ନୂଆଦିଲ୍ଲୀ,  ୩ |୧୧ : ରତନ ଟାଟାଙ୍କ ଦେହାନ୍ତ ପରେ ଟାଟା ଟ୍ରଷ୍ଟର ବିବାଦ ବଢିବାରେ ଲାଗିଛି । ଯାହା ଏବେ ନୂଆ ମୋଡ ନେଇଛି । ଶିଳ୍ପପତି ମେହଲୀ ମିସ୍ତ୍ରୀଙ୍କୁ ବୋର୍ଡରେ ପୁନଃ ନିଯୁକ୍ତି ନ ମିଳିବାରୁ ସେ ଏବେ ଆଇନର ଦ୍ୱାରସ୍ଥ ହୋଇଛନ୍ତି । କମ୍ପାନୀର ନିଷ୍ପତ୍ତି ବିରୋଧରେ ସେ ମୁମ୍ବାଇର ଚାରିଟି କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ବୋର୍ଡରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାଙ୍କ ପରାମର୍ଶ ଗ୍ରହଣ କରିବା ଆବଶ୍ୟକ ବୋଲି ସେ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ।

ରିପୋର୍ଟ ଅନୁସାରେ, ମେହଲୀ ଏହି ନୋଟିସ ଦୋରବଜୀ ଟାଟା ଟ୍ରଷ୍ଟ, ସାର ରତନ ଟାଟା ଟ୍ରଷ୍ଟ, ଓ୍ୱାଇ ହୀରାବାଇ ଜାମସେଦଜୀ ଚାରିଟେବଲ ଟ୍ରଷ୍ଟର ସମସ୍ତ ଟ୍ରଷ୍ଟିଙ୍କୁ ପଠାଇଛନ୍ତି । ଯେଉଁଥିରେ ଗ୍ରୁପର ଅଧ୍ୟକ୍ଷ ନୋଏଲ ଟାଟା ମଧ୍ୟ ସାମିଲ ଅଛନ୍ତି  

ଟାଟା ଟ୍ରଷ୍ଟର ନିୟମ ଅନୁସାରେ, କୌଣସି ଟ୍ରଷ୍ଟିଙ୍କ ପୁନଃନିଯୁକ୍ତି ପାଇଁ ସମସ୍ତ ଟ୍ରଷ୍ଟିଙ୍କ ସମ୍ମତି ଦରକାର । ତାଙ୍କୁ ରତନ ଟାଟା ୨୦୨୨ରେ ତିନି ବର୍ଷ ପାଇଁ ବୋର୍ଡରେ ସାମିଲ କରିଥିଲେ । ତାଙ୍କ କର୍ଯ୍ୟକାଳ ୨୦୨୫ ଅକ୍ଟୋବର ୨୮ରେ ସମାପ୍ତ ହୋଇଥାନ୍ତା । କିନ୍ତୁ ଅକ୍ଟୋବର ୨୩ ତାରିଖରେ ତାଙ୍କର ପୁନଃନିଯୁକ୍ତି ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ଅନ୍ୟ ସଦସ୍ୟ ବିରୋଧ କରିଥିଲେ । ଫଳରେ ପୁନଃନିଯୁକ୍ତି ସମ୍ଭବ  ହୋଇପାରିନଥିଲା ।  

ତେବେ କମିଶନରଙ୍କ ନିକଟରେ ମେହଲୀ ଯୁକ୍ତି ଉପସ୍ଥାପନ କରିବେ ଯେ, ଅକ୍ଟୋବର ୧୭ ତାରିଖରେ ପୁନଃନିଯୁକ୍ତି ପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏହାସହ ସମସ୍ତ ଟ୍ରଷ୍ଟି କାର୍ଯ୍ୟକାଳ ପୂରଣ ହେଲା ପରେ ବି ସ୍ଥାୟୀ ଭାବେ ପୁଣିଥରେ ନିଯୁକ୍ତି ପାଇପାରିବେ । ମହାରାଷ୍ଟ୍ର ପବ୍ଲିକ୍ ଟ୍ରଷ୍ଟ ଆକ୍ଟ ଅନୁସାରେ ଟାଟା ଟ୍ରଷ୍ଟ ଦ୍ୱାରା ପାରିତ ସମସ୍ତ ନିଷ୍ପତ୍ତି ଗ୍ରହଣୀୟ ହୋଇଥାଏ । ଯଦି ପ୍ରସ୍ତାବକୁ ରବ୍ଦ କରାଯାଏ ତାହାଲେ ପୁଣି ଥରେ ବୈଠକ ଡାକି ଆଲୋଚନା କରିବାକୁ ପଡିବ ।

ଅନ୍ୟ ଦିଗରେ ମେହଲୀଙ୍କ ନିଯୁକ୍ତିକୁ ବିରୋଧ କରୁଥିବା ଜଣେ ଟ୍ରଷ୍ଟି କହିଛନ୍ତି ଯେ, ଅକ୍ଟୋବର ୧୭ରେ କେବଳ ପ୍ରସ୍ତାବର ପ୍ରକ୍ରିୟା ପୂରା କରାଯାଇଥିଲା । ଯାହାକୁ ଆଇନର ମାନ୍ୟତା ମିଳିପାରିବ ନାହିଁ । ଟ୍ରଷ୍ଟର ନିୟମରେ ଆନୁଷ୍ଠାନିକ ଭାବେ ଏହାକୁ ସାମିଲ କରିବାକୁ ହୋଇଥାଏ ।

କିଛି ବରିଷ୍ଠ ଆଇନଜୀବିଙ୍କ କହିବା କଥା ହେଲା, ଚାରିଟି କମିଶନରଙ୍କ ଅଧିକାର ସୀମିତ । ଦାଖଲ କରାଯାଇଥିବା କାଗଜପତ୍ର ବୈଧ ନା ନାହିଁ ସେ ତାହାର ତଦାରଖ କରିଥାନ୍ତି । ଟ୍ରଷ୍ଟର ନିଷ୍ପତ୍ତି ଉପରେ ସେ କୌଣସି ଟିପ୍ପଣୀ ଦେଇପାରିବେ ନାହିଁ । କିନ୍ତୁ ଯଦି ଆଇନରେ ଖିଲାପ ହୋଇଥାଏ ତାହାଲେ କମିଶନର ହସ୍ତକ୍ଷେପ କରିପାରିବେ ।