ବେଙ୍ଗାଲୁରୁ: ଏୟାରପୋର୍ଟରେ ଲ୍ୟାଣ୍ଡିଂ କାଳରେ ଏୟାର ଇଣ୍ଡିଆର ଏକ ଫ୍ଲାଇଟ୍ ରେ ଟେଲ ଷ୍ଟ୍ରାଇକ୍ ଘଟଣା ଘଟିଛି। ତେବେ ଦିଲ୍ଲୀରୁ ବେଙ୍ଗାଲୁରୁ ଆସିଥିବା ବିମାନଟି ସୁରକ୍ଷିତ ଅବତରଣ କରିଯାଇଛି। ସମସ୍ତ ଯାତ୍ରୀ ଓ ଚାଳକଦଳ ସଦସ୍ୟ ସୁରକ୍ଷିତ ବିମାନରୁ ଓହ୍ଲାଇଛନ୍ତି। ହେଲେ ବିମାନବନ୍ଦରରେ ଟେଲ ଷ୍ଟ୍ରାଇକ୍ ପରେ ଯାଞ୍ଚ ପାଇଁ ଏୟାର ଇଣ୍ଡିଆ ବିମାନ ଏଆଇ ୨୬୫୧କୁ ଗ୍ରାଉଣ୍ଡେଡ କରିଦିଆଯାଇଛି। ଫଳରେ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ ହୋଇଛି।

ଟେଲଷ୍ଟ୍ରାଇକ୍ କ’ଣ?
ଟେଲଷ୍ଟ୍ରାଇକ୍ ସେତେବେଳେ ହୁଏ ଯେତେବେଳେ ବିମାନର ପିଛିଲା ଭାଗ (ଟେଲ) ଟେକଅଫ ଅଥବା ଲ୍ୟାଣ୍ଡିଂ କାଳରେ ରନୱେ ସହ ଘଷି ହୋଇଯାଏ। ଏପରି ଘଟଣା ଘଟିଲେ ବାଧ୍ୟତାମୂଳକ ଭାବେ ବିମାନର ସଂରଚନାତ୍ମକ ଯାଞ୍ଚ କରାଯାଏ। ଗୁରୁବାର ବେଙ୍ଗାଲୁରୁ ଏୟାରପୋର୍ଟ ଘଟଣା ପରେ ଏୟାର ଇଣ୍ଡିଆ ବିମାନର ଦିଲ୍ଲୀ ଫେରସ୍ତ ଉଡାଣ ବାତିଲ କରିଦିଆଯାଇଛି ଓ ଯାଞ୍ଚ ଆରମ୍ଭ ହୋଇଛି।

ଟେଲ୍ ଷ୍ଟ୍ରାଇକ୍ ପରେ ଗ୍ରାଉଣ୍ଡେଡ ହେଲା ବିମାନ
ଏୟାର ଇଣ୍ଡିଆ ଫ୍ଲାଇଟ୍ ଏଆଇ୨୬୫୧ ଏକ ଏ-୩୨୦ ସିରିଜର ନାରୋବଡି ଏୟାର ବସ୍ ବିମାନ ଅଟେ। ତେବେ ଟେଲଷ୍ଟ୍ରାଇକ୍ ପରେ ଯାଞ୍ଚ ନିମନ୍ତେ ବିମାନକୁ ଗ୍ରାଉଣ୍ଡ କରିଦିଆଯାଇଛି। ହେଲେ ଏଥି ପାଇଁ ପ୍ରଭାବିତ ହୋଇଥିବା ଯାତ୍ରୀଙ୍କୁ ଟାଟା ସମୂହଙ୍କ ଏହି ଏୟାର ଲାଇନ ବିକଳ୍ପ ବ୍ୟବସ୍ଥା କରିବାକୁ ଆଶ୍ୱାସନ ଦେଇଛି। ଏୟାର ଲାଇନ କହିଛି ଯେ ବେଙ୍ଗାଲୁରୁରେ ଥିବା ଆମ ଗ୍ରାଉଣ୍ଡ ଟିମ୍ ସବୁ ଯାତ୍ରୀଙ୍କୁ ଜରୁରି ସୁବିଧା ଯୋଗାଇ ଦେଇଛନ୍ତି। ଆମେ ଯାତ୍ରୀମାନଙ୍କୁ ଶୀଘ୍ରାତି ଶୀଘ୍ର ଅନ୍ୟ ଫ୍ଲାଇଟରେ ଆଡଜଷ୍ଟ କରିବାକୁ ଉଦ୍ୟମ କରୁଛୁ।

କଣ କହିଛି ଏୟାର ଇଣ୍ଡିଆ?
ଏୟାରଇଣ୍ଡିଆ ମୁଖପାତ୍ର କହିଛନ୍ତି ଯେ ‘ଉପୁଜିଥିବା ଅସୁବିଧା ପାଇଁ ଆମେ ଦୁଃଖ ବ୍ୟକ୍ତ କରୁଛୁ। ଆମ ଯାତ୍ରୀ ଓ ଚାଳକଦଳ ସଦସ୍ୟଙ୍କ ସୁରକ୍ଷା ଆମର ପ୍ରମୁଖ ପ୍ରାଥମିକତା। ଏହି ଘଟଣାର ଯାଞ୍ଚ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଓ ନିୟାମକୀୟ ଅଧିକାରୀଙ୍କ ସହିତ ସମନ୍ୱୟ ରଖି କରାଯିବ’। ସୂତ୍ର ଅନୁସାରେ ଘଟଣା ସମୟରେ ଏକ ବୋଇଂ ୭୪୭ ରନୱେରୁ ଉଡାଣ କରିଥିଲା। ଏହି ସମୟରେ ଏୟାର ଇଣ୍ଡିଆ ଫ୍ଲାଇଟ ତାର ଚୂଡାନ୍ତ ଆପ୍ରୋଚରେ ଥିଲା। ତେବେ ବୋଇଂ ୭୪୭ ଇଞ୍ଜିରୁ ସୃଷ୍ଟି ହୋଇଥିବା ଟର୍ବୁଲାନ୍ସ ଯୋଗୁ ପାଇଲଟ ଗୋ ଆରଆଉଣ୍ଡ ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ଏକ ମାନକ ପ୍ରକ୍ରିୟା ତେବେ ଗୋ ଆରାଉଣ୍ଡ କାଳରେ ଟେଲ ଷ୍ଟ୍ରାଇକ୍ ହୋଇଛି।