Chief Justice Of India: ଜଷ୍ଟିସ୍ ଗବାଇ ୫୨ତମ ସିଜେଆଇ, ମେ' ୧୪ରେ ନେବେ ଶପଥ

Published By : Prameya-News7 Bureau | April 29, 2025 IST

ନୂଆଦିଲ୍ଲୀ: ଜଷ୍ଟିସ୍ ବିଆର୍ ଗବାଇ ଦେଶରେ ପରବର୍ତ୍ତୀ ପ୍ରଧାନ ବିଚାରପତି । ଆଇନ ବିଭାଗ ମଙ୍ଗଳବାର ଏକ ଗେଜେଟ୍ ବିଜ୍ଞପ୍ତି ବାହାରକରି ନିଯୁକ୍ତି ପ୍ରଦାନ କରିଛି । ଆସନ୍ତା ମେ’ ୧୪ ତାରିଖରେ ୫୨ତମ ସିଜେଆଇ ଭବେ ଶପଥ ନେବେ । ତାଙ୍କ କାର୍ଯ୍ୟକାଳ ୨୦୨୫ ନଭେମ୍ୱର ୨୩ ଯାଏଁ ରହିବ । ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ସଂଜୀବ ଖନ୍ନାଙ୍କ କାର୍ଯ୍ୟକାଳ ଆସନ୍ତା ୧୩ ତାରିଖରେ ଶେଷ ହେବ । ଜଷ୍ଟସ୍ ବିଆର୍ ଗବାଇ ତାଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ । 

ଜଷ୍ଟିସ ଗବାଇଙ୍କ ପୂରା ନାମ ଭୂଷଣ ରାମକୃଷ୍ଣ ଗବାଇ । ୧୯୬୦ ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ । ୧୯୮୫ ମସିହାରେ ସେ ନିଜର ଆଇନଗତ ବୃତ୍ତି ଆରମ୍ଭ କରିଥିଲେ । କ୍ୟାରିୟର ଆରମ୍ଭରେ ସେ ଜଣାଶୁଣା ଆଇନଜୀବୀ ତଥା ତତ୍କାଳୀନ ଏଜି ସ୍ୱର୍ଗତ ରାଜା ଏସ୍. ଭୋନଲେଙ୍କ ପାଖରେ ଲ’ ପ୍ରାକ୍ଟିସ୍ କରିଥିଲେ । ଏହାପରେ ୧୯୮୭ ରୁ ୧୯୯୦ ପର୍ଯ୍ୟନ୍ତ ସେ ବମ୍ୱେ ହାଇକୋର୍ଟରେ ଓକିଲାତି ଆରମ୍ଭ କରିଥିଲେ । ଜଷ୍ଟିସ୍ ଗବାଇ ଫୋକସ୍ ସାମ୍ୱିଧାନିକ ଓ ପ୍ରଶାସନିକ ଆଇନ ଉପରେ ଅଧିକ ରହିଛି । 

୧୯୯୨ ଅଗଷ୍ଟରେ ବମ୍ୱେ ହାଇକୋର୍ଟଙ୍କ ନାଗପୁର ବେଞ୍ଚରେ ଅତିରିକ୍ତ ସରକାରୀ ଓକିଲ ଭାବେ ନିଯୁକ୍ତି ପାଇଥିଲେ । ପରେ ୨୦୦୦ ମସିହାରେ ନାଗପୁର ବେଞ୍ଚରେ ହିଁ ପବ୍ଲିକ୍ ପ୍ରୋସିକ୍ୟୁଟର ହୋଇଥିଲେ । ୨୦୦୩ ନଭେମ୍ୱର ୧୪ରେ ବମ୍ୱେ ହାଇକୋର୍ଟର ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୦୫, ନଭେମ୍ବର ୧୨ରେ ସେ ହାଇକୋର୍ଟର ସ୍ଥାୟୀ ବିଚାରପତି ହୋଇଥିଲେ । ୨୦୧୯ ମେ ୨୪ ତାରିଖରେ ତାଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି କରାଯାଇଥିଲା । ସେବେଠାରୁ ସୁପ୍ରିମକୋର୍ଟର ଅନେକ ସାମ୍ବିଧାନିକ ଖଣ୍ଡପୀଠର ସେ ଅଂଶ ରହିଛନ୍ତି। ଅନେକ ଐତିହାସିକ ରାୟ ଦେଇଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.