ନୂଆଦିଲ୍ଲୀ: ରୋଷେଇ ଗ୍ୟାସର ଅଭାବ ଯୋଗୁ ଦେଶରେ ସିଲିଣ୍ଡରର କଳାବଜାରୀ ବୃଦ୍ଧି ପାଇଛି। ଅଭାବ ଏବଂ ବିତରଣ ବିଳମ୍ବ ଯୋଗୁ ଦେଶର ପ୍ରାୟ ୨୦% ପରିବାର ବ୍ଲାକ୍‌ରେ ସିଲିଣ୍ଡର କିଣିବାକୁ ପଡ଼ୁଛି। ଆଉ ଏଥିପାଇଁ ତାଙ୍କୁ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼ୁଛି।

ଭାରତୀୟ ସର୍ଭେ ଏବଂ ଗବେଷଣା ସଂସ୍ଥା LocalCircles ଦ୍ୱାରା ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ଅନୁଯାୟୀ, ବ୍ଲାକ୍ରେ ସିଲିଣ୍ଡର କିଣିବା ଲୋକଙ୍କ ସଂଖ୍ୟା ଗତ ସପ୍ତାହ ତୁଳନାରେ ୬% ବୃଦ୍ଧି ପାଇଛି। ସର୍ଭେରୁ ଜଣାପଡିଛି ଯେ ଏହି ସପ୍ତାହରେ ୬୮% ଭାରତୀୟ ପରିବାରଙ୍କୁ ବିଳମ୍ବିତ ଗ୍ୟାସ ଡେଲିଭରିର ସାମ୍ନା କରିବାକୁ ପଡ଼ିଛି। ଗତ ସପ୍ତାହରେ ୫୭% ଲୋକଙ୍କୁ ଏହି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Also read- Iranian Navy guided India's LPG vessel: ଭାରତର ଗ୍ୟାସ ଓ ଏଲ୍ପିଜି ବୋଝେଇ ଜାହାଜକୁ ହରମୁଜ୍ରେ ସୁରକ୍ଷା ଦେଇ ପଠାଇଥିଲା ଇରାନୀ ନୌସେନା: ମିଡିଆ ରିପୋର୍ଟ

ଆମେରିକା ଏବଂ ଇସ୍ରାଏଲ ସହିତ ଇରାନର ଚାଲିଥିବା ଯୁଦ୍ଧ ଏବଂ ହର୍ମୁଜ୍ ରୁଟ୍ ବନ୍ଦ ହେବା ଦ୍ୱାରା ଭାରତର ଗ୍ୟାସ ଆମଦାନୀ ପ୍ରଭାବିତ ହୋଇଛି। ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ ପାନିକ ବୁକିଂ ଯଦିଓ କମିଛି କିନ୍ତୁ ପରିସ୍ଥିତି ଏବେ ବି ଚିନ୍ତାଜନକ ରହିଛି।

ବ୍ଲାକ୍ରେ,୦୦୦ ଟଙ୍କାରେ ମିଳୁଛି ସିଲିଣ୍ଡର

ସର୍ଭେ ଅନୁଯାୟୀ, ଗ୍ୟାସ୍ ଅଭାବ ଯୋଗୁ, ଗତ ସପ୍ତାହ ମଧ୍ୟରେ ବ୍ଲାକ୍ରେ ସିଲିଣ୍ଡର କିଣିବା ଲୋକଙ୍କ ସଂଖ୍ୟା ୧୪% ରୁ ୨୦% କୁ ବୃଦ୍ଧି ପାଇଛି। ନିର୍ଦ୍ଧାରିତ ମୂଲ୍ୟ ଅପେକ୍ଷା ଲୋକେ ₹୩୦୦୦ ରୁ ₹୪୦୦୦ ପର୍ଯ୍ୟନ୍ତ ଅଧିକ ମୂଲ୍ୟ ଦେଉଛନ୍ତି। କେଉଁ କେଉଁଠି ୫ ହଜାର ଟଙ୍କା ପର୍ଯ୍ୟନ୍ତ ବି ଦେବାକୁ ପଡ଼ୁଛି ବୋଲି ସର୍ଭେ କହିଛି।

ସିଲିଣ୍ଡରନ ଦେଇ ବି ଆସୁଛି ଡେଲିଭରି ମେସେଜ୍

ଗ୍ୟାସ ଯୋଗାଣକୁ ସ୍ୱଚ୍ଛ କରିବା ପାଇଁ ସରକାର ଯେଉଁ ଡିଜିଟାଲ ବ୍ୟବସ୍ଥା ସୃଷ୍ଟି କରିଥିଲେ, ଏବେ ତାହାର ଅପବ୍ୟବହାର ହେଉଛି। ପ୍ରାୟ ୧୨% ଗ୍ରାହକ ଗ୍ୟାସ୍ ଡେଲିଭରି ହୋଇଛି ବୋଲି ମିଛ ମେସେଜ୍ ପାଇଥିବାର ଅଭିଯୋଗ କରିଛନ୍ତି। ହେଲେ ସେମାନଙ୍କ ପାଖରେ କୌଣସି ଗ୍ୟାସ୍ ପହଞ୍ଚି ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି। ଫଳରେ ଅନ୍ଲାଇନ ବୁକିଁ ଉପରେ ଲୋକଙ୍କର ଭରସା କମିଯାଇଛି।

ମାତ୍ର ୨୮% ପରିବାର ଠିକ୍ ସମୟରେ ସିଲିଣ୍ଡର ପାଉଛନ୍ତି

ଦେଶର ୩୨୮ଟି ଜିଲ୍ଲାର ୫୭,୦୦୦ ଲୋକଙ୍କ ଉପରେ କରାଯାଇଥିବା ଏହି ସର୍ଭେରୁ ଜଣାପଡିଛି ଯେ ଦେଶର କେବଳ ୨୮% ପରିବାର ଠିକ୍ ସମୟରେ ଗ୍ୟାସ ପାଉଛନ୍ତି। ଏହି ସର୍ଭେରେ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟର ୬୧% ପୁରୁଷ ଏବଂ ୩୯% ମହିଳା ସାମିଲ ଥିଲେ, ଯେଉଁଥିରେ ଅଧିକାଂଶ ଉତ୍ତରଦାତା ଗ୍ୟାସ ଯୋଗାଣରେ ସମସ୍ୟା ଥିବା ରିପୋର୍ଟ କରିଛନ୍ତି।

ସହରରେ PNG ଏବଂ ଗାଁରେ କାଠ ସାଜିଛି ଇନ୍ଧନ 

ଗ୍ୟାସ ଯୋଗାଣ ଅଭାବକୁ ଦୃଷ୍ଟିରେ ରଖି, ସହରାଞ୍ଚଳ ଗ୍ରାହକମାନେ ପାଇପ୍ ନ୍ୟାଚୁରାଲ ଗ୍ୟାସ (PNG) ଆଡକୁ ମୁହାଁଇଛନ୍ତି। ଗ୍ରାମୀଣ ଭାରତରେ ପରିସ୍ଥିତି ଆହୁରି ଖରାପ ରହିଛି। ସର୍ଭେରୁ ଜଣାପଡିଛି ଯେ ଯୋଗାଣ ଅଭାବ ଯୋଗୁ ଗ୍ରାମୀଣ ଜନସଂଖ୍ୟାର ୪୦% ରୁ ଅଧିକ କାଠ ଏବଂ ଘସି ଜାଳି ଖାଦ୍ୟ ପ୍ରସ୍ତୁତ କରୁଛନ୍ତି।

ରାଜ୍ୟଙ୍କୁ ମିଳିବ ୨୦% ଅତିରିକ୍ତ ଗ୍ୟାସ

କମର୍ସିଆଲ୍ ଏଲ୍‌ପିଜି ଯୋଗାଣ ନେଇ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୩ରୁ କମର୍ସିଆଲ ଏଲପିଜି ଯୋଗାଣକୁ ବଢ଼ାଇ, ପ୍ରି- କ୍ରାଇସିସ ସ୍ତର ୫୦ ପ୍ରତିଶତ କରାଯାଇଛି। ଏହା ବିଶେଷ କରି ଫୁଡ ସର୍ଭିସ ସେକ୍ଟର ଏବଂ କମ୍ୟୁନିଟି କିଚେନଙ୍କ ସୁବିଧା ଦୃଷ୍ଟିରୁ କରାଯାଇଛି। ଯାହାଦ୍ୱାରା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିପାରିବ ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନହେବ।

ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଅତିରିକ୍ତ ୨୦ ପ୍ରତିଶତ ଏଲପିଜି ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ। ବିଶେଷ କରି ଏହାର ସର୍ବାଧିକ ଆବଶ୍ୟକତା ଥିବା ସ୍ଥାନ ଯେପରିକି ରେଷ୍ଟୁରାଣ୍ଟ, ଢାବା, ହୋଟେଲ, ଶିଳ୍ପ କ୍ୟାଣ୍ଟିନ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଦୁଗ୍ଧ ୟୁନିଟ୍, ସରକାରୀ ସବସିଡିଯୁକ୍ତ କ୍ୟାଣ୍ଟିନ, କମ୍ୟୁନିଟି କିଚେନଙ୍କ ସୁବିଧା ପାଇଁ କରାଯାଇଛି। ଏହା ସହ ପ୍ରବାସୀ ଶ୍ରମିକଙ୍କ ପାଇଁ ୫ କିଲୋଗ୍ରାମ ସିଲିଣ୍ଡର ମଧ୍ୟ ଯୋଗାଇଦିଆଯିବ।