ଆଠମଲ୍ଲିକ: ଗଞ୍ଜେଇ ଚାଲାଣ ଉପରେ STFର କଡ଼ା ନଜର। ଗଞ୍ଜେଇ ଚୋରା ଚାଲାଣ ଖବର ପାଇ ଆଠମଲ୍ଲିକ ଅଞ୍ଚଳରେ ଚଢ଼ାଉ କରିଛି ଭୁବନେଶ୍ଵର STF ଟିମ୍। ଏହି ଚଢ଼ାଉରେ ୪ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିବା ଆକଳନ କରାଯାଉଛି। ଏଥିସହ ଗୋଟିଏ ୱିଙ୍ଗର ଗାଡ଼ି ଓ ଗୋଟିଏ କାର୍ ଜବତ କରିବା ସହ ୩ ଜଣ ସନ୍ଦିଗ୍ଧ ଗଞ୍ଜେଇ ଚାଲାଣକାରୀଙ୍କୁ ଅଟକ ରଖିଛି STF।

ସୂଚନା ଅନୁସାରେ, ଆଠମଲ୍ଲିକର କିଆକଟା ଓ ମାଧପୁର ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ STF ଟିମକୁ ଖବର ମିଳିଥିଲା। ଏହାପରେ ଭୁବନେଶ୍ଵରରୁ ଆସିଥିବା STF ଟିମ୍ ଚାଲାଣକାରୀଙ୍କ ଗତିବିଧି ଉପରେ ନଜର ରଖିଥିଲା। କିଆକଟା ଅଞ୍ଚଳରୁ ୩ ଜଣଙ୍କୁ ପିଛା କରିଥିଲା ଟିମ୍।

Also Read: ମେଧାରେ ହାସଲ କରିଥିଲେ ବଡ଼ ପଦବୀ, ଲାଞ୍ଚ ନେଇ ହରାଇଲେ ସମ୍ମାନ! ଚର୍ଚ୍ଚାରେ ଅଫିସରଙ୍କ କଳା କାରନାମା

ପିଛା କରୁଥିବା ଜାଣିପାରି ଚାଲାଣକାରୀମାନେ ଖସିଯିବାକୁ ଉଦ୍ୟମ କରିଥିଲେ। ତେବେ ଠାକୁରଗଡ଼ ଥାନା ଅନ୍ତର୍ଗତ ଆମ୍ବସରମୁଣ୍ଡା ନିକଟରେ STF ଟିମ୍ ସେମାନଙ୍କୁ କାବୁ କରିଥିଲା। ଚଢ଼ାଉ ସମୟରେ ବିପୁଳ ପରିମାଣର ଗଞ୍ଜେଇ ସହ ଦୁଇଟି ଗାଡ଼ି ଜବତ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପଟେ, ଘଟଣା ସମ୍ପର୍କରେ STF ପକ୍ଷରୁ ଏଯାଏଁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ। ଅଟକ ଥିବା ୩ ଜଣଙ୍କୁ ଅଧିକ ପଚରାଉଚରା ଓ ତଦନ୍ତ ପାଇଁ ଠାକୁରଗଡ଼ ଥାନାରେ ରଖାଯାଇଛି। ଏହି ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ କେଉଁଠାକୁ ଚାଲାଣ ହେଉଥିଲା, ସେନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।