ଲଣ୍ଡନଜେଫ୍ରି ଏପଷ୍ଟିନ କେଳେଙ୍କାରୀ ସମ୍ପର୍କିତ ମାମଲାରେ ବ୍ରିଟେନ୍ ରାଜା ଚାର୍ଲଙ୍କ ସାନ ଭାଇ ଅଣ୍ଡ୍ରିୟୁ ମାଉଣ୍ଟବେଟନ-ୱିଣ୍ଡସରଙ୍କୁ ଗୁରୁବାର ଗିରଫ କରାଯାଇଛି। ସରକାରୀ ଅଫିସରେ ଡାଟା ଲିକ୍ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବ୍ରିଟିସ ମିଡିଆ ବିସି ଟିଭି ରିପୋର୍ଟ କରିଛି। ରିପୋର୍ଟ ଅନୁସାରେ, ଆଜି ସକାଳେ, ପୂର୍ବ ଇଂଲଣ୍ଡର ସାଣ୍ଡ୍ରିଂହାମ ଇଷ୍ଟେଟରେ ଥିବା ଉଡ୍ ଫାର୍ମରେ ୬ଟି ସାଧାରଣ କାରରେ ପ୍ରାୟ ୮ ସାଧା ପୋଷାକ ପିନ୍ଧା ପୁଲିସ ଅଧିକାରୀ ପହଞ୍ଚିଥିଲେ। ଏହି ସମ୍ପତ୍ତିଟି ପୂର୍ବ ଇଂଲଣ୍ଡର ଏକ ରାଜ୍ୟ ନର୍ଫୋକରେ ରହିଛି। ସେଠାରେ ଜେରା ପରେ ଆଣ୍ଡ୍ରିୟୁଙ୍କୁ ଗିରଫ କରାଯାଇଛି।

ଏନେଇ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ଥାମେସ ଭ୍ୟାଲି ପୁଲିସ ସ୍ପଷ୍ଟ କରିଥିବା ବେଳେ ବ୍ୟକ୍ତିଙ୍କର ନାଁ କହି ନାହିଁ। ପୁଲିସ କହିଛି “ତଦନ୍ତର ଏକ ଅଂଶ ସ୍ୱରୂପ, ଆମେ ଆଜି (୧୯/୨) ନର୍ଫୋକରୁ ଷାଠିଏ ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କୁ ସରକାରୀ କାର୍ଯ୍ୟାଳୟରେ ସମସ୍ୟା ସୃଷ୍ଟି କରିବା ସନ୍ଦେହରେ ଗିରଫ କରିଛୁ। ତାଙ୍କର ବର୍କଶାୟାର ଏବଂ ନର୍ଫୋକର ଠିକଣାଗୁଡ଼ିକରେ ତଲାସୀ ନେଉଛୁ। ବର୍ତ୍ତମାନ ବ୍ୟକ୍ତି ଜଣକ ପୋଲିସ ହେପାଜତରେ ଅଛନ୍ତି। "ଜାତୀୟ ମାର୍ଗଦର୍ଶିକା ଅନୁଯାୟୀ, ଆମେ ଗିରଫ ବ୍ୟକ୍ତିଙ୍କ ନାଁ ପ୍ରକାଶ କରି ପାରିବୁ ନାହିଁ। ଦୟାକରି ଏହା ମଧ୍ୟ ମନେରଖନ୍ତୁ ଯେ ଏହି ମାମଲା ଏବେ ସକ୍ରିୟ ଅଛି ତେଣୁ କୋର୍ଟ ଅବମାନନାରୁ ରକ୍ଷା ପାଇବା ପାଇଁ ଯେକୌଣସି ପ୍ରକାଶନ ପ୍ରତି ସତର୍କ ରହିବା ଉଚିତ।”

ଆସିଷ୍ଟାଣ୍ଟ ଚିଫ୍ କନଷ୍ଟେବଳ ଅଲିଭର ରାଇଟ୍ କହିଛନ୍ତି, “ପୁଙ୍ଖାନୁପୁଙ୍ଖ ମୂଲ୍ୟାଙ୍କନ ପରେ, ଆମେ ଏବେ ସରକାରୀ କାର୍ଯ୍ୟାଳୟରେ ହୋଇଥିବା ବେଆଇନ କାର୍ଯ୍ୟ ଅଭିଯୋଗର ତଦନ୍ତ ଆରମ୍ଭ କରିଛୁ। ମାମାଲରେ ଲୋକଙ୍କ ଆଗ୍ରହକୁ ଦେଖି ଘଟଣା ସମ୍ପର୍କରେ ପରବର୍ତ୍ତି ଅପଡେଟ ତଥ୍ୟ ଆମେ ସମୟ ଅନୁସାରେ ଦେବୁ ବୋଲି ବ୍ରିଟେନ୍ ପୁଲିସ ଅଫିସର କହିଛନ୍ତି।

ଗୋପନୀୟ ଡକ୍ୟୁମେଣ୍ଟ ଉପରେ ପୋଲିସର ତଦନ୍ତ

ମାଉଣ୍ଟବ୍ୟାଟେନ-ୱିଣ୍ଡସର ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନଙ୍କୁ ଗୁପ୍ତ ସରକାରୀ କାଗଜପତ୍ର ପ୍ରଦାନ କରିଥିବା ଅଭିଯୋଗରେ ତଦନ୍ତ କରୁଥିବା ଥେମ୍ସ ଭ୍ୟାଲି ପୁଲିସ ଚଳିତ ମାସ ଆରମ୍ଭରେ ସୂଚନା ଦେଇଥିଲା। ଆମେରିକା ସରକାରଙ୍କ ଦ୍ୱାରା ସମ୍ପ୍ରତି ପ୍ରକାଶିତ ଫାଇଲଗୁଡ଼ିକରେ ଥିବା ଦାବିଗୁଡ଼ିକର ପୁଲିସ ଯାଞ୍ଚ କରିଥିଲା। ତେବେ ଗୁରୁବାର ଆଣ୍ଡ୍ରିୟୁଙ୍କୁ ଗିରଫ କରିବା ନେଇ ଥେମ୍ସ ଭ୍ୟାଲି ପୁଲିସ କୌଣସି ସୂଚନା ଦେଇ ନାହିଁ।

ଏପଷ୍ଟିନ ଫାଇଲ ବିବାଦ

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଦ୍ୱିତୀୟ ପୁତ୍ର ମାଉଣ୍ଟବ୍ୟାଟେନ-ୱିଣ୍ଡସର ଏପଷ୍ଟିନ ସମ୍ପର୍କିତ କୌଣସି ଅପକର୍ମକୁ ଅଭିଯୋଗକୁ ସେ ଅସ୍ୱୀକାର କରିଆସିଛନ୍ତି। ଏନେଇ ସେ ପୂର୍ବ ବିବୃତ୍ତିରେ କହିଥିଲେ ଯେ ସେ ଅଭିଯୁକ୍ତ ଏପଷ୍ଟିନଙ୍କ ସହିତ ଥିବା ତାଙ୍କ ଘନିଷ୍ଠତା ପାଇଁ ସେ ଦୁଃଖିତ ଅଛନ୍ତି। କିନ୍ତୁ ସେ କୌଣସି ବେଆଇନ କାର୍ଯ୍ୟ କରି ନାହାଁନ୍ତି ବୋଲି କହିଛନ୍ତି। ତେବେ ଆମେରିକା ସରକାର ରିଲିଜ୍ କରିଥିବା ଶେଷ ଫାଇଲଗୁଡ଼ିକୁ ନେଇ ତାଙ୍କୁ ଯେତେ ପ୍ରଶ୍ନ କରାଯାଇଥିଲେ ବି ଆଣ୍ଡ୍ରିୟୁ ସର୍ବସାଧାରଣରେ କୌଣସି ଉତ୍ତର ରଖୁ ନାହାନ୍ତି। ସେହିଭଳି ୟୁକେ ରାଜାଙ୍କ ସରକାରୀ ବାସଭବନ ଓ ପ୍ରଶାସନିକ ମୁଖ୍ୟାଳୟ ବକିଙ୍ଗହାମ ପ୍ୟାଲେସ ପକ୍ଷରୁ ମଧ୍ୟ ଏନେଇ କୌଣସି ସୂଚନା ମିଳିପାରି ନାହିଁ।