ନୂଆଦିଲ୍ଲୀ: କେରଳର ଇଡୁକ୍କି ଜିଲ୍ଲାର ମୁନ୍ନାର ପଞ୍ଚାୟତ ନିର୍ବାଚନରେ ଏଥର ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି । ଏହି ନାଁ ରାଜ୍ୟ ଏବଂ ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ମଧ୍ୟରେ କୌତୁହଳ ସୃଷ୍ଟି କରିଛି । ଏହି ନାଁ ହେଉଛି ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କର । ନାଁ ଶୁଣିବା ପରେ ପ୍ରଥମ ପ୍ରତିକ୍ରିୟାରେ ନିଶ୍ଚିତ ଭାବୁଥିବେ ଯେ ଏକ ଭୁଲ ନାଁ ସଂଯୋଗ । କିନ୍ତୁ ସ୍ଥାନୀୟ ରାଜନୀତିରେ, ଏହି ନାଁ ପୂରା ସତ ।

ସୋନିଆ ଗାନ୍ଧୀ ଲଢୁଛନ୍ତି କେରଳର ମୁନ୍ନାର ପଞ୍ଚାୟତ ନିର୍ବାଚନ । କେବଳ ଏତିକି ନୁହେଁ, ସେ ପୁଣି ବିଜେପିରୁ ପ୍ରାର୍ଥୀ । ସୋନିଆ ଗାନ୍ଧୀଙ୍କୁ ସ୍ଥାନୀୟ ନିର୍ବାଚନରେ ନଲ୍ଲଥନ୍ନୀ କଲ୍ଲାର (ୱାର୍ଡ ୧୬)ରୁ ବିଜେପି ପ୍ରାର୍ଥ କରିଛି । ସୋନିଆ ଗାନ୍ଧୀଙ୍କ ବୟସ ୩୪ ବର୍ଷ । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନାଁ ରଖିଥିବା ଏହି ସୋନିଆଙ୍କ ରାଜନୀତି ବି ରୋଚକ । କଂଗ୍ରେସ ପରିବାରରେ ଜନ୍ମ, କିନ୍ତୁ ବିବାହ ବିଜେପି ପରିବାରରେ ।

ବିଜେପି ପ୍ରାର୍ଥୀ ସୋନିଆ ଗାନ୍ଧୀଙ୍କ ଜନ୍ମ ସ୍ଥାନୀୟ ଶ୍ରମିକ ତଥା କଂଗ୍ରେସ ନେତା ଦୁରେ ରାଜଙ୍କ ଘରେ ହୋଇଥିଲା । ଦୁରେ ରାଜ ନିଜ ଝିଅଙ୍କ ନାଁ ସୋନିଆ ଗାନ୍ଧୀଙ୍କ ନାଁ ଅନୁସାରେ ରଖିଥିଲେ । ସୋନିଆ ଗାନ୍ଧୀ ସେହି ସମୟରେ କଂଗ୍ରେସ ଅଧ୍ୟକ୍ଷ ଥିଲେ । ଏହି ନାଁକୁ ନେଇ ଅଞ୍ଚଳରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ବିବାହ ପରେ ସୋନିଆ ଗାନ୍ଧୀଙ୍କ ପାଇଁ ସ୍ଥିତି ବଦଳି ଯାଇଥିଲା । ମନୋରମା ରିପୋର୍ଟ ଅନୁସାରେ, ସୋନିଆଙ୍କ ସ୍ୱାମୀ ସୁଭାଷ ବିଜେପିର ପଞ୍ଚାୟତ ମହାସଚିବ ଅଛନ୍ତି ଓ ସେ ଅଲ୍ଡୋ ମୁନ୍ନାର ମୁଲକ୍କଡରୁ ଉପନିର୍ବାଚନ ମଧ୍ୟ ଲଢିଥିଲେ । ଏହା ପରେ ସୋନିଆ ଗାନ୍ଧୀ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ସୋନିଆ ଗାନ୍ଧୀ ପ୍ରଥମ ଥର ନିର୍ବାଚନ ଲଢୁଛନ୍ତି ଓ ଏହାକୁ ନେଇ ତାଙ୍କ ମନରେ ଜବରଦସ୍ତ ଉତ୍ସାହ ମଧ୍ୟ ରହିଛି । ତାଙ୍କ ସାମନାରେ କଂଗ୍ରେସର ମଞ୍ଜୁଳା ରମେଶ ଓ ସିପିଏମର ବଲରମତୀ ଅଛନ୍ତି । କେରଳରେ ପଞ୍ଚାୟତ ଓ ପୌର ନିର୍ବାଚନ ଡିସେମ୍ୱର ୯ ଓ ୧୧ରେ ଦୁଇଟି ପର୍ଯ୍ୟାୟରେ ହେବ । ଭୋଟ ଗଣତି ଡିସେମ୍ୱର ରେ ହେବ ।