କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରୁ ସ୍କୁଟି ଡିକି ତାଡ଼ି ଲକ୍ଷେ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ କୋରୁଆ ବଜାରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, କୋରୁଆ ଗାଁର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଦୁର୍ଗାଚରଣ ସାହୁ କୋରୁଆ ଏସ୍ବିଆଇ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇଥିଲେ। ଟଙ୍କାକୁ ସ୍କୁଟି ଡିକିରେ ରଖି ସେ ଏକ ଔଷଧ ଦୋକାନକୁ ଯାଇଥିଲେ।

କିଛି ସମୟ ପରେ ଦୁର୍ଗାଚରଣ ଫେରି ଆସି ସ୍କୁଟି ନିକଟକୁ ଯିବା ପରେ ଡିକି ଭଙ୍ଗା ଯାଇଥିବା ଦେଖିଥିଲେ। ଡିକି ଭିତରେ ରଖିଥିବା ଲକ୍ଷେ ଟଙ୍କା ମଧ୍ୟ ନଥିଲା। ଏହାପରେ ସେ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାର ସିସିଟିଭି ଫୁଟେଜରୁ ଦୁଇଜଣ ଦୁର୍ବୃତ୍ତ ଟଙ୍କା ଲୁଟ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଦୁଇଜଣ ଅଭିଯୁକ୍ତ ବ୍ୟାଙ୍କ ନିକଟରୁ ଦୁର୍ଗାଚରଣଙ୍କୁ ପିଛା କରି ଆସିଥିବା ଏବଂ ସୁଯୋଗ ପାଇ ସ୍କୁଟି ଡିକି ଭାଙ୍ଗି ଟଙ୍କା ନେଇ ପଳାଇଥିବା ସିସିଟିଭି ଫୁଟେଜରୁ ଜଣାପଡ଼ିଥିବା କୁହାଯାଉଛି।

also read-ରାଜ୍ୟରେ ଆସୁଛି ବଡ଼ ବର୍ଷା, ୨୨ରୁ ୨୬ ଯାଏଁ ପ୍ରବଳ ଛେଚିବ

ଏନେଇ କୁଦାନଗରୀ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍କୁ ଆଧାର କରି ଲୁଟେରାଙ୍କୁ ଚିହ୍ନଟ କରିବା ସହ ଲୁଟ୍ ଟଙ୍କା ଉଦ୍ଧାର ପାଇଁ ପୁଲିସ ତଦନ୍ତ ଚଳାଇଛି।