ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଏସଆଇଆର ବିରୋଧରେ ଇଣ୍ଡି ମେଣ୍ଟ ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଦିଲ୍ଲୀରେ ହେଉଥିବା ଆନ୍ଦୋଳନରେ ଜଣେ କାଶ୍ମୀର ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମର୍ଥନରେ ନାରା ଦେଇ ହଟହଟ୍ଟା ହୋଇଛନ୍ତି । ଭିଡ଼ ଭିତରେ ପ୍ରବଳ ମାଡ଼ ଖାଇଛନ୍ତି ଫହିମ ନାଜିର । ଆନ୍ଦୋଳନକାରୀ ଘେରିଯାଇ ତାଙ୍କୁ ମାଡ଼ ମାରିଥିବା ନେଇ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀର କନ୍ନଟ ପ୍ଲେସ ସାମ୍ନାରେ ଏହି ଘଟଣା ଘଟିଛି ।

​​​​​​​

ଭିଡିଓରେ ଦେଖିବାକୁ ମିଳିଛି, ଫହିମଙ୍କୁ ଘେରିଯାଇ ଲୋକମାନେ ମାଡ଼ ମାରିଛନ୍ତି । ଭିଡ଼ ମଧ୍ୟରେ କିଛି ଲୋକ ତାଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ଫହିମ ନାଜିର କହିଛନ୍ତି, ସେ ଶ୍ରୀନଗର ବାସିନ୍ଦା ଏବଂ ପିଏମ ମୋଦୀଙ୍କ ବଡ଼ ପ୍ରଶଂସକ । କିନ୍ତୁ ସେ ବିଜେପି ସହ ଜଡ଼ିତ ନୁହନ୍ତି ।  ପିଏମ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନୀତି ଲାଗି ଜମ୍ମୁକାଶ୍ମୀରରେ ଆତଙ୍କବାଦ ହ୍ରାସ ପାଇଛି । ସେ ଅଭିଯୋଗ କରିଛନ୍ତି, ଯେତେବେଳେ ବିରୋଧୀ ଜିତୁଛନ୍ତି ସେତେବେଳେ ନିର୍ବାଚନ ଆୟୋଗ ଠିକ । କିନ୍ତୁ ବିଜେପି ଜିତିଲେ ନିର୍ବାଚନ ଆୟୋଗଙ୍କୁ ଚୋର ବୋଲି କୁହାଯାଉଛି ।

ଗଣମାଧ୍ୟମ ସାମ୍ନାରେ କାନ୍ଦି ପକାଇ ସେ କହିଛନ୍ତି, ‘ରାହୁଲ ଗାନ୍ଧୀଙ୍କ ପ୍ରତି କୌଣସି ଅଭଦ୍ର ବ୍ୟବହାର କରିନାହିଁ । ଯଦି ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରିବାର କୌଣସି ଭିଡିଓ ଥାଏ, ତେବେ ମୁଁ ଦେଶବାସୀଙ୍କୁ କ୍ଷମା ମାଗିବି।  ଭାରତକୁ ନେପାଳ, ଶ୍ରୀଲଙ୍କା କିମ୍ବା ବାଂଲୋଦେଶ ହେବାକୁ ଦେବି ନାହିଁ । ଜଣେ ଦାୟିତ୍ବବାନ ନାଗରିକ ଭାବରେ ନିଜର ମତ ରଖିବାର ଅଧୀକାର ଅଛି ।’ ଗଣମାଧ୍ୟକୁ ପ୍ରତିକ୍ରିୟ ଦେଉଥିବା ସମୟରେ ତାଙ୍କୁ ଆନ୍ଦୋଳନକାରୀ ଟାଣିବାକୁ ଚେଷ୍ଟା କରିଥିଲେ । ଏହା କଣ ବାକ୍‌ ସ୍ବାଧୀନତା କି ବୋଲି ପ୍ରଶ୍ନ କରିଥିଲେ ଫହିମ ନାଜିର ।

କଂଗ୍ରେସକୁ ଟାର୍ଗେଟ୍‌ କଲା ବିଜେପି


ଏହି ଘଟଣାକୁ ନେଇ କଂଗ୍ରେସକୁ ସମାଲୋଚନା କରିଛି ବିଜେପି । ମୋଦୀଙ୍କ ସମର୍ଥନରେ ନାରା ଦେଉଥିବାରୁ ଜଣେ ଯୁବକଙ୍କୁ କଂଗ୍ରେସ କର୍ମୀ ମାଡ଼ ମାରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏହି ଭିଡିଓକୁ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି,  କଂଗ୍ରେସ କର୍ମୀଙ୍କ କାର୍ଯ୍ୟ ନିନ୍ଦନୀୟ ।  ଯେତେବେଳେ ଜଣେ ଦେଶର ଯୁବକ ପିଏମ ମୋଦୀଙ୍କ ସମର୍ଥନରେ ନାରା ଦେଉଛନ୍ତି, ତାଙ୍କୁ ଘେରି ଯାଇ ମାଡ଼ ମରାଯାଉଛି । ଅରାଜକ କଂଗ୍ରେସ ଏବେ ଆକ୍ରମଣ କରୁଛି । ଏହି ଲଢ଼େଇ ଗଣତନ୍ତ୍ରକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଭାରତୀୟ ନାଗରିକ ଏବଂ କଂଗ୍ରେସ ମଧ୍ୟରେ ହେଉଛି ବୋଲି  ସେ ଲେଖିଛନ୍ତି । ସେପଟେ ଫହିମ ନାଜିରଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।