ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ ମହାରାଷ୍ଟ୍ର ସରକାରଙ୍କ ବଡ଼ ଘୋଷଣା । ମୃତକଙ୍କ ପରିବାର ପାଇଁ ୫୦-୫୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ । ଏହାସହ ପୀଡ଼ିତଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଓ ପରେ ସରକାରୀ ଚାକିରି ମଧ୍ୟ ଦିଆଯିବ । ଗୁରୁବାର କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏହି ଘୋଷଣା କରିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମହାରାଷ୍ଟ୍ରର ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ପଡ଼ନବିସ କହିଛନ୍ତି ଯେ ପୀଡ଼ିତଙ୍କ ସହ ଆମ ସରକାର ଛିଡ଼ା ହୋଇଛନ୍ତି । ଅନ୍ୟପଟେ ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ପହଲଗାନ ଆତଙ୍କୀ ଆକ୍ରମଣ ଉପରେ ବିବାଦୀୟ ଟିପ୍ପଣୀ ଲାଗି କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ କିଛି ପାର୍ଟି ଓ ସେମାନଙ୍କ ପଦାଧିକାରୀ ସ୍ଥିତିର ରାଜନୈତିକ ଲାଭ ନେବାକୁ ଚାହୁଁଛନ୍ତି ।
ରାଜ୍ୟପାଳ କହିଛନ୍ତି, 'ବିଷୟ ପୂରା ସ୍ପଷ୍ଟ...ସେମାନେ ଆମ ଦେଶ ଭିତରେ ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁଛନ୍ତି । ପାକିସ୍ତାନ ଲଗାତାର ଏପରି କରୁଛି । ପାକିସ୍ତାନ ନିଜ ଗଠନ ପରଠୁ କୌଣସି ଶିକ୍ଷା ଲାଭ କରିନି । ଏପରିକି ୧୯୭୧ ବାଂଲାଦେଶ ଯୁଦ୍ଧ ପରେ ବି ନୁହେଁ । ପାକିସ୍ତାନ ବିରୋଧରେ କଠୋର ପଦକ୍ଷେପ ନିଆଯିବା ଦରକାର ।' ସେହିପରି ବିରୋଧୀ ନେତାଙ୍କ ବୟାନକୁ ପାକିସ୍ତାନୀ ମିଡିଆରେ ପ୍ରସାରଣ କରାଯିବା ପ୍ରଶ୍ନର ଜବାବ ମଧ୍ୟ ସେ ଦେଇଛନ୍ତି । ରାଜ୍ୟପାଳ କହିଛନ୍ତି, 'ସେମାନେ (ପାକିସ୍ତାନ) ଏହାକୁ ନେଇ ଅପପ୍ରଚାର କରିବାକୁ ଚାହୁଁଛି, କିନ୍ତୁ ଏଥିରୁ କୌଣସି ଲାଭ ମିଳିବ ନାହିଁ । ପୂରା ଦେଶ ଏକଜୁଟ୍ ଅଛି ।' ସେ ଆହୁରି କହିଛନ୍ତି ଯେ କିଛି ଦଳ ଓ ସେମାନଙ୍କ ନେତା ଜମ୍ମୁ କାଶ୍ମୀରରେ ହୋଇଥିବା ଆତଙ୍କୀ ଆକ୍ରମଣ ପର ସ୍ଥିତିର ରାଜନୈତିକ ଲାଭ ନେବାକୁ ଚାହୁଁଛନ୍ତି । ଟିଏମସି ନେତ୍ରୀ ସାଗରିକା ଘୋଷଙ୍କ କାଶ୍ମୀରରେ ବୋମ ନ୍ୟାୟ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ରାଜ୍ୟପାଳ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି ।