ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମା' ସାଆନ୍ତାଣି

Published By : Prameya-News7 Bureau | April 29, 2025 IST

ବ୍ରହ୍ମପୁର ୨୯।୦୪ : ସରିଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢ଼ୀ ଠାକୁରାଣୀ ଯାତ୍ରା, ବାପା ଘରୁ ବିଦାୟ ନେଲେ ମା' ସାଆନ୍ତାଣି, ଭୋରୁ ଭୋରୁ ପହଞ୍ଚିଲେ ଶାଶୁ ଘରେ, ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡିଲେ ଶ୍ରଦ୍ଧାଳୁ। 

୨୫ ଦିନ ଧରି ଚାଲିଥିଲା ମା'ଙ୍କ ଯାତ୍ରା। ମା'ଙ୍କ ବିଦାୟ ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲେ ଶ୍ରଦ୍ଧାଳୁ। ମାଆଙ୍କ ସହ ସହସ୍ରାଧିକ ମାନସିକ ଘଟଧାରୀ ଭ୍ରମଣ କରିଥିଲେ। ବାଜା ବାଜଣା, ଢୋଲ ନାଦରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ହଜାର ହଜାର ଭକ୍ତଙ୍କ ଗହଣରେ ମାଆ ନେଲେ ବିଦାୟ। ରାତି ପ୍ରାୟ ୧ଟା ୨୦ ମିନିଟ୍ ରେ ମାଆ ବାପା ଘରୁ ବିଦାୟ ନେଇଥିଲେ। ଅସ୍ଥାୟୀ ପୀଠରୁ ଅସ୍ଥାୟୀ ଘଟରେ ଧାରଣ କରିଥିବା ମାଆ ବାହାରିଥିଲେ ଶାଶୁ ଘର ଅଭିମୁଖେ। ଶ୍ରଦ୍ଧାଳୁ ମାନେ ଭାବ ବିହ୍ଵଳ ହୋଇପଡ଼ିଥିଲେ। 

ବାପା ଘରକୁ ହସ ଖୁସିରେ ଝିଅ ଆସିଥିବା ଏବଂ ବିଦାୟ ବେଳେ ଯେମିତି ଦୁଃଖ ଲାଗେ ମାଆ ମଧ୍ୟ ସେମିତି ବିଦାୟ ନେଲା ବେଳେ ଦୁଃଖ ଲାଗିଥିବା କହିଛନ୍ତି ଶ୍ରଦ୍ଧାଳୁ। ମାଆଙ୍କ ମୁଖ୍ୟ ଘଟ ସହ ୮ଟି ପାର୍ଶ୍ୱ ଘଟ ବାହାରିଥିଲେ। ପୁଣି ଦୁଇବର୍ଷ ପରେ ଝିଅକୁ ଆଣିବା ପାଇଁ ଅପେକ୍ଷା କରିଛି ବୋଲି ବାପା ଦେଶିବେହେରା କହିଛନ୍ତି। ମାଆଙ୍କ ସହ ସାଥିରେ ହଜାର ହଜାର ମାନସିକ ମହିଳା ଘଟଧାରୀ ସ୍ଥାୟୀ ମନ୍ଦିର ଅଭିମୁଖେ ଯାଇଛନ୍ତି। 

ବିଦାୟ ବେଳେ ମାଆ ପ୍ରଥମେ ରାଜବାଟୀରେ ରାଜ ଦର୍ଶନ କରି ବିଭିନ୍ନ ସାହି ଭ୍ରମଣ କରିଥିଲେ। ଏହାରି ଭିତରେ ଜଉରା ସାହିସ୍ଥିତ ମାଉସୀ ମାଆ ଘରେ ପହଂଚି ପୋଡ଼ ପିଠା ଖାଇ କିଛି ସମୟ ବିଶ୍ରାମ ନେଇଥିଲେ ମାଆ ସାଆନ୍ତାଣି। ଭୋରୁ ଭୋରୁ ଶାଶୁ ଘର ଅର୍ଥାତ ମୁଖ୍ୟ ପୀଠରେ ପହଂଚିବା ପରେ ମୁଖ୍ୟ ଘଟ ମନ୍ଦିର ଚାରିପାଖେ ପରିକ୍ରମା କରିଥିଲେ। ଘଟରୁ ଆଜ୍ଞାମାଳକୁ ବାହର କରାଯାଇ ମାଆଙ୍କ ମସ୍ତକରେ ପୁନଃ ସ୍ଥାପନ କରାଯିବା ପରେ ରୀତିନୀତି ଅନୁସାରେ ପୂଜାର୍ଚନା ଆରମ୍ଭ ହୋଇଛି। 

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.