ପରଭଣୀ: ମହାରାଷ୍ଟ୍ର ପରଭଣୀ ଜିଲ୍ଲା ମାରୁତୀ ମନ୍ଦିର ପରିସରରେ ଥିବା ସଭାମଣ୍ଡପ ଛାତ ଭୁଶୁଡି ପଡିଛି। ଦୁର୍ଘଟଣା ସମୟରେ ମନ୍ଦିରରେ ଭକ୍ତଙ୍କ ଭିଡ ଥିଲା। ଛାତ ଖସିପଡିବା ଯୋଗୁ ୩୦-୪୦ ଜଣ ଶ୍ରଦ୍ଧାଳୁ ପୋତି ହୋଇପଡିଥିବା ଆଶଙ୍କା କରାଯାଉଛି। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏହି ଦୁର୍ଘଟଣାରେ ଅନୁନ୍ୟ ୭ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ମିଳିବାମାତ୍ରେ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଜନୈକ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଦୁର୍ଘଟଣା ପରଭଣୀ ଜିଲ୍ଲା ୟଶୱାଡୀ ଗାଁରେ ଥିବା ହନୁମାନ ମନ୍ଦିରରେ ଘଟିଛି। ଶନିବାର ଥିବାର ମନ୍ଦିରରେ ଭକ୍ତଙ୍କ ଭିଡ ଥିଲା ଓ ଏହି ସମୟରେ ସଭାମଣ୍ଡପର ଏକ ସ୍ଲାବ ଖସିପଡିଥିଲା। ଏହି ସ୍ଲାବ ତଳୁ ଏ ପର୍ଯ୍ୟନ୍ତ ୨୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଏହି ଗାଁଟି ଛତ୍ରପତି ଶମ୍ଭାଜୀ ନଗରରୁ ୧୯୦ କିଲୋମିଟର ଦୂର ମାନବତ ରୋଡରେ ରହିଛି। ଅଧିକାରୀ କହିଛନ୍ତି ଯେ ମନ୍ଦିରର ସଭା ମଣ୍ଡପ (ବାହାର ହଲ) ସ୍ଲାବ ଅପରାହ୍ନ ପ୍ରାୟ ସାଢେ ୩ଟା ବେଳେ ଖସିପଡିଥିଲା

ପୋଲିସ ଓ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ନିଜ ଟିମ୍ ପଠାଇଛନ୍ତି। ଉଦ୍ଧାରକାରୀ ଦଳ ପହଞ୍ଚିଥିବା ବେଳେ ଉଦ୍ଧାର ଅଭିଯାନ ଆରମ୍ଭ ହେବା ସହ ୨୫ ଜଣଙ୍କୁ ବାହାର କରାଯାଇଛି। ତେବେ ସଭାମଣ୍ଡପରେ ଦୁର୍ଘଟଣା ବେଳେ କେତେ ଲୋକ ଥିଲେ ତାର ସଠିକ ସୂଚନା ମିଳି ପାରୁନି। ଏଣୁ ମଣ୍ଡପର ଧ୍ୱଂସସ୍ତୁପ ତଳେ ଆଉ କେତେ ଲୋକ ଦବି ରହିଛନ୍ତି ତାହା ଅନୁମାନ କରି ହେଉନି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ ଏହି ଘଟଣା ଏତେ ଶୀଘ୍ର ହୋଇଥିଲା ଯେ ଲୋକେ ପଳାଇବାକୁ ବି ସମୟ ପାଇ ନଥିଲେ। ଛାତ ଧସିପଡିବା ମାତ୍ରେ ହଇଚଇସୃଷ୍ଟି ହୋଇଥିଲା ଓ ଲେକେ ନିଜନିଜ ସମ୍ପର୍କୀୟଙ୍କୁ ଖୋଜିବା ଆରମ୍ଭ କରିଥିଲେ।

ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ଛାତ ଖସିପଡିବାର ବିସ୍ତୃତ କାରଣ ଯାଞ୍ଚ ହେବ। ଏବେ ଛାତ ତଳେ ଦବି ରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଉପରେ ଜୋର ଦିଆଯାଉଛି। ଅଧିକାରୀମାନେ ଗୁଜବ ଉପରେ ଧ୍ୟାନ ନ ଦେବାକୁ ଓ ପ୍ରଶାସନିକ ସୂଚନା ଉପରେ ଭରସା କରିବାକୁ ନିବେଦନ କରାଯାଇଛି।