ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାରଠୁ ନାମାଙ୍କନ; ୮୮ ଲୋକସଭା ସିଟ୍‌ରେ ଦାଖଲ ହେବ ପ୍ରାର୍ଥିପତ୍ର

Published By : Prameya-News7 Bureau | March 28, 2024 IST

ନୂଆଦିଲ୍ଲୀ: ୧୮ତମ ଲୋକସଭା ନିର୍ବାଚନ ଏପ୍ରିଲ୍ ୧୯ ତାରିଖରୁ ଆରମ୍ଭ ହେବ । ଜୁନ ପହିଲାରେ ଶେଷ ହେବ ଭୋଟିଂ । ଏହାର ତିନି ଦିନ ପରେ ଅର୍ଥାତ୍ ଜୁନ ୪ ତାରିଖରେ ନିର୍ବାଚନ ଫଳାଫଳ ବାହାରିବ । ବିଶ୍ବର ସବୁଠୁ ବଡ଼ ଲୋକତନ୍ତ୍ରରେ ସରକାର ଗଢ଼ିବ ତାହା ଉପରେ ସମସ୍ତ ନଜର ରହିଛି । ତେବେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ଯାଞ୍ଚ ହେଉଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଭରିବା ପ୍ରକ୍ରିୟା ଆରମ୍ଭ ହେଇଛି । ୧୨ ରାଜ୍ୟର ୮୮ ସଂସଦୀୟ କ୍ଷେତ୍ରରେ ପ୍ରାର୍ଥିପତ୍ର ଭରିବେ ପ୍ରାର୍ଥୀ । ଏପ୍ରିଲ୍ ୨୬ତାରିଖରେ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଛନ୍ତି । ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ । ଜାମ୍ମୁ-କଶ୍ମୀରକୁ ଛାଡ଼ି ବାକି ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏପ୍ରିଲ ୫ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ରିମାଣ୍ଡ୍ ଅବଧି ଶେଷ; କୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେବେ ମୁଖ୍ୟମନ୍ତ୍ରୀ

ଦ୍ବିତୀୟ ପର୍ଯ୍ୟାୟରେ ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ହେବ । ଏଥିରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ କେରଳ ଭଳି ରାଜ୍ୟ ରହିଛି । ଯେଉଁଠି ବିଜେପି ସହିତ ବିରୋଧୀ ଦଳମାନଙ୍କର କଡ଼ା ଟକ୍କର ହେବ । ଦ୍ବିତୀୟ ପର୍ଯ୍ୟାୟରେ  ଆସାମରେ ୫ ଲୋକସଭା ଆସନ, ବିହାରରେ ୫ ସଂସଦୀୟ କ୍ଷେତ୍ର, ଛତିଶଗଡ଼ରେ ୩, କର୍ଣ୍ଣାଟକରେ ୧୪, କେରଳରେ ୨୦, ମଧ୍ୟପ୍ରଦେଶରେ ୭, ମହାରାଷ୍ଟ୍ରରେ ୮, ରାଜସ୍ଥାନରେ ୧୩, ଉତ୍ତରପ୍ରଦେଶରେ ୮, ପଶ୍ଚିମବଙ୍ଗରେ ୩, ମଣିପୁରରେ ୧, ତ୍ରିପୁରାରେ ୧ ଏବଂ ଜାମ୍ମୁ-କାଶ୍ମୀରରେ ୧ ଲୋକସଭା ସିଟରେ ଭୋଟିଂ ହେବ ।  

 

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.