ବେଙ୍ଗାଲୁରୁ: କର୍ଣ୍ଣାଟକ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଶିକ୍ଷାନୁଷ୍ଠାନକୁ ମୁସଲମାନ ଛାତ୍ରୀଙ୍କୁ ହିଜାବ, ହିନ୍ଦୁ ବ୍ରାହ୍ମଣ ଛାତ୍ରଙ୍କୁ ଉପବିତ ଓ ପଞ୍ଜାବୀଙ୍କୁ ପଗଡ଼ି ପିନ୍ଧି ଆସିବାକୁ ଅନୁମତି ଦେଇଛନ୍ତି। ସିଦ୍ଦାରମୈୟାଙ୍କ କଂଗ୍ରେସ ସରକାର ୨୦୨୨ରେ ବି.ଏସ୍.ୟଦୟୁରପ୍ପାଙ୍କ ବିଜେପି ସରକାରରେ ଏ ନେଇ ଥିବା କଟକଣାକୁ ପ୍ରତ୍ୟାହୃତ କରିଛନ୍ତି। ଏଣୁ ଏବେ ଶିକ୍ଷାନୁଷ୍ଠାନକୁ ବିଭିନ୍ନ ଧର୍ମର ଛାତ୍ରଛାତ୍ରୀ ସେମାନଙ୍କ ଧର୍ମାନୁସାରେ ପଗଡ଼ି, ଉପବିତ, ରୁଦ୍ରାକ୍ଷ, କଡ଼ା ଓ ହିଜାବ ପିନ୍ଧି ଆସି ପାରିବେ। ଏ ନେଇ କୌଣସି କଟକଣା ରହିବ ନାହିଁ।

୨୦୨୨ରେ ବିଜେପି ସରକାରଙ୍କ ଛାତ୍ରଛାତ୍ରୀଙ୍କ ଲାଗି ଏପରି କଟକଣା ସେତେବେଳେ ବିବାଦର କାରଣ ହୋଇଥିଲା। ମାମଲା କୋର୍ଟକୁ ମଧ୍ୟ ଯାଇଥିଲା। ତେବେ କୋର୍ଟଙ୍କ ନିଷ୍ପତ୍ତି ପରେ ସରକାରଙ୍କ ଆଦେଶ ସର୍ବମାନ୍ୟ ହୋଇଥିଲା। ନୂଆ ଆଦେଶ ଅନୁସାରେ ଆଗାମୀ ଶିକ୍ଷା ବର୍ଷରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜକୁ ସେମାନଙ୍କ ଲାଗି ନିର୍ଦ୍ଧାରିତ ୟୁନିଫର୍ମ ସହିତ ନିଜନିଜ ଧାର୍ମିକ ପ୍ରତୀକ ପିନ୍ଧି ଆସି ପାରିବେ। ଏ ନେଇ କୌଣସି କଟକଣା ରହିବ ନାହିଁ। ସରକାର ଏହା ବି କହିଛନ୍ତି ଯେ ଏପରି ଧାର୍ମିକ ପ୍ରତୀକ ପିନ୍ଧିବା କାରଣରୁ କୌଣସି ଛାତ୍ର ଛାତ୍ରୀଙ୍କୁ ପରୀକ୍ଷା ପ୍ରବେଶରୁ ବଞ୍ଚିତ କରାଯାଇ ପାରିବନି।

୨୦୨୨ ମସିହାରେ ସେତେବେଳେ ଏକ ବଡ଼ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ ବିଦ୍ୟାଳୟକୁ ହିଜାବ, ଉପବିତ, ପଗଡ଼ି ଓ ଅନ୍ୟ ଧାର୍ମିକ ସଂକେତ ପିନ୍ଧି ଆସିବା ଉପରେ କଟକଣା ଜାରି ହୋଇଥିଲା। ଏଥିରେ ବିଦ୍ୟାଳୟମାନଙ୍କୁ ମୁସଲମାନ ଛାତ୍ରୀଙ୍କୁ ହିଜାବ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା। କାରଣ ସେମାନେ ପିନ୍ଧୁଥିବା ହିଜାବ ଶିକ୍ଷାନୁଷ୍ଠାନର ନିର୍ଦ୍ଧାରିତ ୟୁନିଫର୍ମ ଅନୁରୂପ ନଥିଲା। ଏହା ପରେ ବିଜେପି ସରକାର ଛାତ୍ରଛାତ୍ରୀଙ୍କ ଲାଗି ଶିକ୍ଷାନୁଷ୍ଠାନଙ୍କ ୟୁନିଫର୍ମ ପିନ୍ଧିବା ବାଧ୍ୟତାମୂଳକ କରିଦେଇଥିଲେ। ପରେ କର୍ଣ୍ଣାଟକ ହାଇକୋର୍ଟ ମଧ୍ୟ ସରକାରଙ୍କ ଆଦେଶକୁ କାୟମ ରଖି କହିଥିଲେ ଯେ ହିଜାବ ଇସ୍ଲାମରେ ଏକ ଆବଶ୍ୟକ ଧାର୍ମିକ ପ୍ରଥା ନୁହେଁ।