ଇରାନରେ ଶାସନ ପରିବର୍ତ୍ତନର ଆଶା କମ୍, CIA ରିପୋର୍ଟ ପରେ ବଦଳିଲା ଟ୍ରମ୍ପଙ୍କ ସ୍ୱର

NEWS7
fawads-film-abir-gulal-will-not-be-released-in-india

ୱାସିଂଟନ ୯।୧: ଇରାନକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମନଭାବ ଏବେ ନରମ ପଡିଛି। ଆମେରିକୀୟ ଗୁଇନ୍ଦା ସଂସ୍ଥା ସିଆଇଏର ଏକ ରିପୋର୍ଟ ପରେ ଟ୍ରମ୍ପ ପ୍ରଶାସନ ନିଜର ରଣନୀତି ଓ ବୟାନବାଜୀ ବନ୍ଦ କରିଛି। ସିଆଇଏ ଗୁଇନ୍ଦା ରିପୋର୍ଟ ଇରାନରେ ଜାରି ବିରୋଧ ପ୍ରଦର୍ଶନରେ ଏବେକା ସରକାରଙ୍କୁ ଉପାଡି ଫିଙ୍ଗିବାର ଶକ୍ତି ନଥିବା ସୂଚାଇଛି। ଏହା ପରେ ଟ୍ରମ୍ପ ଓ ତାଙ୍କ ପ୍ରଶାସନର ମନବୃତ୍ତିରେ ପରିବର୍ତ୍ତନ ଆସିଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସିଆଇଏର ଏକ ଗୁଇନ୍ଦା ରିପୋର୍ଟରେ ସ୍ପଷ୍ଟ ଭାବେ କୁହିଛି ଯେ ଇରାନରେ ଏବେ ଶାସନ ପରିବର୍ତ୍ତନ ସମ୍ଭବ ନୁହେଁ। ଗୁଇନ୍ଦା ଏଜେନ୍ସୀର କହିବା କଥା ହେଉଛି ଦେଶରେ ଏବେ ଚାଲିଥିବା ବିରୋଧ ପ୍ରଦର୍ଶନରେ ଏତେ ସାମର୍ଥ୍ୟ ନାହିଁ ଯେ ବର୍ତ୍ତମାନର ସରକାରକୁ ଉପାଡି ଫୋପାଡି ପାରିବ। ରିପୋର୍ଟରେ ଏହା ବି ଉଲ୍ଲେଖ କରାଯାଇଛି ଯେ ଶୁକ୍ରବାର ହୋଇଥିବା ବିରୋଧ ପ୍ରଦର୍ଶନ ସିଆଇଏ ଅଧିକାରୀଙ୍କୁ ପୁଣି ସତର୍କ କରିଛି।

ଏହି ଗୁଇନ୍ଦା ରିପୋର୍ଟ ସାର୍ବଜନିକ ହେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟରେ ବଡ଼ ପରିବର୍ତ୍ତନ ଦେଖା ଯାଇଛି। ନିକଟରେ ଏକ ଗଣମାଧ୍ୟମ ସାକ୍ଷାତକାରରେ ଟ୍ରମ୍ପ ଇରାନର ପୂର୍ବତନ ଯୁବରାଜ ରେଜା ପହେଲଭିଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଯଦିଓ ପହେଲଭି ଜଣେ ଭଲ ଲୋକ ହେଲେବି ରାଷ୍ଟ୍ରପତି ଭାବେ ତାଙ୍କୁ ଏବେ ଭେଟି ପାରିବେନି। ଟ୍ରମ୍ପ କହିଛନ୍ତି ଯେ ଏବେ କୌଣସି ଜଣେ ବ୍ୟକ୍ତିଙ୍କୁ ସମର୍ଥନ କରିବା ତରବରିଆ କାମ ହେବ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ଭବିଷ୍ୟତରେ ଇରାନରେ କେଉଁ ନେତା ସାମ୍ନାକୁ ଆସିବେ ତାଙ୍କୁ ଅପେକ୍ଷା କରିବାକୁ ପଡିବ।

ଉଲ୍ଲେଖଯୋଗ୍ୟ ଯେ ରେଜା ପହେଲଭି ଇରାନର ଅନ୍ତିମ ଶାହଙ୍କ ପୁଅ ଓ ସେ ଆମେରିକାରେ ରହି ଭିଡିଓ ମାଧ୍ୟମରେ ଲୋକଙ୍କୁ ବିକ୍ଷୋଭ କରିବାକୁ ନିବେଦନ କରୁଛନ୍ତି। ଇରାନରେ ବିକ୍ଷୋଭ କାଳରେ ହୋଇଥିବା ମୃତ୍ୟୁ କୁ ନେଇ ଟ୍ରମ୍ପ ତାଙ୍କ ଟିପ୍ପଣୀ ସଂଶୋଧନ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ବିରୋଧ ପ୍ରଦର୍ଶନ କାଳରେ ହୋଇଥିବା ୩୦ ମୃତ୍ୟୁ ପାଇଁ ସରକାରଙ୍କୁ ସମ୍ପୂର୍ଣ୍ଣ ଦାୟି କରିବା ଉଚିତ ନୁହେଁ। ତାଙ୍କ ଅନୁସାରେ କିଛି ମୃତ୍ୟୁ ଭିଡ ଅନିୟନ୍ତ୍ରିତ ହେବା କାରଣରୁ ମଧ୍ୟ ହୋଇଛି।

ଇରାନରେ ମୁଦ୍ରାସ୍ପିତି ଓ ସରକାର ବିରୋଧୀ ପ୍ରଦର୍ଶନ ଉପରେ ନଜର ରଖିବା ପାଇଁ ଆମେରିକାର ସିଆଇଏ ଓ ଇସ୍ରାଏଲ ଗୁଇନ୍ଦା ସଂସ୍ଥା ମୋସାଦ ମଧ୍ୟ ସକ୍ରିୟ ରହିଛି। ଇରାନ ଅଧିକାରୀମାନେ ଦାବି କରିଛନ୍ତି ଯେ ସେମାନେ ସିଆଇଏ ଓ ମୋସାଦ ସମ୍ପର୍କିତ ୧୦ରୁ ଅଧିକ ଏଜେଣ୍ଟଙ୍କୁ ଗିରଫ କରିଛନ୍ତି। ଅନ୍ୟପଟେ ଇରାନ ସୁପ୍ରିମ ଲିଡର ଅଲି ଖାମେନେଇ ଇରାନ ପ୍ରଦର୍ଶନକୁ ଆମେରିକା ଓ ଇସ୍ରାଏଲର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଛନ୍ତି। ଖାମେନେଈ କହିଛନ୍ତି ଯେ ଦେଶର ୯ କୋଟି ଲୋକେ ତାଙ୍କ ସହିତ ଅଛନ୍ତି। ତେବେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଥିବା ଲୋକେ ଆମେରିକାକୁ ଖୁସି କରିବାକୁ ଉଦ୍ୟମ କରୁଛନ୍ତି।