କଲମ୍ବୋ, ୨୩/୦୮ : କଲମ୍ବୋରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ୍ ଖେଳାଯାଉଛି । ପ୍ରଥମ ମୁକାବିଲା ଭାରତ ଜିତି ୧-୦ରେ ଆଗୁଆ ରହିଛି । ତେବେ ମ୍ୟାଚରେ ଅନ୍ତର୍ଜାତୀୟ ପଦାର୍ପଣ କରିଛନ୍ତି ୩୩ ବର୍ଷୀୟ ସାରାଂଶ ଜୈନ । ତାଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ପୂର୍ବରୁ ସେ ସୁଯୋଗ ପାଇବେ ବୋଲି ଚର୍ଚ୍ଚା ହେଉଥିଲା । କୂଲଦୀପ ଯାଦବଙ୍କ ଜାଗାରେ ତାଙ୍କୁ ଦଳ ନେଇଛି । ତେବେ ସାରାଂଶଙ୍କ କାହାଣୀ ଖୁବ୍ ସଙ୍ଘର୍ଷମୟ । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ତାଙ୍କୁ ଏବେ ଭାରତୀୟ ଦଳରେ ସୁଯୋଗ ମିଳିଛି ।

ସାରାଂଶ ହେଉଛନ୍ତି ଜଣେ ଅଲରାଉଣ୍ଡର । ସେ ଅଫ୍ ସ୍ପିନ୍ ସହ ବ୍ୟାଟିଂ ମଧ୍ୟ କରନ୍ତି । ୫୪ଟି ପ୍ରଥମ ଶ୍ରେଣୀ ମୁକାବିଲା ଖେଳି ସେ ୩୧.୭୫ ଆଭରେଜରେ ୨୨୨୩ ରନ୍ କରିଛନ୍ତି । ଏହାସହ ୧୮୮ଟି ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ସେ ପୂର୍ବତନ ଖେଳାଳି ଆର୍ ଅଶ୍ୱୀନଙ୍କୁ ନିଜର ଆଦର୍ଶ ମାନିଥାନ୍ତି । ସେ ଲଗାତାର ଭାବେ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଥିଲେ । ଧିରେ ଧିରେ ତାଙ୍କର ସଫଳତାର ଯାତ୍ରା ଆଗକୁ ବଢୁଥିଲା ।

Also Read :- କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ, NH-55 ରାସ୍ତାର ତୁରନ୍ତ ମରାମତି ପାଇଁ କଲେ ଅନୁରୋଧ

୨୦୧୪ରେ ସେ ରଣଜୀରେ ଡେବ୍ୟୁ କରିଥିଲେ । କିନ୍ତୁ ୨୦୨୨ରେ ସେ ଅଧିକ ଚର୍ଚ୍ଚା ପାଇଥିଲେ । ସେବେସୁଦ୍ଧା ସେ କେବଳ ୮ଟି ଫାଷ୍ଟ୍ କ୍ଲାସ୍ ମୁକାବିଲା ଖେଳିଥିଲେ । ଏହି ବର୍ଷ ମଧ୍ୟପ୍ରଦେଶ ପାଇଁ ସେ ରଣଜୀର ନକଆଉଟରେ 13ଟି ଶିକାର କରିଥିଲେ । ଏହାସହ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଦ୍ଧଶତକ ହାସଲ କରିଥିଲେ । ତାଙ୍କ ଦଳ ପ୍ରଥମ ରଣଜୀ ଟ୍ରଫି ଜିତିଥିଲା ।

ଇନ୍ଦୋରରୁ ଆସୁଥିବା ସାରାଂଶଙ୍କୁ ଦଳରେ ଅନେକ କାରଣ ପାଇଁ ସ୍ଥାନ ମିଳିଛି । ପ୍ରଥମ କାରଣ ହେଲା କି ଓ୍ୱାଶିଂଟନ ସୁନ୍ଦର ଏବେ ଦଳରୁ ବାହାରେ ଅଛନ୍ତି । ଶ୍ରୀଲଙ୍କାରେ ଅନେକ ବାମହାତୀ ବ୍ୟାଟର ଅଛନ୍ତି । ତେଣୁ ଭାରତୀୟ ମ୍ୟାନେଜମେଣ୍ଟ ଜଣେ ଅଫ୍ ସ୍ପିନରଙ୍କୁ ଦରକାର କରୁଥିଲା । ଏହା ବ୍ଯତୀତ ନିକଟରେ ସେ ରଣଜୀରେ ଚମତ୍କାର ପ୍ରଦର୍ଶନ କରିଥିଲେ । ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଦମ୍ ଦେଖାଇଥିଲେ । ଦୁଇଟି ଅର୍ଦ୍ଧଶତକ ସହ ୧୬ଟି ଓ୍ୱିକେଟ୍ ନେଇ ବିସିସିଆଇର ସ୍କାନରକୁ ଆସିଥିଲେ ।