ଜୟପୁର: ଖର୍ଚ୍ଚ କରାଯାଇଛି କୁଆଡେ ୩ କୋଟି ଟଙ୍କା । ନିର୍ମାଣ ହୋଇଛି ୩ ମହଲା କୋଠା । ନିର୍ମାଣ ସ୍ଥଳରେ ଲଗାଯାଇନି ଫଳକ । ବ୍ୟୟଅଟକଳ ଅବା ଅନ୍ୟ କୌଣସି ସୂଚନା ବି ନାହିଁ । କୋରାପୁଟ ଜିଲ୍ଲା ଜୟପୁର ବ୍ଳକ ବାଲିଆ ପଞ୍ଚାୟତର ବାମୁଣିପୁଟ ଏସ୍ଏସ୍‌ଡି ହାଇସ୍କୁଲ ପରିସରରେ ନିର୍ମାଣ ହୋଇଥିବା ଏହି କୋଠା ଏବେ ରହସ୍ୟ ଘେରରେ । ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚାବି ଧରାଇ ଚାଲିଯାଇଛି ଠିକା ସଂସ୍ଥା । ବିଡମ୍ବନା, ମଙ୍ଗଳ ବିଭାଗ ଅଧୀନରେ ଥିବା ସ୍କୁଲ ପରିସରରେ ଏହା ନିର୍ମାଣ ହୋଇଥିଲେ ବି ଜିଲ୍ଲା ମଙ୍ଗଳ ସଂପ୍ରସାରଣ ଅଧିକାରୀ( ଡିଡବ୍ଲ୍ୟୁଇଓ) ରହିଛନ୍ତି ସଂପୂର୍ଣ ଅନ୍ଧାରରେ । ସ୍କୁଲ କର୍ତ୍ତୃପକ୍ଷ ବି ବିଶେଷ କିଛି ଜାଣିନାହାନ୍ତି ।

ବାମୁଣିପୁଟ ଏସ୍ଏସ୍‌ଡି ହାଇସ୍କୁଲ ପଛପଟେ ରହିଛି ଖେଳପଡ଼ିଆ । ପାଖକୁ ଲାଗି ରହିଥିଲା ଖାଲି ସ୍ଥାନ । ସେଠାରେ ନୂଆରେ ନିର୍ମାଣ ହୋଇଛି ଏହି ୩ ମହଲା କୋଠା I ଅନ୍ୟ ଅଞ୍ଚଳର ଜଣେ ଠିକାଦାର ନିର୍ମାଣ ଦାୟିତ୍ଵ ନେଇଥିଲେ। କାମ ସାରିବା ପରେ ପରେ ସ୍କୁଲ କର୍ତ୍ତୃପକ୍ଷ ଘାସିରାମ ହୋତାଙ୍କୁ ଚାବି ଧରାଇଛନ୍ତି । ଘାସିରାମ କହିଛନ୍ତି, କିଛିବର୍ଷ ତଳେ ତତ୍କାଳୀନ ଉପଜିଲ୍ଲାପାଳ ଓ ଆଇଟିଡିଏର କେହି ଅଧିକାରୀ ଆସିଥିଲେ । ଖାଲିଥିବା ଜାଗା ଦେଖାଇବାକୁ ତାଙ୍କୁ କୁହାଯାଇଥିଲା । ତା ପରେ ସେଠାରେ ଏହି କୋଠା ନିର୍ମାଣ କରାଯାଇଛି । ୫ ମାସ ତଳେ କୋଠାଟିକୁ ତାଙ୍କୁ ହସ୍ତାନ୍ତର କରାଯାଇଛି । ତେବେ କେଉଁ ଉଦ୍ଦେଶ୍ୟରେ ଏହା ନିର୍ମାଣ କରାଯାଇଛି, ସେ ବିଷୟରେ ସେ ବିଶେଷକିଛି ଜାଣିନାହାନ୍ତି । ଠିକା ସଂସ୍ଥା ପକ୍ଷରୁ ତାଙ୍କୁ କୁହାଯାଇଛି ଯେ ଏହାକୁ କୁଆଡେ ହଷ୍ଟେଲ ଭାବେ ବ୍ୟବହାର କରାଯିବ । କେଜିରୁ ପିଜି ପର୍ଯ୍ୟନ୍ତ ପିଲା ରହିବେ । ସେମାନେ ଜୟପୁରରେ ପାଠ ପଢିବେ ।

ପରିତାପର ବିଷୟ, କୋଠା ନିର୍ମାଣ ସଂପର୍କରେ ଜିଲ୍ଲା ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁନୀଲ କୁମାର ତାଣ୍ଡି କିଛି ଜାଣିନଥିବା କ‌ହିଛନ୍ତି । କେଉଁ ବିଭାଗ ଏହାକୁ କରିଛି ଏବଂ କେଉଁ ଉଦ୍ଦେଶ୍ୟରେ କରାଯାଇଛି କିଛି କହିପାରିବେନି ବୋଲି କହିଛନ୍ତି । ଅନ୍ୟପକ୍ଷରେ କୋଠା ନିର୍ମାଣ ହୋଇ ଏ ଭିତରେ ୫ ମାସ ବିତିଯାଇଥିଲେ ବି ଏହାକୁ କୌଣସି କାମରେ ଲଗାଯାଇନି । ନିଛାଟିଆ ସ୍ଥାନରେ ଥିବାରୁ ବିଭିନ୍ନ ସାମଗ୍ରୀ ଚୋରି ହେବାର ଆଶଙ୍କା ରହିଛି ।

କୋଠା ସଂପର୍କରେ ଆଇଟିଡିଏ ସହକାରୀ ଯନ୍ତ୍ରୀ ଗଗନ ପତିଙ୍କୁ ପଚାରିବାରୁ କହିଛନ୍ତି, ଏହାକୁ କେନ୍ଦ୍ରୀୟ ଠିକାସଂସ୍ଥା(ଏନପିସିସି) ପକ୍ଷରୁ କରାଯାଇଛି । କାମ ସାରିବା ପରେ ଉକ୍ତ ସଂସ୍ଥା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ବିଧିବଦ୍ଧ ଭାବେ ହସ୍ତାନ୍ତର କରିବା କଥା । ଯଦି କରାଯାଇନି, ତାହେଲେ ପ୍ରଶାସନ ସହାୟତାରେ ଏସବୁ ପ୍ରକ୍ରିୟା ଯଥାଶୀଘ୍ର କରା‌ଯିବ । ଅନ୍ୟପକ୍ଷରେ ଗ୍ରାମବାସୀ କହିଛନ୍ତି, ନିର୍ମାଣ ସମୟରେ ସେମାନେ ଠିକାସଂସ୍ଥାର କେତେକ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ । କର୍ମଚାରୀମାନେ କହିଥିଲେ ଯେ ଏଠାରେ ସାଧାରଣ ବର୍ଗରୁ ଆରମ୍ଭ କରି ଅନୁସୂଚି ଜାତି ଓ ଜନଜାତି ଛାତ୍ରମାନେ ରହିବେ । ସହରରେ ଥିବା ସରକାରୀ, ବେସରକାରୀ ସ୍କୁଲ ଏବଂ କଲେଜରେ ପାଠପଢିବେ । ସେମାନଙ୍କ ଲଗି ଏଠାରେ ମାଗଣା ରହିବା ଓ ଖାଦ୍ୟ ବ୍ୟବସ୍ଥା କରା‌ଯିବ । ଏଠାରୁ ସ୍କୁଲ, କଲେଜକୁ ଯିବାଆସିବା ଲାଗି ସରକାର ବସ୍‌ ଯୋଗାଇଦେବେ । ସ‌ହର ନିକଟରେ ଜାଗା ନ ମିଳିବାରୁ ଏଠାରେ କୋଠା ନିର୍ମାଣ କରଯାଇଛି । ଯଦି ସହରରେ ପଢୁଥିବା ପିଲାଙ୍କ ଲାଗି ହଷ୍ଟେଲ ନିର୍ମାଣ ଯୋଜନା ଥିଲା, ତାହେଲେ ସହର ପାଖରେ କରିବାର ଥିଲା । ଏଠାରେ ସରକାରୀ ମାଧ୍ୟମିକ ଉଚ୍ଚବିଦ୍ୟାଳୟ ଏବଂ ଏସ୍ଏସ୍‌ଡି ହାଇସ୍କୁଲ ରହିଛି । ପରିସରରେ ଛାତ୍ରୀ ନିବାସ ରହିଛି । ସେମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ଅନ୍ୟ କଲେଜର ପିଲାଙ୍କ ଲାଗି ହଷ୍ଟେଲ ନିର୍ମାଣ କରିବାର ନଥିଲା ।

କେଜିରୁ ପିଜି ପର୍ଯ୍ୟନ୍ତ ପିଲା ରହିଲେ ନିଶ୍ଚୟ ବିଶୃଙ୍ଖଳା ହେବ । ଶିଶୁମାନଙ୍କୁ କଲେଜ ପିଲା ରାଗିଂ କରିବାର ଆଶଙ୍କା ରହିଛି । ଆଉ ଯଦି ଏହି ହଷ୍ଟେଲରେ ପିଲା ରହିବାକୁ ଆଗ୍ରହ ଦେଖାଇବେ ନାହିଁ, ତାହେଲେ କୋଟି କୋଟି ଟଙ୍କା ପାଣିରେ ପଡ଼ିବ । ସହର ଉପକଣ୍ଠର ତେଲିଗୁଡାରେ ଓବିସି ଛାତ୍ରଛାତ୍ରୀଙ୍କ ଲାଗି କୋଠା ନିର୍ମାଣ ହୋଇଥିଲା । ସେଠାରେ ରହିବାକୁ ଓବିସି ଛାତ୍ରଛାତ୍ରୀ ମିଳିଲେ ନାହିଁ । ଶେଷରେ ବିକ୍ରମଦେବ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ରହୁଛନ୍ତି । ସହରର ନିକଟରେ ଥିବାରୁ ଉକ୍ତ କୋଠା କାମରେ ଆସିଲା । ଅଥଚ ନୂଆରେ ନିର୍ମାଣ ହୋଇଥିବା ଏହି କୋଠା ପାଖରୁ ସହରର ଦୂରତା ପ୍ରାୟ ୮ କି.ମି. । ଏତେ ଦୂରରେ ଥିବାରୁ ଅନ୍ୟ କୌଣସି ଅନୁଷ୍ଠାନର କାମରେ ଆସିବ ନାହିଁ । ଆସ୍ତେ ଆସ୍ତେ ଏହା ନଷ୍ଟ ହେବାର ଆଶଙ୍କା ରହିଛି । ନିର୍ମାଣ ପୂର୍ବରୁ ସବୁ ଦିଗରୁ ଏହାକୁ ତର୍ଜମା କରିବାର ଥିଲା ।