ନୂଆଚାରଣ ଭୂମି ପାଇଁ ପଶୁଚରାଳି ଲଗେଇ ଦେଲେ ନିଆଁ, ଏବେ ଜଳୁଛି ପୁରା ନୈନିତାଲ ଜଙ୍ଗଲ

Published By : Prameya-News7 Bureau | April 27, 2024 IST

ନୈନିତାଲ ୨୭।୪: ଉତ୍ତରାଖଣ୍ଡ ନୈନିତାଲ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ଭୟାନକ ରୂପ ଧାରଣ କରିଛି। ଜଙ୍ଗଲ ନିଆଁ ଏବେ ନୈନିତାଲ ହାଇକୋର୍ଟ କଲୋନୀ ପର୍ଯ୍ୟନ୍ତ ପହଞ୍ଚିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ସହାୟତା ନିଆଯାଉଛି। ଜଙ୍ଗଲରେ ନିଆଁ ଲାଗିବାର ୩୬ ଘଣ୍ଟା ବିତିଗଲାଣି ହେଲେ ବନ ବିଭାଗ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇଛି। ନିଆଁ ଲାଗିବା ଯୋଗୁ ହେକ୍ଟର ହେକ୍ଟର ଜଙ୍ଗଲ ଜଳି ପାଉଁଶ ହୋଇଗଲାଣି। ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। 

ନୈନିତାଲ ଜଙ୍ଗଲରେ ଲାଗିଥିବା ନିଆଁ ପାଇଁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ସବୁ ଅଧିକାରୀଙ୍କୁ ସତର୍କ ରହିବା ସହ ସୁରକ୍ଷା ନିମନ୍ତେ ସବୁପ୍ରକାର ଜରୁରି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଖୋଲୀ ଓ ରୁଦ୍ରପ୍ରୟାଗ ଜଙ୍ଗଲେ ନିଆଁ ଲାଗିଛି। ଏହି ଜଙ୍ଗଲରେ ତଡିଆଲ ଗାଁର ନରେଶ ଭଟ୍ଟକୁ ନିଆଁ ଲଗାଉଥିବା ବେଳେ ପୋଲିସ ଗିରଫ କରିଛି। ନରେଶ ଜଣେ ମେଷ ପାଳକ ଓ ସେ ତା ପଶୁଙ୍କ ନିମନ୍ତେ ନୂଆ ଘାଷ ପାଇଁ ନିଆଁ ଲଗାଇଥିବାର କହିଛି। 


ନୈନିତାଲ ଜିଲ୍ଲା ମୁଖ୍ୟଳୟକୁ ଲାଗି ରହିଥିବା ଜଙ୍ଗଲରେ ନିଆଁ ବ୍ୟାପିବା ଯୋଗୁ ପାଇନସ ଅଞ୍ଚଳରେ ଥିବା ହାଇକୋର୍ଟ କଲୋନୀ ବାସିନ୍ଦାଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ଏଥି ଲାଗି ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ନିଆଁ ଦି ପାଇନ୍ସ ନିକଟରେ ଥିବା ଏକ ପରିତ୍ୟକ୍ତ ଘରକୁ ପାଉଁଶ କରିଦେଇଛି। ଏଥି ଯୋଗୁ ହାଇକୋର୍ଟ କଲୋନୀର କୌଣସି କ୍ଷତି ହୋଇ ନାହିଁ ତେବେ ନିଆଁ ବିପଦଜନକ ଭାବେ ଘର ନିକଟକୁ ପହଞ୍ଚିଗଲାଣି। 


ନୈନିତାଲ ବନ ଅଧିକାରୀ ଚନ୍ଦ୍ରଶେଖର ଯୋଶୀ କହିଛନ୍ତି ଯେ ନିଆଁ ଲିଭାଇବା ପାଇଁ ମନୋରା ରେଞ୍ଜରେ ୨ ରେଞ୍ଜରଙ୍କ ସମେତ ୪୦ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଉତ୍ତରାଖଣ୍ଡ ବନବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ରାଜ୍ୟର କୁମାଉଁ ରେଞ୍ଜ ଜଙ୍ଗଲରେ ନିଆଁ ଲାଗିବାର ୨୬ଓ ଗଡବାଲ କ୍ଷେତ୍ରରେ ୫ଟି ଘଟଣା ସାମ୍ନାକୁ ଆସିଛି। ନିଆଁ ଲାଗିବା ଯୋଗୁ ୩୩.୩୪ ହେକ୍ଟର ବନାଞ୍ଚଳ ପ୍ରଭାବିତ ହୋଇଛି। ଉତ୍ତରାଖଣ୍ଡରେ ଗତବର୍ଷ ନଭେମ୍ବରରୁ ଏପର୍ଯ୍ୟନ୍ତ ନିଆଁ ଲାଗିବାର ୫୭୫ଟି ଘଟଣା ସାମ୍ନାକୁ ଆସିଲାଣି। ଫଳରେ ୫୮୯.୮୯ ହେକ୍ଟର ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.