ନୂଆଦିଲ୍ଲୀ ୧୪।୧୧: ଦିଲ୍ଲୀ ଲାଲକିଲା ଅଞ୍ଚଳରେ ୧୦ ନଭେମ୍ବର ସୋମବାର ସନ୍ଧ୍ୟାରେ ହୋଇଥିବା କାର ବିସ୍ଫୋରଣ ମୃତ୍ୟୁ ସଂଖ୍ୟା ବଢ଼ି ୧୩ ହୋଇଯାଇଛି। ବିସ୍ଫୋରଣ ପରେ ପୋଲିସ ଓ ତଦନ୍ତକାରୀ ସଂସ୍ଥାମାନେ ମାମଲାର ଗହନ ଯାଞ୍ଚ କରୁଛନ୍ତି। ଏହି ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ ଡାକ୍ତରଙ୍କ ସମେତ ମୋଟ ୧୨ ଜଣଙ୍କୁ ଗିରଫ କରାଯାଇଛି। ପ୍ରାରମ୍ଭିକ ଯାଞ୍ଚ ଅନୁସାରେ ଏହି ମାମଲା ଆତଙ୍କବାଦୀ ଷଡ଼ଯନ୍ତ୍ର ସହ ସମ୍ପୃକ୍ତ ବୋଲି ଜଣାପଡିଛି।

ଜମ୍ମୁ-କାଶ୍ମୀର ପୋଲିସ ଓ ଷ୍ଟେଟ ମେଡିକାଲ କାଉନସିଲରୁ ମିଳିଥିବା ସୂଚନା ଅନୁସାରେ ନ୍ୟାସନାଲ ମେଡିକାଲ କାଉନସିଲ (ଏନଏମସି) ବଡ଼ କାର୍ଯ୍ୟାନୁଷ୍ଠାନ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଡା. ମୁଜଫର ଅହମଦ, ଅଦିଲ ଅହମଦ ରାଠର, ମଜ୍ଜମିଲ ସକିଲ ଓ ଡା. ସାହୀନ ସଈଦଙ୍କ ମେଡିକାଲ ରେଜିଷ୍ଟ୍ରେସନକୁ ତୁରନ୍ତ ପ୍ରଭାବ ରଦ୍ଦ କରିଦିଆଯାଇଛି। ଏମାନଙ୍କ ନାମ ଆତଙ୍କବାଦ ଗତିବିଦ୍ଧି ସହ ଜଡିତ ଥିବା ଜଣାପଡିବା ପରେ ଏନଏମସି ଏହି ପଦକ୍ଷେପ ନେଇଛନ୍ତି। ଏବେ ଏହି ସୂଚନା ସବୁ ରାଜ୍ୟଙ୍କ ମେଡିକାଲ କାଉନସିଲଙ୍କୁ ପଠାଇ ଦିଆଯିବ, ଯାହା ଦ୍ୱାରା ଏହି ଡାକ୍ତରମାନେ ଆଗକୁ ଯେପରି କୌଣସି ଚିକିତ୍ସକୀୟ ଗତିଦ୍ଧିରେ ସାମିଲ ହୋଇ ନ ପାରନ୍ତି।

ନ୍ୟାସନାଲ ମେଡିକାଲ କାଉନସିଲଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ଏହି ମାମଲା ଆହୁରି ଜଟିଳ ହୋଇଯାଇଥିବା ବେଳେ ନୂଆନୂଆ ସୂଚନା ସାମ୍ନାକୁ ଆସୁଛି। ଦିଲ୍ଲୀରେ ଯେଉଁ କାରରେ ବିସ୍ଫୋରଣ ହୋଇଥିଲା ସେଥିରେ ଡା. ଉମର ନବୀ ଥିଲା। ସୁରକ୍ଷା ଏଜେନ୍ସୀ ଗୁରୁବାର ଜମ୍ମୁ-କାଶ୍ମୀର ପୁଲବାମା ଜିଲ୍ଲା କୋଇଲ ଗାଁରେଥିବା ଡା. ଉମର ନବୀଙ୍କ ପୈତୃକ ବାସଭବନ ଉପରେ ବୁଲଡୋଜର ଆକ୍ସନ ନେଇ ମାଟିରେ ମିସାଇ ଦେଇଛନ୍ତି। ଏହା ସହିତ ହରିୟାଣା ଫରିଦାବାଦସ୍ଥିତ ଅଲ-ଫଲାହ ୟୁନିବର୍ସିଟିରୁ ୨ ଡାକ୍ତର ଓ ୨ଜଣ ଷ୍ଟାଫଙ୍କ ସମେତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି। ଏଜେନ୍ସୀମାନେ ବିଶ୍ୱବିଦ୍ୟାଳକୁ ୨୦୧୯ରୁ ଏ ପର୍ଯ୍ୟନ୍ତ ସବୁ ରେକର୍ଡ ମଗାଇଛନ୍ତି ଓ ଏହାର ଫଣ୍ଡିଂ ଯାଞ୍ଚ କରୁଛନ୍ତି।