ନୂଆଦିଲ୍ଲୀ: ଜୀବନ ସାରା ଭିକ୍ଷା ବୃତ୍ତି କରି ସଞ୍ଚିଥିଲେ ଲକ୍ଷ ଲକ୍ଷ ଟଙ୍କା । ହେଲେ ଭୋଗ କରିପାରିଲେନି କିଛି। ବୟସଜନିତ ସମସ୍ୟା ଯୋଗୁ ଚାଲିଗଲା ଜୀବନ। ଆଉ ପଛରେ ରହିଗଲା ତାଙ୍କର ଏହି ଟଙ୍କା। କର୍ଣ୍ଣାଟକର ମାଣ୍ଡ୍ୟା ଅଞ୍ଚଳରୁ ଆସିଛି ଏହି ଦୁଃଖଦ ତଥା ଆଶ୍ଚର୍ଯ୍ୟଜନକ ଖବର । ଭିକ୍ଷା ବୃତ୍ତି କରି ଚଳୁଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ମିଳିଛି ପ୍ରାୟ ୮ ଲକ୍ଷରୁ ଅଧିକ ଟଙ୍କା। ଏହି ଟଙ୍କା ପ୍ରାୟ ୩୦ଟି ବସ୍ତାରେ ଭର୍ତ୍ତି ହୋଇ ରହିଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ମାଣ୍ଡ୍ୟା ସହରରେ ରହୁଥିବା ୬୮ ବର୍ଷୀୟା ବୃଦ୍ଧା ହୁର ଦୀର୍ଘ ଦିନ ଧରି ଭିକ ମାଗି ନିଜର ଗୁଜୁରାଣ ମେଣ୍ଟାଉଥିଲେ। ହେଲେ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ରବିବାର ତାଙ୍କର ପରଲୋକ ହୋଇଥିଲା । ବୃଦ୍ଧାଙ୍କ ମୃତ୍ୟୁ ପରେ ଯେତେବେଳେ ସ୍ଥାନୀୟ ଲୋକେ ତାଙ୍କ ଘରକୁ ଯାଇ ଯାଞ୍ଚ କରିଥିଲେ, ସେତେବେଳେ ସେଠାରେ ଟଙ୍କା ଭର୍ତ୍ତି ବସ୍ତା ଦେଖିବାକୁ ପାଇଥିଲେ ।

ବୃଦ୍ଧାଙ୍କ ଘରେ ଥିବା ଏହି ୩୦ରୁ ଅଧିକ ବସ୍ତାରେ ୧୦, ୨୦ ଏବଂ ୫୦ ଟଙ୍କିଆ ନୋଟ ସହ ହଜାର ହଜାର କଏନ୍ ମଧ୍ୟ ହୋଇ ରହିଥିଲା । ସ୍ଥାନୀୟ ଲୋକେ ଏହି ଟଙ୍କା ଗଣୁଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ହୁର ନିଜ ଭଉଣୀଙ୍କ ସହ ସେହି ଘରେ ରହୁଥିଲେ, ହେଲେ ଦୁଇ ବର୍ଷ ତଳେ ତାଙ୍କ ଭଉଣୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା । ଦୁହିଁଙ୍କ ମଧ୍ୟରୁ କେହି ବି ବିବାହ କରିନଥିଲେ ।

Also Read: ୪ ହାତ ୪ ଗୋଡ଼ ନେଇ ଜନ୍ମ ହେଲା ଶିଶୁ ! ଡାକ୍ତର ବି ଆଶ୍ଚର୍ଯ୍ୟ, ଦେଖିବାକୁ ହସ୍ପିଟାଲରେ ଭିଡ଼

ତେବେ ସମ୍ପୂର୍ଣ୍ଣ ଟଙ୍କା ଗଣାଯିବା ପରେ ମୋଟ ରାଶି ୮,୪୦,୦୦୦ ଟଙ୍କା ହୋଇଥିଲା । ଏହାପରେ ସ୍ଥାନୀୟ ଲୋକେ ବୃଦ୍ଧାଙ୍କ ଦୁଇ ଭାଇଙ୍କୁ ଡକାଇ ସମସ୍ତ ଟଙ୍କା ହସ୍ତାନ୍ତର କରିଥିଲେ। ସେଥିମଧ୍ୟରୁ ଜଣେ ଭାଇ ୬ ଲକ୍ଷ ଟଙ୍କା ରଖିଥିବା ବେଳେ ଅନ୍ୟ ଜଣେ ଭାଇ ନିଜ ଭାଗକୁ ମିଳିଥିବା ୨,୪୦,୦୦୦ ଟଙ୍କା ଏକ ମସଜିଦ୍କୁ ଦାନ କରିଦେଇଛନ୍ତି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାରେ ଥିବା ବେଳେ, ସମସ୍ତଙ୍କ ମୁହଁରେ ଗୋଟିଏ କଥା ଜୀବନ ସାରା କଷ୍ଟ କରି ଜମାଇଥିବା ଏହି ଅର୍ଥ ଶେଷରେ ବୃଦ୍ଧାଙ୍କ ନିଜ କାମରେ ଆସିପାରିଲା ନାହିଁ।