ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସେନସେସନ ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ରାଜସ୍ଥାନ ରୟାଲ୍ସର ହେଡ୍ କୋଚ୍ ବିସ୍ଫୋରକ ଦାବି କରିଛନ୍ତି । ଶ୍ରୀଲଙ୍କା ଟିମ୍‌ର ମହାନ ଅଧିନାୟକ କୁମାର ସାଙ୍ଗାକାରା ସ୍କାଏ ସ୍ପୋର୍ଟସକୁ ପ୍ରତିକ୍ରିୟା ଦେଇ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ବୈଭବ ଆଗାମୀ ଦିନରେ ଭାରତ ଏବଂ ବିଶ୍ୱ କ୍ରିକେଟରେ ଏକ ବଡ଼ ଶକ୍ତି ଭାଭରେ ଉଭା ହେବେ।  

ଆଇପିଏଲ୍ ୨୦୨୬ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚମତ୍କାର ପ୍ରଦର୍ଶନ କରିବା ପରେ ଏହି ବାମହାତୀ ବ୍ୟାଟର ଭାରତୀୟ ଦଳର ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଛନ୍ତି ଏବଂ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ସାଙ୍ଗାକାରା କହିଛନ୍ତି ଯେ, ୨୦୨୩ ମସିହାରେ ଦଳର ଆନାଲିଷ୍ଟ 'ଅକ୍ଷୟ' ତାଙ୍କୁ ଜଣେ ୧୨ ବର୍ଷର ପିଲା ବିଷୟରେ ମେସେଜ୍ କରିଥିଲେ। 

ବୈଭବଙ୍କ କୋଚ୍ ମନୀଷ ଓଝା ତାଙ୍କ ପରିବାରକୁ କହିଥିଲେ ଯେ, ପିଲାଟି ମାତ୍ର ୧୨ ବର୍ଷ ବୟସରେ ବଡ଼ ଲିଗ୍ ଖେଳିବା ପାଇଁ ପ୍ରସ୍ତୁତ। ପ୍ରଥମେ ଏହି କଥା ବିଶ୍ବାସ ହେଉନଥିଲା,  କିନ୍ତୁ ଯେତେବେଳେ ତାଙ୍କୁ ଟ୍ରାଏଲ ପାଇଁ ଅଣାଗଲା, ସେତେବେଳେ ଦଳର ତତ୍କାଳୀନ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ ତାଙ୍କର ୫ ମିନିଟ୍ ବ୍ୟାଟିଂ ଦେଖିବା ପରେ କହିଥିଲେ, ‘ଆମକୁ ଏହି ପିଲାକୁ ଯେମିତି ହେଲେ ଦଳରେ ସାମିଲ କରିବାକୁ ହେବ।’

ସାଙ୍ଗାକାରା ନିଜେ ବୈଭବଙ୍କୁ ଗୌହାଟୀର ଏକ କ୍ୟାମ୍ପରେ ପ୍ରଥମେ ଦେଖିଥିଲେ। ସେଠାରେ ଏକ ଛୋଟ ନେଟସରେ ଜୋଫ୍ରା ଆର୍ଚ୍ଚର ଏବଂ ସନ୍ଦୀପ ଶର୍ମା ନୂଆ ବଲରେ ବୋଲିଂ କରୁଥିଲେ, ଯେଉଁଠି କେହି ବ୍ୟାଟିଂ କରିବାକୁ ସାହସ କରୁନଥିଲେ। ମାତ୍ର ୧୪ ବର୍ଷର ବୈଭବ ସେଠାକୁ ଯାଇ ଆର୍ଚ୍ଚର ଓ ସନ୍ଦୀପଙ୍କ ବୋଲିଂକୁ ଅତି ସହଜରେ ପ୍ରହାର କରିଥିଲେ। ବୈଭବଙ୍କ ବ୍ୟାଟିଂ ଶୈଳୀ ଦେଖି ଖୋଦ୍ ଜୋଫ୍ରା ଆର୍ଚ୍ଚର ମଧ୍ୟ ଆଶ୍ଚର୍ଯ୍ୟ ହୋଇ ହସିବାକୁ ଲାଗିଥିଲେ।

ଆଇପିଏଲ୍ ୨୦୨୬ ର ଏକ ପ୍ରସଙ୍ଗ ସେୟାର କରି ସାଙ୍ଗାକାରା କହିଛନ୍ତି, ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍‌ରେ ଦଳକୁ ଜିତିବା ପାଇଁ ୨୨୦ ରନ୍ ଦରକାର ଥିଲା। ବୈଭବ ଓପନିଂ କରିବାକୁ ଯିବା ପୂର୍ବରୁ ମୋତେ ଚାହିଁ ଆଖି ମାରି କହିଥିଲେ, ‘କୋଚ୍, ବ୍ୟସ୍ତ ହୁଅନ୍ତୁ ନାହିଁ, ମ୍ୟାଚ୍ ଆମେ ଜିତିବା।’ ଏତିକି ନୁହେଁ, ସେ ଡ୍ରେସିଂ ରୁମ୍‌ରେ ଥିବା ସହ ଖେଳାଳି ଡୋନୋଭାନ୍ ଫେରେରା ଏବଂ ଲୁଆନ୍-ଡ୍ରେ ପ୍ରେଟୋରିୟସଙ୍କୁ କହିଥିଲେ, ‘ଶୁଣ, ମୁଁ ଆଜି ମ୍ୟାଚ୍‌ରେ ୧୩ଟି ଛକା ମାରିବି, ତା'ପରେ ବାକି କାମ ତୁମେ ଦୁହେଁ ସାରିବ।’ ସେହି ମ୍ୟାଚ୍‌ରେ ସେ ସତକୁ ସତ ୧୦ଟି ବିଶାଳ ଛକା ମାରିଥିଲେ। ମାତ୍ର ୧୫ ବର୍ଷ ବୟସରେ ଏଭଳି ଆତ୍ମବିଶ୍ୱାସ ଅଦ୍ଭୁତ ବୋଲି ସାଙ୍ଗାକାରା କହିଛନ୍ତି।

ସାଙ୍ଗାକାରା ସ୍ପଷ୍ଟ କରିଛନ୍ତି ଯେ, ଏତେ କମ୍ ବୟସରେ ମିଳିଥିବା ସଫଳତା, ଟଙ୍କା ଏବଂ ନାମ ବୈଭବଙ୍କ ଉପରେ କୌଣସି ନକାରାତ୍ମକ ପ୍ରଭାବ ପକାଇ ନାହିଁ। ସେ ବହୁତ ଶାନ୍ତ ଏବଂ ଶୃଙ୍ଖଳିତ ପିଲା। ରାଜସ୍ଥାନ ରୟାଲ୍ସ ତାଙ୍କୁ ସୁରକ୍ଷିତ ରଖିବା ସହ ତାଙ୍କ କ୍ରିକେଟର ବିକାଶ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛି। ବୈଭବଙ୍କର କ୍ରିକେଟ୍ ପ୍ରତି ଥିବା ଭଲପାଇବା ଏବଂ ଶିଖିବାର ଆଗ୍ରହ ହିଁ ତାଙ୍କର ସବୁଠାରୁ ବଡ଼ ଶକ୍ତି।

ବୈଭବଙ୍କ ବ୍ୟାଟିଂ ଶୈଳୀ ବିଷୟରେ ବର୍ଣ୍ଣନା କରି କୋଚ୍ କହିଛନ୍ତି ଯେ, ତାଙ୍କର ବ୍ୟାକଲିଫ୍ଟ  ଓ ବ୍ୟାଟ୍ ସ୍ୱିଙ୍ଗ୍ ବହୁତ ସୁନ୍ଦର। ବୈଭବ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ଚଳିତ ଆଇପିଏଲ୍ ସିଜିନ୍‌ରେ ୧୬ଟି ଇନିଂସରୁ ପ୍ରାୟ ୨୩୭.୩୦ ର ଅଦ୍ଭୁତ ଷ୍ଟ୍ରାଇକ୍ ରେଟ୍‌ରେ ୭୭୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୭୨ଟି ଛକା ସାମିଲ ଥିଲା।

ନିକଟରେ ଶ୍ରୀଲଙ୍କାରେ ହୋଇଥିବା ତ୍ରିରାଷ୍ଟ୍ରୀୟ ସିରିଜ୍ ଫାଇନାଲରେ ସେ ଶ୍ରୀଲଙ୍କା 'ଏ' ବିପକ୍ଷରେ ମାତ୍ର ୨୯ଟି ବଲ୍‌ରୁ ୯୪ ରନ୍‌ର ଏକ ବିଧ୍ୱଂସୀ ଇନିଂସ ଖେଳିଥିଲେ। ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ ମଧ୍ୟ ବୈଭବଙ୍କ ପ୍ରଶଂସା କରି କହିଛନ୍ତି ଯେ, ପାୱାରପ୍ଲେ ରେ ଭୁବନେଶ୍ୱର କୁମାର ଏବଂ ଜୋସ୍ ହେଜେଲଉଡ୍‌ଙ୍କ ଭଳି ବିଶ୍ୱସ୍ତରୀୟ ବୋଲରଙ୍କ ପାଇଁ ମଧ୍ୟ ବୈଭବଙ୍କୁ ବୋଲିଂ କରିବା ସବୁଠାରୁ କଷ୍ଟକର ଥିଲା। ସାଙ୍ଗାକାରାଙ୍କ ଅନୁସାରେ, ଯଦି ସେ ନିଜର ଏହି ପ୍ରଦର୍ଶନ ବଜାୟ ରଖନ୍ତି, ତେବେ ସେ କେବଳ ଭାରତରେ ନୁହେଁ, ବରଂ ବିଶ୍ୱ କ୍ରିକେଟରେ ରାଜ୍‌ କରିବେ।