ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି, ପାର୍ଲରରୁ ଫେରିବା ବାଟରେ କନ୍ୟା ଅପହରଣ ଅଭିଯୋଗ

Published By : Prameya-News7 Bureau | April 29, 2025 IST

ଆନନ୍ଦପୁର : ବଣ୍ଟା ସରିଥିଲା ନିମନ୍ତ୍ରଣ କାର୍ଡ । ଗାଁ ଦାଣ୍ଡରେ ବନ୍ଧା ସରିଥିଲା ବେଦୀ । ବିବାହର ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିଲା । ଦିନକ ପରେ ପଡ଼ିଥାନ୍ତା ହାତଗଣ୍ଠି । କିନ୍ତୁ ସବୁ ହୋଇଗଲା ଓଲଟ ପାଲଟ । ପାର୍ଲରକୁ ସଜ ହେବାକୁ ଯାଇ ଘରକୁ ଫେରିଲେନି ଯୁବତୀ । ଫେରିବା ବାଟରେ ହୋଇଗଲେ କିଡନାପ୍ । ଏମିତି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳରୁ । ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି ପୋଲିସ । 

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅଞ୍ଚଳର ଜଣେ ଯୁବତୀଙ୍କର ବିବାହ ପାଇଁ ଲଗ୍ନ ଧରାସରିଥିଲା । ୩୦ ତାରିଖରେ ପଡିଥାନ୍ତା ହାତଗଣ୍ଠି । କିନ୍ତୁ ବିବାହ ପୂର୍ବରୁ କନ୍ୟା ହୋଇଗଲେ ଅପହରଣ । ସୋମବାର ଅପରାହ୍ନ ସମୟରେ କନ୍ୟା ଜଣଙ୍କ ନିଜ ଭାଇ ସହ ନିକଟସ୍ଥ ବଜାରରେ ଥିବା ପାର୍ଲରକୁ ଯାଇଥିଲେ । ପାର୍ଲରରୁ କାମ ସାରି ସେ ଏକା ଘରକୁ ଫେରୁଥିଲେ । ସେହି ସମୟରେ ଜଣେ ଯୁବକ ତାଙ୍କୁ ଅପହରଣ କରିନେଇଥିବା ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । 

ସେପଟେ ଘଷିପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପଚରାଉଚରା କରିବା ବେଳେ ଜଣେ ଯୁବକଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ତେବେ ଯୁବତୀ ଜଣଙ୍କୁ ଏକତରଫା ପ୍ରେମ ପାଇଁ ଅପହରଣ କରାଯାଇ ଥାଇପାରେ ବୋଲି ଅନୁମାନ କରାଯାଉଛି । କିନ୍ତୁ ସେ ସମ୍ପର୍କରେ କିଛି ସ୍ପଷ୍ଟ ତଥ୍ୟ ମିଳିପାରିନାହିଁ । ପୋଲିସର ତଦନ୍ତ ଏବଂ ଯୁବତୀଜଣଙ୍କ ମିଳିବା ପରେ ଘଟଣା ସମ୍ପର୍କରେସ୍ପଷ୍ଟ ହୋଇପାରିବ ।

You Can Read:

ହୋଟେଲ ରୁମ୍‌ରୁ ତଳକୁ ଡେଇଁଲେ ଯୁବକ, ଜଣାପଡ଼ିନି କାରଣ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.