ଅଧିକ କ୍ଷତି ହେବାକୁ ନଦେଇ ସଞ୍ଜମତା ରକ୍ଷ: ଭାରତ-ପାକିସ୍ତାନକୁ ଜାତିସଂଘର ପରାମର୍ଶ

Published By : Prameya-News7 Bureau | April 25, 2025 IST

internet

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଟେନସନ ବଢ଼ୁଥିବା ବେଳେ ଚିନ୍ତା ପ୍ରକଟ କରିଛି ଜାତିସଂଘ। ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରେସଙ୍କ ପକ୍ଷରୁ ଉଭୟ ଦେଶକୁ ସଞ୍ଜମତା ରକ୍ଷା କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ତାଙ୍କ ପ୍ରବକ୍ତା କହିଛନ୍ତି ଯେ ଅତି ନିକଟରୁ ଏବଂ ଅତ୍ୟନ୍ତ ଚିନ୍ତାର ସହିତ ଆମେ ନିବେଦନ କରୁଛି। ଉଭୟ ସରକାରଙ୍କୁ ଅଧିକରୁ ଅଧିକ ସଞ୍ଜମତା ଅବଲମ୍ବନ ଆହୁରି ଅବନତି ହେବାରୁ ଦୂରେଇ ରହିବାକୁ ଆମେ ନିବେଦନ କରୁଛୁ ବୋଲି ସେ କହିଛନ୍ତି। 

ତେବେ ପହଲଗାମ ଆତଙ୍କବାଦୀ ଘଟଣାକୁ ଗୁଟେରେସଙ୍କ ପ୍ରବକ୍ତା ଷ୍ଟିଫେନ ଡୁଜାରିକ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି “୨୨ ତାରିଖ ଦିନ ଜମ୍ମୁ ଏବଂ କାଶ୍ମୀରରେ ଘଟିଥିବା ଆତଙ୍କବାଦୀ ଆକ୍ରମଣକୁ ଆମେ ସ୍ପଷ୍ଟ ନିନ୍ଦା କରୁଛୁ। ଏଥିରେ ବହୁ ସଂଖ୍ୟକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି।” ଗୁରୁବାର ସାମ୍ବାଦିକ ସମ୍ମିଳନୀକୁ ସୂଚନା ଦେଇ ସେ ଏପରି କହିଛନ୍ତି। 

ପଢ଼ନ୍ତୁ- ପାକିସ୍ତାନ ହିନ୍ଦୁ ନାଗରିକମାନଙ୍କୁ ଦୀର୍ଘକାଳୀନ ଭିସା କଟକଣାରୁ ଛାଡ଼ କଲା ଭାରତ: ଅନ୍ୟମାନଙ୍କ ପାଇଁ ନିୟମ ଲାଗୁ

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ପରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଗୁଟେରେସ୍ ଭାରତ ଏବଂ ପାକିସ୍ତାନ ସରକାରଙ୍କ ସହିତ କୌଣସି ଯୋଗାଯୋଗ କରିଛନ୍ତି କି ନାହିଁ ବୋଲି ଡୁଜାରିକଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଛନ୍ତି ଯେ ଗୁଟେରେସ୍ କୌଣସି ସିଧାସଳଖ ଯୋଗାଯୋଗ କରି ନାହାଁନ୍ତି, କିନ୍ତୁ ଘଟଣା ଉପରେ ବହୁତ ନିକଟରୁ ଏବଂ ବହୁତ ଚିନ୍ତାର ସହିତ ସେ ନଜର ରଖିଛନ୍ତି। ଏବଂ ଦୁଇ ଦେଶକୁ ସଞ୍ଜମତା ରକ୍ଷା କରି କରି ପରିସ୍ଥିତି ଖରାପ ନ କରିବାକୁ ପରାମର୍ଶ ଦେଇଛନ୍ତି। 

ଆଣ୍ଟୋନିଓ ଗୁଟେରେସ

ଡୁଜାରିକ କହିଛନ୍ତି ଯେ "ପାକିସ୍ତାନ ଏବଂ ଭାରତ ମଧ୍ୟରେ ଯେକୌଣସି ସମସ୍ୟା ଅର୍ଥପୂର୍ଣ୍ଣ ପାରସ୍ପରିକ ସମ୍ପର୍କ ମାଧ୍ୟମରେ ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ ହୋଇପାରିବ ବୋଲି ଆମେ ବିଶ୍ୱାସ କରୁ। ଏବଂ ଏହା ହେବା ଉଚିତ।" ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବାର ଭାରତର ନିଷ୍ପତ୍ତିକୁ ଡୁଜାରିକ୍ କହିଛନ୍ତି, "ମୁଁ ଭାବୁଛି ଏହା ଆମର ଅପିଲ ମଧ୍ୟରେ ରହିବ ଯେ ଆମେ ଅଧିକରୁ ଅଧିକ ସଞ୍ଜମତା ରକ୍ଷା କରିବା, ଏମିତି କୌଣସି କାର୍ଯ୍ୟାନୁଷ୍ଠାନ ନେବା ନାହିଁ ଯେଉଁଥିରେ ସ୍ଥିତି ଆହୁରି ବଢ଼ିବ ଓ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ଉତ୍ତେଜନା ଆହୁରି ବଢିବ।"

ଏହା ପୂର୍ବରୁ ପହଲଗାମ ଘଟଣାକୁ ଗୁଟେରେସ କଡ଼ା ନିନ୍ଦା ପ୍ରକାଶ କରିଥିଲେ। ଯେକୌଣସି ପରିସ୍ଥିତିରେ ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ ବୋଲି କହିଥିଲେ। 

ପଢନ୍ତୁ-ସିନ୍ଧୁ ଜଳସନ୍ଧି ରଦ୍ଦ ପାକିସ୍ତାନ ଉପରେ ବଡ଼ ଛାଟ; ଚାଷ ବୁଡ଼ିଲେ ଭୁଶୁଡ଼ିବ ଅର୍ଥ ବ୍ୟବସ୍ଥା, ବଢ଼ିବ ସାମାଜିକ ଅଶାନ୍ତି 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.