ସରିଲା କଂଗ୍ରେସ ନିର୍ବାଚନ କମିଟି ବୈଠକ: ଏବେ ବି ସସ୍‌ପେନ୍ସରେ ଅମେଠୀ ଓ ରାଇବରେଲି

Published By : Prameya-News7 Bureau | April 27, 2024 IST

ନୂଆଦିଲ୍ଲୀ: ଶନିବାର ବସିଥିବା କଂଗ୍ରେସର ନିର୍ବାଚନ କମିଟି ବୈଠକ ଶେଷ ହୋଇଛି। ହେଲେ ଆଜି ବି ଉତ୍ତର ପ୍ରଦେଶର ଅମେଠି ଓ ରାଇବରେଲି ଆସନକୁ ନେଇ କୌଣସି ନିଷ୍କର୍ସ ବାହାରି ପାରିଲା ନାହିଁ। ଏହି ଦୁଇଟି ଆସନରେ ଦଳ ପ୍ରାର୍ଥୀ ଘୋଷଣା କରି ନାହିଁ। ଆଜି ହୋଇଥିବା ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯିବାର ଥିଲା। ହେଲେ ଏବେ ବି ସସ୍‌ପେନ୍ସ ଜାରି ରହିଛି। 

ବିଳମ୍ବିତ ରାତିରେ ହୋଇଥିବା କଂଗ୍ରେସ ନିର୍ବାଚନ କମିଟି ବୈଠକରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ଦଳର ଅନ୍ୟ ବଡ଼ ନେତାମାନେ ସାମିଲ୍ ହୋଇଥିଲେ। ଏଥିରେ ଅମେଠୀରୁ ରାହୁଲ ଗାନ୍ଧୀ ଓ ରାଇବରେଲିରୁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରାର୍ଥୀ କରିବାକୁ ସିଇସି ସଦସ୍ୟମାନେ ଦାବି କରିଛନ୍ତି। ହେଲେ ନିଷ୍ପତ୍ତି ଅଧ୍ୟକ୍ଷଙ୍କ ଉପରେ ରହିଛି।  

ଶୁଣିବାକୁ ମିଳୁଛି ଯେ ଆଉ ଦିନେ କିମ୍ବା ଦୁଇଦିନ ମଧ୍ୟରେ ଏହି ଦୁଇ ଆସନରୁ ପ୍ରାର୍ଥୀ ଘୋଷଣା ହେବ। ତେବେ ରାହୁଲ ଓ ପ୍ରିୟଙ୍କା ନିର୍ବାଚନ ଲଢ଼ିବା ନେଇ ସସ୍‌ପେନ୍ସ ଜାରି ରହିଛି। ଆଜିର ବୈଠକର ପଞ୍ଜାବରେ ୫ ଆସନରେ ପ୍ରାର୍ଥୀ ଦେବା ନେଇ ମଧ୍ୟ ଆଲୋଚନା ହୋଇଛି। ହେଲେ କୌଣସି ନିଷ୍ପତ୍ତି ସାମ୍ନାକୁ ଆସିପାରି ନାହିଁ। 
ଅମେଠୀ ଓ ରାଇବରେଲି ହେଉଛି କଂଗ୍ରେସର ପୈତୃକ ଗଡ଼। ଏଠାରୁ ଇନ୍ଦିରା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ବହୁ ବଡ଼ ବଡ଼ କଂଗ୍ରେସ ନେତା ନିର୍ବାଚନ ଲଢ଼ି ବିଜୟୀ ହୋଇଛନ୍ତି। ରାହୁଲ ଗାନ୍ଧୀ ୨୦୧୯ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଅମେଠୀରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ଅନ୍ୟପଟେ ରାଇବରେଲିରୁ ନିର୍ବାଚନ ଜିତୁଥିବା ସୋନିଆ ଗାନ୍ଧୀ ଏଥର ରାଜ୍ୟସଭାକୁ ଯିବା ପରେ ଏହି ଆସନ ଖାଲି ପଡ଼ିଛି। ତାଙ୍କ ସ୍ଥାନରେ ଝିଅ ପ୍ରିୟଙ୍କା ଏଠାରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ତେବେ କେତେକାଂସରେ ପ୍ରିୟଙ୍କାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କ ନାଁ ବି ଆସୁଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.