ନୂଆଦିଲ୍ଲୀ ୦୭।୧୨; ଗୋଆରେ ଏକ ଲୋକପ୍ରିୟ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ। ଗ୍ୟାସ୍ ସିଲିଣ୍ଡର ଫାଟିବାରୁ ୨୫ ଜଣ ଜୀବନ୍ତ ଦଗ୍ଧ। ଏହା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି। ଗୋଆର ରାଜଧାନୀ ପାଣାଜୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୧୮ରୁ ୧୯ ଜଣ କର୍ମଚାରୀ ଥିବା ଜଣାପଡ଼ିଛି। ୪ ପର୍ଯ୍ୟଟକ ବି ଏହି ଅଘଟଣରେ ପ୍ରାଣ ହରାଇବା ସହ ଗୁରୁତର ଭାବେ ଆହତ ହୋଇଛନ୍ତି। ଉତ୍ତର ଗୋଆର ଅରପୋରା ଗାଁରେ ଥିବା ଏକ ଜନପ୍ରିୟ ନାଇଟ୍ କ୍ଲବ୍‌ରେ ସିଲିଣ୍ଡର ବ୍ଲାଷ୍ଟ ଯୋଗୁଁ ଭୟଙ୍କର ନିଆଁ ଲାଗିଯାଇଥିଲା। ଯାହାଫଳରେ ଅତି କମରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହି ଘଟଣା ଶନିବାର ମଧ୍ୟରାତ୍ରିରେ ଘଟିଛି । ନାଇଟ୍ କ୍ଲବ୍ଟିର ନାମ ହେଉଛି "ବର୍ଚ୍ ବାଇ ରୋମିଓ ଲେନ୍"। ଏହି ନାଇଟ୍ କ୍ଲବ ଗତ ବର୍ଷ ଖୋଲା ଯାଇଥିଲା । ଅଧିକାରୀମାନଙ୍କ ମୁତାବକ, ମୃତକମାନଙ୍କ ମଧ୍ୟରୁ ଅଧିକାଂଶ ରୋଷେଇଘର କର୍ମଚାରୀ ଥିଲେ ଏବଂ ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ରାତି ୧୨ ଟା ୦୪ ମିନିଟରେ ପୋଲିସ କଣ୍ଟ୍ରୋଲ ରୁମକୁ ନିଆଁ ଲାଗିବା ସୂଚନା ମିଳିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁରା ରାତି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଆହତମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ନିଆଁ ନିୟନ୍ତ୍ରଣାଧୀନ ଅଛି ଏବଂ ସମସ୍ତ ମୃତଦେହ ଉଦ୍ଧାର କରାଯାଇସାରିଛି।

ଦୁର୍ଘଟଣାର ଖବର ପାଇ ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାକୁ ଏକ "ଗମ୍ଭୀର ଦୁଃଖଦ ଘଟଣା" ବୋଲି କହିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସୁରକ୍ଷା ମାନଦଣ୍ଡରେ କୌଣସି ଅବହେଳା ଦେଖାଗଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ମୃତକଙ୍କ ମଧ୍ୟରେ ତିନିରୁ ଚାରି ଜଣ ପର୍ଯ୍ୟଟକ ଅଛନ୍ତି ଯେଉଁମାନେ ଛୁଟି କାଟିବାକୁ ଗୋଆ ଆସିଥିଲେ।