ଭୋପାଳ: ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ପ୍ରାକୃତିକ କ୍ଷୀର ଜାତ ଦ୍ରବ୍ୟର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶ ସରକାର 'ଏନାଲଗ୍ ପନୀର' (Analog Paneer) ର ଉତ୍ପାଦନ, ବିକ୍ରି ଏବଂ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ଖାଦ୍ୟ ଓ ବେସାମରିକ ଯୋଗାଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛନ୍ତି।

ମହାରାଷ୍ଟ୍ର, ଗୁଜରାଟ ଏବଂ ଛତିଶଗଡ଼ ପରେ ମଧ୍ୟପ୍ରଦେଶ ଚତୁର୍ଥ ରାଜ୍ୟ ଭାବରେ ଏହି ନକଲି କିମ୍ବା କୃତ୍ରିମ ପନୀରକୁ ନିଷିଦ୍ଧ କରିଛି। ଏନାଲଗ୍ ପନୀର ହେଉଛି ପ୍ରାକୃତିକ କ୍ଷୀର ପନୀରର ଏକ ଶସ୍ତା ବିକଳ୍ପ। ଏହାକୁ ପ୍ରସ୍ତୁତ କରିବା ପାଇଁ ଶୁଦ୍ଧ କ୍ଷୀର ବଦଳରେ କିମ୍ବା କ୍ଷୀର ସହିତ ପନିପରିବା ତେଲ ଏବଂ ଷ୍ଟାର୍ଚର ମିଶ୍ରଣ କରାଯାଇଥାଏ। ଏହାର ଦାମ୍ କମ୍ ଥିବାରୁ ବଜାରରେ, ବିଶେଷ କରି ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡ଼ିକରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି।

ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ବିଭିନ୍ନ ରେଷ୍ଟୁରାଣ୍ଟ ଓ ଭୋଜିରେ ପ୍ରତିମାସରେ ପ୍ରାୟ ୯,୦୦୦ ରୁ ୧୨,୦୦୦ କ୍ୱିଣ୍ଟାଲ ଏନାଲଗ୍ ପନୀର ବ୍ୟବହୃତ ହେଉଥିଲା। ଜାତୀୟ ମାନବାଧିକାର କମିଶନ (NHRC) ଏହି କୃତ୍ରିମ ପନୀର ବିକ୍ରିକୁ ନେଇ ଚିନ୍ତାପ୍ରକଟ କରିଥିଲେ। କମିଶନର ସଦସ୍ୟ ପ୍ରିୟଙ୍କ କାନୁନ୍‌ଗୋ ଗତମାସରେ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଏହାକୁ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଦର୍ଶାଇ ବ୍ୟାନ କରିବାକୁ ଅନୁରୋଧ କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି, ‘ଅନ୍ୟ ରାଜ୍ୟ ଭଳି ଆମେ ମଧ୍ୟପ୍ରଦେଶରେ ଏନାଲଗ୍ ପନୀରକୁ ବ୍ୟାନ୍ କରୁଛୁ। ଆମେ ରାଜ୍ୟରେ ପ୍ରାକୃତିକ କ୍ଷୀର ଉତ୍ପାଦନ ବୃଦ୍ଧି କରିବୁ ଏବଂ କ୍ଷୀରରୁ ପ୍ରାକୃତିକ ଉପାୟରେ ଶୁଦ୍ଧ ପନୀର ତିଆରି କରିବାକୁ ପ୍ରୋତ୍ସାହିତ କରିବୁ।’ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଖାଦ୍ୟ ସୁରକ୍ଷା ବିଭାଗ ସଜାଗ ହୋଇପଡ଼ିଛି। ରାଜ୍ୟର ବିଭିନ୍ନ ଡାଏରୀଗୁଡ଼ିକରେ ପ୍ରସ୍ତୁତ ହେଉଥିବା ପନୀରର ଗୁଣବତ୍ତା ଯାଞ୍ଚ କରିବା ସହ ଏନାଲଗ୍ ପନୀରକୁ ତୁରନ୍ତ ଜବତ କରିବାକୁ ଜିଲ୍ଲା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ଏହି ନିର୍ଦ୍ଦେଶକ୍ରମେ ଇନ୍ଦୋରଠାରେ ଏକ ଡାଏରୀ କାରଖାନା ଉପରେ ଚଢ଼ାଉ କରାଯାଇ ୪୫୦ କିଲୋଗ୍ରାମ ଏନାଲଗ୍ ପନୀର ଜବତ କରାଯାଇଛି।