ଅଯୋଧ୍ୟା: ପ୍ରସିଦ୍ଧ ରାମ ମନ୍ଦିର ଦାନ ଚୋରି ମାମଲାରେ ସୋମବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଦାନ ଚୋରିକୁ ନେଇ ପୂର୍ବରୁ ଟ୍ରଷ୍ଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇସାରିଥିବା ଚମ୍ପତ ରାୟ ଓ ଅନିଲ ମିଶ୍ରଙ୍କ ଇସ୍ତଫାକୁ ଟ୍ରଷ୍ଟ ମଞ୍ଜୁର କରିଛି। ଟ୍ରଷ୍ଟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଚମ୍ପତ ରାୟଙ୍କ ସ୍ଥାନରେ କୃଷ୍ଣ ମୋହନଙ୍କୁ ଏବେ ଅନ୍ତରୀଣ ସାଧାରଣ ସମ୍ପାଦକ ନିଯୁକ୍ତ କରାଯାଇଛି। ତେବେ ଟ୍ରଷ୍ଟ କହିଛି ଯେ ଏସଆଇଟି ଯାଞ୍ଚ ରିପୋର୍ଟ ଆସିବା ପର୍ଯ୍ୟନ୍ତ କୃଷ୍ଣ ମୋହନ ଏହି ଦାୟିତ୍ୱ ତୁଲାଇବେ।

କୃଷ୍ଣ ମୋହନ କିଏ?
କୃଷ୍ଣ ମୋହନ ରାମ ମନ୍ଦିର ଟ୍ରଷ୍ଟର ସଦସ୍ୟ ଅଟନ୍ତି। ୨୦୨୫ ମସିହାରେ କାମେଶ୍ୱର ଚୈପାଲଙ୍କ ପରଲୋକ ପରେ ରିକ୍ତ ପଦରେ କୃଷ୍ଣ ମୋହନଙ୍କୁ ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟରେ ସଦସ୍ୟ ଗ୍ରହଣ କରାଯାଇଥିଲା। କୃଷ୍ଣ ମୋହନ ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ଥିଲେ। ସେ ମହାରାଷ୍ଟ୍ର କ୍ୟାଡରରେ ତାଙ୍କ ସେବା ଦେଇଥିଲେ। ଚାକିରୀରୁ ଅବସର ଗ୍ରହଣ କରିବା ପରେ ସେ ହର୍ଦ୍ଦୋଇରେ ରହି ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି।

ହର୍ଦ୍ଦୋଇର ବାସିନ୍ଦା ଅଟନ୍ତି କୃଷ୍ଣ ମୋହନ
ଶ୍ରୀ ରାମଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ନୂଆ ସାଧାରଣ ସମ୍ପାଦକ କୃଷ୍ଣ ମୋହନ ହର୍ଦୋଇ ଜନପଦର ଶାହାବାଦ ବିଧାନସଭା ନିର୍ବାଚନମଣ୍ଡଳି ଅନ୍ତର୍ଗତ ଚନ୍ଦ୍ରପୁର ଗ୍ରାମର ବାସିନ୍ଦା। ଏବେ କୃଷ୍ଣ ମୋହନ ହର୍ଦୋଇ ସହରର ସିନେମା ରୋଡସ୍ଥିତ ନିଜ ବାସଭବନରେ ସାମାଜିକ କାର୍ଯ୍ୟରେ ସକ୍ରିୟ ଅଛନ୍ତି।