ପ୍ରଶାନ୍ତ ମହାସାଗରରେ ୬.୩ ତୀବ୍ରତାର ଭୂମିକମ୍ପ, ଇକ୍ୱେଡରରେ ଆତଙ୍କ

Published By : Prameya-News7 Bureau | April 25, 2025 IST

କ୍ୱିଟୋ ୨୫।୪: ଇକ୍ୱେଡରର ପ୍ରଶାନ୍ତ ଉପକୂଳରେ ଶୁକ୍ରବାର ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂମିକମ୍ପର ଉତ୍ପତି ସ୍ଥଳ ପ୍ରଶାନ୍ତ ମହାସାଗରରେ ଥିବା ବେଳେ ଏହା ତୀବ୍ରତା ରିକ୍ଟର ସ୍କେଲରେ ୬.୩ ଥିଲା। ଏହି କମ୍ପନ ପ୍ରଭାବରେ ଉତ୍ତର ଇକ୍ୱେଡର ଦୋହଲି ଯାଇଛି। ଏଥିରେ ବିଶେଷ କିଛି ଧନଜୀବନ ହାନୀର ସୂଚନା ଆସି ନଥିଲେ ମଧ୍ୟ କେତେକ ଘରେ ଫାଟ ପଡିଥିବାର ସୂଚନା ଆସୁଛି। ବିସ୍ତୃତ ସୂଚନାକୁ ଏବେ ଅପେକ୍ଷା କରାଯାଇଛି। 

ୟୁନାଇଟେଡ ଷ୍ଟେଟସ୍ ଜିଓଲଜିକାଲ ସର୍ଭେ ଅନୁସାରେ ଭୂମିକମ୍ପର କେନ୍ଦ୍ର ଏସ୍ମେରାଲଡାସ ସହରରୁ ୨୦.୯ କିଲୋମିଟର ଉତ୍ତର-ପୂର୍ବ ପ୍ରଶାନ୍ତ ମହାସାଗରରେ ଥିଲା। ଏହାର ଗଭୀରତା ଭୂ-ଗର୍ଭର ୩୫ କିଲୋମିଟର ତଳେ ଥିବାର ଏଥିରେ କୁହାଯାଇଛି। ଇକ୍ୱେଡର ବିପର୍ଯ୍ୟୟ ପ୍ରବନ୍ଧନ କାର୍ଯ୍ୟାଳୟ ଏ ନେଇ ଏକ୍ସ ରେ ପୋଷ୍ଟ କରିଥିବା ବେଳେ ଭୂମିକମ୍ପ ଅନୁନ୍ୟ ୧୦ଟି ପ୍ରାନ୍ତରେ ଅନୁଭୂତ ହୋଇଥିବା କହିଛି। ତେବେ ପରିସ୍ଥିତି ଉପରେ ନଜର ରଖା ଯାଇଥିବା ବେଳେ ସୁନାମୀ ସତର୍କତା ଜାରି ହୋଇ ନଥିବା କୁହାଯାଇଛି। 

କିଛି ସ୍ଥାନୀୟ ଗଣମାଧ୍ୟମ ଭୂମିକମ୍ପ କେନ୍ଦ୍ର ସ୍ଥଳର ସବୁଠୁ ନିକଟତମ ସହର ପ୍ରାଶାନ୍ତ ମହାସାଗରର ଉପକୂଳ ସହର ଏସ୍ମେରାଲଡାସ ସହରର ଛବି ପ୍ରକାଶନ କରିଛନ୍ତି। ଏଥିରେ କିଛି ଘରର କ୍ଷୟକ୍ଷତି ହୋଇଥିବା ଫଟୋଚିତ୍ର ଦିଆଯାଇଛି। ଏସ୍ମେ ରାଲଡାସ ଇକ୍ୱେଡରର ରାଜଧାନୀ କ୍ୱିଟୋଠାରୁ ୨୯୬ କିଲୋମିଟର ଉତ୍ତର-ପଶ୍ଚିମରେ ଦିଗରେ ଅବସ୍ଥିତ। ଇକ୍ୱେଡର ଅଧିକାରୀମାନେ ଆରମ୍ଭରୁ ପ୍ରଶାନ୍ତ ଉପକୂଳ ଲାଗି ସୁନାମୀ ଚେତାବନୀ ଜାରି କରିଥିଲେ। ତେବେ କିଛି ସମୟ ପରେ ଏହାକୁ ରଦ୍ଦ କରିଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.