ନୂଆଦିଲ୍ଲୀ: ବାଂଲାଦେଶର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ତାରିକ ରହମାନଙ୍କ ଶପଥଗ୍ରହଣ ସମାରୋହକୁ ଯିବେନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବରଂ ତାଙ୍କ ବଦଳରେ ଲୋକସଭା ବାଚସ୍ପତି ଓମ ବିର୍ଲା ବାଂଲାଦେଶ ଯିବେ। ତାଙ୍କ ସହ ବିଦେଶ ସଚିବ ବିକ୍ରମ ମିସ୍ତ୍ରୀ ମଧ୍ୟ ରହିବେ। ଏହି ସମାରୋହ ଫେବ୍ରୁଆରୀ ୧୭ରେ ଢାକାର ରାଷ୍ଟ୍ରୀୟ ସଂସଦ ଭବନର ସାଉଥ ପ୍ଲାଜାରେ ଆୟୋଜିତ ହେବ।

ରିପୋର୍ଟ ଅନୁସାରେ, ଏହି ପ୍ରତିନିଧିମଣ୍ଡଳ ଭାରତ- ବାଂଲାଦେଶର ଗଭୀର ଏବଂ ସ୍ଥାୟୀ ବନ୍ଧୁତାକୁ ରେଖାଙ୍କିତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆମନ୍ତ୍ରଣ ମିଳିଥିଲା। କି୍ନତୁ ସେ ମୁମ୍ବାଇରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ଏବଂ ଦିଲ୍ଲୀରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମିଟର ପ୍ରସ୍ତୁତି କାରଣରୁ ଯାଇପାରିବେନାହିଁ।

ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରୀ ୧୩ରେ ତାରିଖ ରହମାନଙ୍କୁ ଫୋନ୍ରେ ଶୁଭେଚ୍ଛା ଜଣାଇଥିଲେ। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ପ୍ରଫେସର ମହମ୍ମଦ ୟୁନୁସ ୧୩ ଦେଶର ନେତାଙ୍କୁ ଆମନ୍ତ୍ରିତ କରଥିଲେ। ଯେଉଁଥିରେ ଚୀନ, ପାକିସ୍ତାନ, ସାଉଦି ଆରବ ଏବଂ ମାଲେସିଆ ଭଳି ଦେଶ ସାମିଲ ରହିଛି। ଭାରତ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳକୁ ପଠାଇବା ନିଷ୍ପତ୍ତି ଦୁଇ ଦେଶ ମଧ୍ୟରେ ଏକ ନୂଆ ଆରମ୍ଭର ପ୍ରତୀକ। ବିଏନପି ସବୁବେଳେ ଭାରତ ସହ ସନ୍ତୁଳିତ ସମ୍ପର୍କ ଉପରେ ଜୋର ଦେଇଛି ଆଉ ରହମାନ କହିଛନ୍ତି ଯେ, ସେ କୌଣସି ଗୋଟିଏ ଦେଶ ଉପରେ ଅତ୍ୟଧିକ ନିର୍ଭରତା ରଖିବେନି। ବରଂ ବ୍ୟାପକ ଅନ୍ତର୍ଜାତୀ ବୁଝାମଣା କରିବେ।

ସେହିଭଳି ଏହି ଶପଥ ଗ୍ରହଣ ସମାରୋହ ବାଂଲାଦେଶରେ ଲୋକତନ୍ତ୍ର ପ୍ରତ୍ୟାବର୍ତ୍ତନର ପ୍ରତୀକ ବୋଲି କୁହାଯାଉଛି। ତାରିକ ରହମାନ ଯୁବକଙ୍କ ଆକାଂକ୍ଷାକୁ ପୂରା କରିବା, ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଏବଂ ରୋଜଗାର ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇଛନ୍ତି। ଭାରତ ପାଇଁ ବାଂଲାଦେଶ ଏକ ମହତ୍ବପୂର୍ଣ୍ଣ ପଡ଼ୋଶୀ। ଦୁଇ ଦେଶର ଇତିହାସ, ସଂସ୍କୃତି ତଥା ସୀମା ସହ ଜଡ଼ିତ। ଓମ୍ ବିର୍ଲା ଏବଂ ଏବଂ ବିକ୍ରମ ମିସ୍ତ୍ରୀଙ୍କ ଉପସ୍ଥିତିରେ ବାଣିଜ୍ୟ, ସୁରକ୍ଷା, ଜଳ ସମ୍ବଳ ଏବଂ ସାଂସ୍କୃତିକ ଆଦାନ- ପ୍ରଦାନକୁ ନୂଆ ଗତି ମିଳିବା ନେଇ ଆଶା କରାଯାଉଛି। ଦୁଇ ଦେଶ ଏକାଠି ହୋଇ ଆଞ୍ଚଳିକ ସ୍ଥିରତା ଏବଂ ସମୃଦ୍ଧି ପାଇଁ କାମ କରିବେ। ଯାହା ଦକ୍ଷିଣ ଏସିଆର ଭବିଷ୍ୟତର ପାଇଁ ଗୁରୁତ୍ବପୂର୍ଣ୍ଣ।