ଚେହେରାରେ ଡ୍ୟାସିଂ ଲୁକ୍… ବ୍ୟକ୍ତିତ୍ୱରେ ଦମଦାର ଅନ୍ଦାଜ… ଆଉ ୟୁନିଫର୍ମରେ ଦେଖିଲେ ଯେମିତି ନଜର ଅଟକିଯାଏ। ସୋସିଆଲ୍ ମିଡିଆରେ ଯାହାଙ୍କୁ ନେଇ ଚର୍ଚ୍ଚାର ଅନ୍ତ ନାହିଁ, ସେହିଭଳି ଝିଅମାନେ ଯାହାଙ୍କୁ ଦେଇଛନ୍ତି ‘ନ୍ୟାସନାଲ୍ କ୍ରସ୍’ର ଟ୍ୟାଗ୍… ସେ ହେଉଛନ୍ତି ରାଷ୍ଟ୍ରପତିଙ୍କ ପୂର୍ବତନ ଏଡିସି ମେଜର ଋଷଭ ସିଂହ ସାମ୍ବ୍ୟାଲ୍।

କିନ୍ତୁ ଗ୍ଲାମର୍ ଆଉ ଗ୍ଲାମରସ ଇମେଜ୍ ପଛରେ ଲୁଚି ରହିଛି ଏମିତି ଏକ ତ୍ୟାଗର କାହାଣୀ, ଯାହା ଶୁଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। ନିକଟରେ ଏକ ପୋଡକାଷ୍ଟରେ ନିଜ ଜୀବନର ଅନେକ ଅକୁହା କଥା ସାମ୍ନାକୁ ଆଣିଛନ୍ତି ମେଜର ଋଷଭ। ରାଷ୍ଟ୍ରପତିଙ୍କ ଏଡିସି ଭାବେ ଦାୟିତ୍ୱ ତୁଲାଇବା ସମୟରେ ତାଙ୍କୁ କେଉଁ କେଉଁ ବ୍ୟକ୍ତିଗତ ତ୍ୟାଗ କରିବାକୁ ପଡ଼ିଥିଲା, ସେ ସମ୍ପର୍କରେ ମଧ୍ୟ ଖୋଲିଛନ୍ତି ମନର କଥା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହ ହେଉ କି ସାଧାରଣତନ୍ତ୍ର ଦିବସର ଭବ୍ୟ ପରେଡ୍… ପ୍ରତ୍ୟେକ ବଡ଼ ଅବସରରେ ରାଷ୍ଟ୍ରପତିଙ୍କ ପଛରେ ଛାଇ ଭଳି ଛିଡ଼ା ହୋଇଥିବା ଏହି ଯୁବ ଅଫିସରଙ୍କ ଉପରେ ପଡ଼ିଛି ଦେଶବାସୀଙ୍କ ନଜର। ତାଙ୍କ ଲୁକ୍ସ ଏବଂ ଆକର୍ଷଣୀୟ ବ୍ୟକ୍ତିତ୍ୱ ତାଙ୍କୁ ରାତାରାତି ସୋସିଆଲ୍ ମିଡିଆ ସେନସେସନ୍ କରିଦେଇଥିଲା। ହେଲେ ଏହି ଲୋକପ୍ରିୟତା ପଛରେ ରହିଛି ଦେଶସେବା ପାଇଁ ଏକ ବଡ଼ ତ୍ୟାଗ।

ଋଷଭଙ୍କ କହିବା ଅନୁସାରେ, ରାଷ୍ଟ୍ରପତିଙ୍କ ଏଡିସି ଭାବେ ଦାୟିତ୍ୱ ତୁଲାଇବା ପାଇଁ ତାଙ୍କୁ ନିଜ ବ୍ୟକ୍ତିଗତ ଜୀବନର ଅନେକ ଇଚ୍ଛାକୁ ପଛରେ ପକାଇବାକୁ ପଡ଼ିଥିଲା। ଏପରିକି ବିବାହ ଭଳି ବ୍ୟକ୍ତିଗତ ନିଷ୍ପତ୍ତିକୁ ମଧ୍ୟ ତ୍ୟାଗ କରିବାକୁ ପଡ଼ିଥିବା କଥା ସେ ପୋଡକାଷ୍ଟରେ କହିଛନ୍ତି। କେବଳ ନିଜ ବ୍ୟକ୍ତିଗତ ଜୀବନ ନୁହେଁ, ପରିବାରଠାରୁ ମଧ୍ୟ ଦୀର୍ଘ ସମୟ ଦୂରେ ରହିବାକୁ ପଡ଼ିଥିଲା ତାଙ୍କୁ। ନିଜ ମାଆ ଏବଂ ପରିବାରର ସ୍ନେହଠାରୁ ଦୂରରେ ରହି ଦେଶର ପ୍ରଥମ ନାଗରିକଙ୍କ ସୁରକ୍ଷା ଓ ଦାୟିତ୍ୱକୁ ଦେଇଥିଲେ ସର୍ବୋଚ୍ଚ ପ୍ରାଥମିକତା।

ହେଲେ ଏହି ଦୂରତା ତାଙ୍କୁ କେବେ ଏକୁଟିଆ କରିନଥିଲା। କାରଣ ରାଷ୍ଟ୍ରପତି ଭବନରେ ତାଙ୍କୁ ମିଳିଥିଲା ଆଉ ଜଣେ ମାଆଙ୍କର ସ୍ନେହ। ମେଜର ଋଷଭ କହିଛନ୍ତି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ନିଜ ପୁଅ ଭଳି ସ୍ନେହ କରୁଥିଲେ। ଆଉ ରାଷ୍ଟ୍ରପତିଙ୍କ ପ୍ରତି ତାଙ୍କର ମଧ୍ୟ ଠିକ ସେହିଭଳି ରହିଛି ଗଭୀର ସମ୍ମାନ। ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଥିବା ଜଣେ ବ୍ୟକ୍ତିଙ୍କଠାରୁ ମାଆର ମମତା ପାଇବା ଋଷଭଙ୍କ ପାଇଁ ଏହା ତାଙ୍କ ଜୀବନର ଏକ ଅମୂଲ୍ୟ ଅନୁଭୂତି।

ଆଜି ବି ସୋସିଆଲ୍ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜାରି ରହିଛି। ଲକ୍ଷ ଲକ୍ଷ ଯୁବତୀ ତାଙ୍କ ଷ୍ଟାଇଲ୍ ଓ ସ୍ମାଇଲର ଦିୱାନା। କିନ୍ତୁ ଏହି ସବୁ ଲୋକପ୍ରିୟତାଠାରୁ ଦୂରରେ ମେଜର ଋଷଭଙ୍କ ଜୀବନର ଆଉ ଏକ ପରିଚୟ ରହିଛି କର୍ତ୍ତବ୍ୟ ପ୍ରତି ଅତୁଟ ନିଷ୍ଠା। ବ୍ୟକ୍ତିଗତ ଇଚ୍ଛାଠାରୁ ଦେଶର ସେବାକୁ ଅଧିକ ଗୁରୁତ୍ୱ ଦେଇଥିବା ଋଷଭଙ୍କ ଏହି ତ୍ୟାଗ ଓ ସମର୍ପଣ ନିଶ୍ଚିତ ଭାବେ ଯୁବପିଢ଼ି ପାଇଁ ଏକ ପ୍ରେରଣାଦାୟୀ କାହାଣୀ।