ନୂଆଦିଲ୍ଲୀ ୨୫।୦୪: ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ । ୮୮ ବର୍ଷ ବୟସରେ ହୋଇଛି ଦେହାନ୍ତ । ୨୬ ଅପ୍ରେଲ୍ରେ ହେବ ଫ୍ରାନ୍ସିସ୍ ଶେଷକୃତ୍ୟ । ସେ 'ଜନତାଙ୍କ ପୋପ୍' ଭାବରେ ମଧ୍ୟ ଜଣାଶୁଣା । ପୋପ୍ ଫ୍ରାନ୍ସିସ୍ ଲାଟିନ୍ ଆମେରିକାର ପ୍ରଥମ ପୋପ୍ ଥିଲେ । ତାଙ୍କ ଦେହାନ୍ତ ପରେ ଭାଟିକାନରେ ୯ ଦିନିଆ ଶୋକ ଘୋଷଣା କରାଯାଇଛି ।
ଭାଟିକାନ୍ ପରମ୍ପରା ଅନୁଯାୟୀ, ପୋପ୍ଙ୍କ ମୃତ୍ୟୁ ପରେ ତାଙ୍କ ଡାହାଣ ହାତ ଆଙ୍ଗୁଠିରେ ଥିବା ମୁଦିକୁ ଭାଙ୍ଗି ଦିଆଯାଏ। କାରଣ ପୂର୍ବରୁ ଏହି ମୁଦି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିଲ୍ କରିବା ପାଇଁ ବ୍ୟବହୃତ ହେଉଥିଲା। ୨୦୧୩ ମସିହାରେ ପୋପ୍ ନିର୍ବାଚିତ ହେବା ସମୟରେ ମୁଦିଟିକୁ ତାଙ୍କୁ ଦିଆଯାଇଥିଲା ଏବଂ ଏବେ ତାଙ୍କ ମୃତ୍ୟୁ ସହିତ ମୁଦି ହୋଇଯିବ ନଷ୍ଟ ।
କ୍ୟାଥୋଲିକ ପରମ୍ପରା ଅନୁଯାୟୀ କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟ ପୋପ୍ ତାଙ୍କ ପଦବୀ ଗ୍ରହଣ କରିବା ସମୟରେ ସ୍ୱତନ୍ତ୍ର ମୁଦି ଦିଆଯାଏ । ଯାହାକୁ କୁହାଯାଏ 'ଫିସରମ୍ୟାନ୍ ରିଙ୍ଗ୍' । ଏହି ମୁଦି ଚର୍ଚ୍ଚ ସମ୍ପର୍କରେ ପୋପଙ୍କ ଦାୟିତ୍ୱ ଏବଂ କର୍ତ୍ତୃତ୍ୱର ପ୍ରତୀକ । ପୋପ୍ ଏହି ମୁଦିକୁ ତାଙ୍କ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ପିନ୍ଧନ୍ତି। ଏହି ମୁଦିରେ କ୍ୟାଥୋଲିକ ଚର୍ଚ୍ଚର ପ୍ରଥମ ପୋପ୍ ସେଣ୍ଟ ପିଟରଙ୍କ ପ୍ରତିଛବି ଅଛି ।
ଆଉ କିଛି ମୁଦିରେ ସେଣ୍ଟ ପିଟରଙ୍କୁ ଜଣେ ଫିସରମ୍ୟାନ ଭାବେ ଦର୍ଶାଯାଇଛି, ଯେଉଁଥିରେ ସେ ମାଛ ଧରୁଥିବା ନଜର ଆସିଥାନ୍ତି । ସେହିପରି ଆଉ କିଛିରେ ତାଙ୍କୁ ସ୍ୱର୍ଗର ଚାବି ଧରିଥିବାର ଦେଖାଯାଇଛି । ବିଶ୍ୱାସ ଅନୁସାରେ ଯୀଶୁ ଖ୍ରୀଷ୍ଟ ସେଣ୍ଟ ପିଟରଙ୍କୁ ପ୍ରଥମ ପୋପ୍ ଭାବରେ ଘୋଷଣା କରିଥିଲେ । ତେଣୁ ଯେତେବେଳେ ଜଣେ ନୂତନ ପୋପ୍ ନିର୍ବାଚିତ ହୁଅନ୍ତି, ତାଙ୍କ ପ୍ରତିଛବି ମୁଦିରେ ରଖାଯାଏ ।
ସମୟ ଥିଲା ପୋପ୍ ନିଜ ବ୍ୟକ୍ତିଗତ କାଗଜପତ୍ରରେ ମୋହର ଲଗାଇବା ପାଇଁ ମୁଦିର ବ୍ୟବହାର କରୁଥିଲେ । କିନ୍ତୁ ଏବେ ଏହି ମୁଦି କେବଳ ଧାର୍ମିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି । ପୋପଙ୍କୁ ଦିଆଯାଇଥିବା ଫିସରମ୍ୟାନ୍ ରିଙ୍ଗ୍ ସୁନାରେ ତିଆରି ହୋଇଥାଏ। କିନ୍ତୁ ୨୦୧୩ ମସିହାରେ ପୋପ୍ ଫ୍ରାନ୍ସିସଙ୍କୁ ଏକ ସୁନା ପ୍ଲେଟେଡ୍ ରୂପା ମୁଦି ଦିଆଯାଇଥିଲା। ଭାଟିକାନର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ପୋପଙ୍କ ମୃତ୍ୟୁ ପରେ ଫିସରମ୍ୟାନ୍ ରିଙ୍ଗ୍କୁ ଏକ ବିଶେଷ ପ୍ରକାରର ହାତୁଡ଼ିରେ ଭାଙ୍ଗିବାର ପରମ୍ପରା ରହିଛି ।
ଏହି ପରମ୍ପରା ପୋପ୍ଙ୍କ କାର୍ଯ୍ୟକାଳର ଶେଷକୁ ଚିହ୍ନିତ କରେ ଏବଂ ଏହା ମଧ୍ୟ ନିଶ୍ଚିତ କରେ ଯେପରି ମୁଦିର ଅପବ୍ୟବହାର ନ ହୁଏ । ମୁଦି ଭାଙ୍ଗିବା ପରେ ନୂଆ ପୋପ୍ ଚୟନ ପ୍ରକ୍ରିୟା ଆରମ୍ଭ ହୁଏ। ତଥାପି ଯେତେବେଳେ ପୋପ୍ ବେନେଡିକ୍ଟ ଷୋଡ଼ଶ ୨୦୧୩ରେ ଇସ୍ତଫା ଦେଇଥିଲେ, ସେତେବେଳେ ମୁଦି ଭଙ୍ଗା ଯାଇନଥିଲା ।
କ୍ୟାଥୋଲିକ ଧର୍ମରେ ପୋପଙ୍କ ମୁଦିକୁ ଚୁମ୍ବନ କରିବା ସହିତ ଜଡିତ ଏକ ପରମ୍ପରା ମଧ୍ୟ ଅଛି । ଲୋକମାନେ ପୋପଙ୍କ ହାତ ଏବଂ ତାଙ୍କ ମୁଦିକୁ ଚୁମ୍ବନ ଦିଅନ୍ତି । ପୋପଙ୍କ ମୁଦିକୁ ଚୁମ୍ବନ କରିବା ସମ୍ମାନ ପ୍ରଦର୍ଶନର ଏକ ପୁରୁଣା ଉପାୟ । କିନ୍ତୁ ବର୍ଷ ବର୍ଷ ଧରି ଏହି ପରମ୍ପରା କମିଯାଇଛି । ପୋପ୍ ଫ୍ରାନ୍ସିସ୍ ନିଜେ ମୁଦିକୁ ଚୁମ୍ବନ ଦେବା ସପକ୍ଷରେ ନଥିଲେ ।
୨୦୧୯ ମସିହାରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ପୋପ୍ ଫ୍ରାନ୍ସିସ୍ ମୁଦିକୁ ଚୁମ୍ବନ ନ ଦେବା ପାଇଁ ତାଙ୍କ ହାତକୁ ପଛକୁ ଟାଣି ନେଉଥିଲେ । ତେବେ ପରେ ଭାଟିକାନ କହିଥିଲେ ଯେ ରୋଗ ବ୍ୟାପିବାକୁ ଏଡାଇବା ଏବଂ ସ୍ୱଚ୍ଛତାକୁ ଧ୍ୟାନରେ ରଖିବା ପାଇଁ ଏପରି କରାଯାଇଥିଲା।