ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ନେଇ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଭାରତରେ ଥିବା ପାକିସ୍ତାନୀ ନାଗରିକଙ୍କୁ ଦେଶରୁ ବାହାର କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଜମ୍ମୁ କାଶ୍ମୀର ପ୍ରଶାସନ ବି ପାକିସ୍ତାନୀ ନାଗରିକଙ୍କ ତାଲିକା ପ୍ରସ୍ତୁତ କରିଛି । ଜମ୍ମୁ କାଶ୍ମୀର ଅଧିକାରୀ ରାଜ୍ୟରେ ରହୁଥିବା ୬୦ ପାକିସ୍ତାନୀଙ୍କୁ ଦେଶରୁ ବାହାର କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଏହି ସୂଚୀରେ ୨୦୨୨ରେ ହୋଇଥିବା ଏନକାଉଣ୍ଟରରେ ସହିଦ ପୋଲିସ ଯବାନ ମରଣୋତ୍ତର ଶୌର୍ଯ୍ୟ ଚକ୍ର ବିଜେତା ମୁଦାସିର ଅହମଦ ଶେଖଙ୍କ ମାଆ ସମୀମାଙ୍କ ନାଁ ଥିବା ଦାବି କରାଯାଇଥିଲା । ଏବେ ଏହା ଉପରେ ବାରାମୁଲା ପୋଲିସ ସ୍ପଷ୍ଟୀକରଣ ଜାରି କରିଛି । ଶୌର୍ଯ୍ୟ ଚକ୍ର ବିଜେତାଙ୍କ ମାଆ ପାକିସ୍ତାନକୁ ନିର୍ବାସିତ ହେଉଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ନଥିବା ଏଥିରେ କୁହାଯାଇଛି । ଖବରକୁ ମିଛ ଓ ବିଭ୍ରାନ୍ତିକର କହିଛି ପୋଲିସ ।
Reports circulating on social media regarding the alleged repatriation of mother of martyr Constable Mudasir Ahmad @ Bindaas are false, baseless, and categorically denied: District Police HQ Baramulla pic.twitter.com/Huo9uTiSrR
— ANI (@ANI) April 29, 2025
ପୋଲିସଠାରୁ ସ୍ପଷ୍ଟୀକରଣ ମିଳିବା ପରେ ମୁଦାସିରଙ୍କ ଦାଦା ୟୁନୁସ ସରକାଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହା ପୂର୍ବରୁ ମୁଦାସିରଙ୍କ ଦାଦା ୟୁନୁସ ପ୍ରତିକ୍ରିୟା ଦେଇ କହିଥିଲେ ଯେ ମୋ ଭାଉଜ ପାକିସ୍ତାନ କବଜାରେ ଥିବା କାଶ୍ମୀର ବାସିନ୍ଦା । ସେ ଅଞ୍ଚଳ ବି ଆମର ହିଁ । ତେଣୁ ସରକାର ତାଙ୍କୁ ନିର୍ବାସନ ନକରିବା ଦରକାର । ସେ କହିଥିଲେ ଯେ ମୁଦାସିରଙ୍କ ବଳିଦାନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପରିବାର ଲୋକଙ୍କୁ ଭେଟିଥିଲେ ଓ ଉପରାଜ୍ୟପାଳ ବି ଦୁଇ ଥର ପରିବାରକୁ ଭେଟିଥିଲେ ।
ୟୁନୁସ କହିଥିଲେ, 'ଭାଉଜ ଯେତେବେଳେ ଏଠାକୁ ଆସିଥିଲେ, ସେତେବେଳେ ତାଙ୍କୁ କେବଳ ୨୦ ବର୍ଷ ହୋଇଥିଲା । ଗତ ୪୫ ବର୍ଷରୁ ସେ ଭାରତରେ ରହୁଛନ୍ତି । ତାଙ୍କ ପୁଅ ଦେଶର ପାଇଁ ନିଜ ବଳିଦାନ ଦେଇଛି । ତେଣୁ ଏପରି ନକରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ମୁଁ ନିବେଦନ କରୁଛି ।'
ଜମ୍ମୁ କାଶ୍ମୀର ପୋଲିସ ଯବାନ ମୁଦାସିର ଅହମଦ ଶେଖ ୨୦୨୨ରେ ପାକିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏକ ଅପରେସନରେ ସାମିଲ ଥିଲେ । ଏନକାଉଣ୍ଟର ବେଳେ ଆତଙ୍କୀଙ୍କ ଗୁଳରେ ମୁଦାସିରଙ୍କ ମୃତ୍ୟୁ ହୋଇଥିଲା । ମୁଦାସିରଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ରରେ ସମ୍ମାନିତ କରାଯାଇଥିଲା । ୨୦୨୩ରେ ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ମୁଦାସିରଙ୍କ ମାଆା ସମୀମା ପୁରସ୍କାର ଗ୍ରହଣ କରିଥିଲେ । ବାହାମୁଲାରେ ସହିଦ ମୁଦାସିରଙ୍କ ନାଁରେ ଏକ ଛକ ମଧ୍ୟ କରାଯାଇଛି ।