ନୂଆଦିଲ୍ଲୀ ୧୬।୦୯; ଆମେରିକାର ଲସ୍ ଆଞ୍ଜେଲସ୍ରେ ପୁଣି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣା ସାନ୍ ଫର୍ଣ୍ଣାଣ୍ଡୋ ଭ୍ୟାଲିର ଚାଟସ୍ୱର୍ଥ ଅଞ୍ଚଳରେ ଘଟିଛି । ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଅଗ୍ନିଶମ ବିଭାଗ। ତେବେ ହେଲିକପ୍ଟରଟି କେଉଁ ନ୍ୟୁଜ୍ ଚ୍ୟାନେଲର ଥିଲା, ସେନେଇ ଏପର୍ଯ୍ୟନ୍ତ ଆସିନାହିଁ ସରକାରୀ ସ୍ପଷ୍ଟୀକରଣ।

ସୂଚନା ଅନୁସାରେ, ଚାଟସ୍ୱର୍ଥ ଅଞ୍ଚଳର ନର୍ଥ ମେସନ୍ ଆଭେନ୍ୟୁର ୯୧୦୦ ବ୍ଲକ୍ ନିକଟରେ ଘଟିଛି ଏହି ଦୁର୍ଘଟଣା।ଦୁଇଟି ବାଣିଜ୍ୟିକ କୋଠା ମଧ୍ୟରେ ଥିବା ଅଞ୍ଚଳରେ ହେଲିକପ୍ଟରଟି ଖସିପଡ଼ିଥିଲା। ତଳେ ରହିଥିବା ଦୁଇଟି ସିପିଂ କଣ୍ଟେନର ଏବଂ ଏକାଧିକ ଗାଡ଼ି ଉପରେ ମଧ୍ୟ ଏହା ପଡ଼ିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଲାଗିଯାଇଥିଲା ଭୟଙ୍କର ନିଆଁ। ଚାରିଆଡ଼େ ଧୂଆଁ ଓ ଆତଙ୍କର ମାହୋଲ୍। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗର କର୍ମଚାରୀ। ଆରମ୍ଭ ହୋଇଥିଲା ନିଆଁ ଲିଭାଇବା ଓ ଉଦ୍ଧାର କାର୍ଯ୍ୟ।

ନିଆଁ ନିୟନ୍ତ୍ରଣକୁ ଆସିବା ପରେ ଘଟଣାସ୍ଥଳର ଭୟାବହ ଚିତ୍ର ସାମ୍ନାକୁ ଆସିଥିଲା। ଅଗ୍ନିଶମ କର୍ମଚାରୀ ଏବଂ ଲସ୍ ଆଞ୍ଜେଲସ୍ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିଲେ। ଲସ୍ ଆଞ୍ଜେଲସ୍ ଅଗ୍ନିଶମ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ତେବେ ହେଲିକପ୍ଟରରେ ଦୁର୍ଘଟଣା ସମୟରେ ମୋଟ କେତେ ଜଣ ଥିଲେ, ସେନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ। ଏପରିକି ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରଟି କେଉଁ ନ୍ୟୁଜ୍ ଚ୍ୟାନେଲର ଥିଲା, ତାହା ମଧ୍ୟ ଅଧିକାରିକ ଭାବେ ସ୍ପଷ୍ଟ ହୋଇନାହିଁ।