ବାଙ୍କୀ: ମହାନଦୀରେ ଏବେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ବାଙ୍କୀର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଛି। କଟକ ଜିଲ୍ଲା ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ୫ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି।ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବଢ଼ିଥିବା ଜଳସ୍ତରର ପ୍ରଭାବରେ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ବନ୍ୟାଜଳ ପ୍ରବେଶ କରିଛି। ସେବାୟତମାନେ ପରମ୍ପରା ଓ ନୀତିନିୟମ ଅନୁଯାୟୀ ମାଆଙ୍କ ଚଳନ୍ତି ପ୍ରତିମାକୁ ସୁରକ୍ଷିତ ଭାବେ ନିକଟସ୍ଥ ରତ୍ନଗିରି ପାହାଡ଼ରେ ଥିବା ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି।

ମନ୍ଦିର ପରିସରରେ ବନ୍ୟା ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ଓ ଦେବୋତ୍ତର ବିଭାଗର କର୍ତ୍ତୃପକ୍ଷ ନଜର ରଖିଛନ୍ତି। ଭକ୍ତମାନଙ୍କୁ ସତର୍କ ରହିବା ସହ ଅନାବଶ୍ୟକ ଭିଡ଼ ନ କରିବାକୁ ନିବେଦନ କରାଯାଇଛି।

ଦୁଇଦିନ ପୂର୍ବରୁ ମହାନଦୀର ଶାଖାନଦୀ ରଣ ନଦୀରେ ଜଳସ୍ତର ବୃଦ୍ଧି ହେବାରୁ ତାଳବସ୍ତ-ବିଲିପଡା ରାସ୍ତାରେ ୩ ଫୁଟରୁ ଅଧିକ ପାଣି ପ୍ରବାହିତ ହୋଇ ଯାତାୟାତ ଠପ୍ ହୋଇଥିଲା। ଗତକାଲି ରାତିରେ ବାଙ୍କୀ ବ୍ଲକ ର ହୁଳୁହୁଳା ପୋଲ ଉପରେ ୨ ଫୁଟ ପାଣି ପ୍ରବାହିତ ହୋଇଥିଲା। ଏହାଦ୍ୱାରା ବାଙ୍କୀ ବିନ୍ଧାଣୀମା ମୁଖ୍ୟ ରାସ୍ତା ବୁଡ଼ି ଯାତାୟାତ ମଧ୍ୟ ବନ୍ଦ ହୋଇଥିଲା।

also read- ଭାଙ୍ଗିଲା କପର୍ ଡ୍ୟାମ୍: ଖୋଲିଲା ୮ଟି ଗେଟ୍, ବୈତରଣୀ ତଳମୁଣ୍ଡରେ ଆସିବ ବନ୍ୟା

ହୁଳୁହୁଳାରେ ବନ୍ୟା ପାଣି ଗୁରୁବାର ସକାଳୁ ୫ ଫୁଟରୁ ଅଧିକ ପ୍ରବାହିତ ହେଉଛି। ଯେଉଥିପାଇଁ ଉତ୍ତର ବାଙ୍କୀର ତିନି ପଞ୍ଚାୟତ ବାଙ୍କୀରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ସେହିପରି ପଥପୁର ପଞ୍ଚାୟତର ଦୁଇ ଗାଁ କଇଁମୁଣ୍ଡି ଓ ଚାରିଘରିଆ ଏବେ ସମ୍ପୂର୍ଣ୍ଣ ପାଣି ଘେରରେ ରହିଛି। ଲୋକ ମାନେ ଗୃହପାଳିତ ଜନ୍ତୁଙ୍କୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।