ନୂଆଦିଲ୍ଲୀ-ଭାରତ-ପାକିସ୍ତାନ ମଧ୍ୟରେ ସମ୍ଭାବ୍ୟ ଦ୍ୱନ୍ଦ୍ୱକୁ ସମାଧାନ କରିବା ପାଇଁ ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ଯଥେଷ୍ଟ ନୁହେଁ। ଏଭଳି ମନ୍ତବ୍ୟ କରିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ଜାତିସଂଘ ସାଧାରଣ ପରିଷଦର ଅଧିବେଶନ ଅବସରରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ରୁବିଓ କହିଛନ୍ତି, ଯଦି ଏକ କାର୍ଯ୍ୟକ୍ଷମ ଅନ୍ତର୍ଜାତୀୟ ବ୍ୟବସ୍ଥା ଥାଆନ୍ତା, ତେବେ ଭାରତ-ପାକିସ୍ତାନ ଭଳି ସମ୍ଭାବ୍ୟ ସଂଘର୍ଷକୁ ମଧ୍ୟ ତାହା ମୁକାବିଲା କରିପାରିଥାନ୍ତା।

ରୁବିଓଙ୍କ କହିବା ଅନୁସାରେ, ବର୍ତ୍ତମାନର ଅନ୍ତର୍ଜାତୀୟ ବ୍ୟବସ୍ଥା ନିଜ ଉଦ୍ଦେଶ୍ୟ ଓ ଅଧିକାର କ୍ଷେତ୍ରଠାରୁ ଅଧିକ ବ୍ୟାପକ ହୋଇଯାଇଛି। ଫଳରେ ବିଶ୍ୱର ବଡ଼ ବଡ଼ ସଂଘର୍ଷର ସମାଧାନ କରିବାରେ ଏହା ସକ୍ଷମ ହେଉନାହିଁ ବୋଲି ସେ କହିଛନ୍ତି। ତାଙ୍କ ମତରେ, ଜାତିସଂଘର ଯଥେଷ୍ଟ ସମ୍ଭାବନା ଥିଲେ ମଧ୍ୟ ଏହା ସେହି ସମ୍ଭାବନା ଅନୁସାରେ କାମ କରୁନାହିଁ।

ALSO READ -ଯୁଦ୍ଧ ମଧ୍ୟରେ ପୁଣି ଥରେ ୟୁକ୍ରେନ ଉପରେ ରୁଷିଆର ଭୟଙ୍କର ଆକାଶମାର୍ଗ ଆକ୍ରମଣ

ରୁବିଓ କହିଛନ୍ତି ଯେ, ଜାତିସଂଘ ସାଧାରଣ ପରିଷଦର ଉଚ୍ଚସ୍ତରୀୟ ବୈଠକରେ ଅନେକ ନେତା ଅନ୍ତର୍ଜାତୀୟ ବ୍ୟବସ୍ଥାର ବିଫଳତା ନେଇ ମତ ଦେଇଛନ୍ତି। ତାଙ୍କ ଅନୁସାରେ, ଏହାକୁ ପୁଣି ଥରେ ନିଜର ମୂଳ ଉଦ୍ଦେଶ୍ୟ ଓ ଭୂମିକା ଉପରେ କେନ୍ଦ୍ରିତ କରିବା ଆବଶ୍ୟକ।

ସେ ଉଦାହରଣ ଦେଇ କହିଛନ୍ତି, ଥାଇଲ୍ୟାଣ୍ଡ ଓ କାମ୍ବୋଡିଆ ମଧ୍ୟରେ ହୋଇଥିବା ଯୁଦ୍ଧ ଭଳି ଘଟଣା କିମ୍ବା ଭାରତ-ପାକିସ୍ତାନ ମଧ୍ୟରେ ଭବିଷ୍ୟତରେ ଦେଖାଦେଇପାରୁଥିବା ସଂଘର୍ଷକୁ ମୁକାବିଲା କରିବା ପାଇଁ ବର୍ତ୍ତମାନର ବ୍ୟବସ୍ଥା ପାଖରେ ଆବଶ୍ୟକ କ୍ଷମତା ନାହିଁ।

ଏହା ସହ ରୁବିଓ ଆମେରିକାର ବୈଦେଶିକ ନୀତି ନେଇ ମଧ୍ୟ ସ୍ପଷ୍ଟ ମତ ରଖିଛନ୍ତି। ସେ କହିଛନ୍ତି, ଅନ୍ତର୍ଜାତୀୟ ବ୍ୟବସ୍ଥା ଥାଉ କି ନଥାଉ, ଆମେରିକା ନିଜ ଜାତୀୟ ସ୍ୱାର୍ଥକୁ ପ୍ରାଥମିକତା ଦେବ। ଆମେରିକା କେବେ ମଧ୍ୟ ନିଜ ଦେଶର ସ୍ୱାର୍ଥଠାରୁ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଉପରେ ରଖିବ ନାହିଁ ବୋଲି ସେ କହିଛନ୍ତି।

ରୁବିଓଙ୍କ ଏହି ମନ୍ତବ୍ୟର ଗୋଟିଏ ଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାତିସଂଘ ସାଧାରଣ ପରିଷଦରେ ଭାଷଣ ଦେବା ବେଳେ ଭାରତ-ପାକିସ୍ତାନ ସଂଘର୍ଷକୁ ରୋକିଥିବା ନେଇ ନିଜର ପୁରୁଣା ଦାବି ପୁଣି ଦୋହରାଇଥିଲେ। ଟ୍ରମ୍ପ ୨୦୨୫ ମେ’ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇବାରେ ଆମେରିକାର ଭୂମିକା ଥିବା ଦାବି କରିଆସୁଛନ୍ତି।

ତେବେ ଭାରତ ଏହି ଦାବିକୁ ଲଗାତାର ଖଣ୍ଡନ କରିଆସିଛି। ନୂଆଦିଲ୍ଲୀର ଆଭିମୁଖ୍ୟ ହେଉଛି, ୨୦୨୫ ମେ’ରେ ଶତ୍ରୁତା ବନ୍ଦ କରିବା ନେଇ ବୁଝାମଣା ଭାରତ ଓ ପାକିସ୍ତାନ ସେନାର ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନ୍ସ (DGMO)ଙ୍କ ମଧ୍ୟରେ ସିଧାସଳଖ ଆଲୋଚନା ପରେ ହୋଇଥିଲା। ଭାରତ ପକ୍ଷରୁ ଏଥିରେ କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ଥିବା କଥାକୁ ଅସ୍ୱୀକାର କରାଯାଇଛି।

ଏହି ପରିପ୍ରେକ୍ଷୀରେ ରୁବିଓଙ୍କ ନୂଆ ବୟାନ ଜାତିସଂଘର ଭୂମିକା, ଅନ୍ତର୍ଜାତୀୟ ସଂଘର୍ଷର ସମାଧାନ ଏବଂ ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ କରିଛି।