୟନ୍ତ୍ରଣ କରିବାକୁ ଗ୍ୟାସ ଏବଂ ପାଣି ବ୍ୟବହାର କରିଥିଲା। ନେପଲ୍ସର ରେଳ ଷ୍ଟେସନରେ ମଧ୍ୟ ସଂଘର୍ଷ ହୋଇଥିଲା। ଏହି ପ୍ରତିବାଦରେ ୬୦ ରୁ ଅଧିକ ପୋଲିସ ଆହତ ହୋଇଥିଲେ। ମିଲାନରେ ପୋଲିସ ୧୦ ରୁ ଅଧିକ ଲୋକଙ୍କୁ ଗିରଫ କରିଥିଲା। ଇଟାଲୀ ଏହି ମାସର ଆରମ୍ଭରେ ଜାତିସଂଘରେ ପାଲେଷ୍ଟାଇନକୁ ଏକ ପୃଥକ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ସପକ୍ଷରେ ଭୋଟ ଦେଇଥିଲା, ମେଲୋନି ଏବେ ଆନୁଷ୍ଠାନିକ ଭାବରେ ପାଲେଷ୍ଟାଇନକୁ ଏକ ପୃଥକ ରାଷ୍ଟ୍ର ଭାବରେ ମାନ୍ୟତା ଦେବାର ବିରୋଧ କରିଛି।

ଏ ବିଷୟରେ ମେଲୋନିଙ୍କ ମତ କ?

ଇଟାଲୀର ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ପାଲେଷ୍ଟାଇନକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ଦାବିକୁ ସ୍ପଷ୍ଟ ଭାବରେ ବିରୋଧ କରିଛନ୍ତି। ସେପ୍ଟେମ୍ବର ୨୨ ତାରିଖରେ ଜାତିସଂଘ ସାଧାରଣ ପରିଷଦରେ ଫ୍ରାନ୍ସ ଏବଂ ସାଉଦି ଆରବଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଶିଖର ସମ୍ମିଳନୀ ପରେ ଫ୍ରାନ୍ସ, ବ୍ରିଟେନ, କାନାଡା ଏବଂ ବେଲଜିୟମ ସମେତ ଅନେକ ୟୁରୋପୀୟ ଦେଶ ପାଲେଷ୍ଟାଇନକୁ ସ୍ୱାଧୀନ ରାଷ୍ଟ୍ର ଭାବରେ ମାନ୍ୟତା ଦେବା ଘୋଷଣା କରିବା ସମୟରେ ମେଲୋନି ଏହାକୁ ଅକାଳ ଏବଂ ଅନୁପଯୁକ୍ତ ବୋଲି କହିଥିଲେ।