ନୂଆଦିଲ୍ଲୀ ୧୯।୩: ଇଦ୍ ପୂର୍ବରୁ ପାକିସ୍ତାନରେ ପ୍ରକୃତିର ତାଣ୍ଡବ । ଖେଳିଯାଇଛି ଶୋକର ଛାୟା । ଆଫଗାନିସ୍ତାନ ସହ ଚାଲିଥିବା ସଂଘର୍ଷକୁ ଇଦ୍ ପାଇଁ କିଛି ସମୟ ବିରତି ଦେଇଥିବା ପଡ଼ୋଶୀ ଦେଶ ପାକିସ୍ତାନ ଉପରେ ଏବେ ପ୍ରକୃତିର କରାଳ ରୂପ ଧାରଣ କରିଛି । କରାଚିରେ ବୁଧବାର ରାତିରେ ହୋଇଥିବା ପ୍ରବଳ ବର୍ଷା ଓ ଝଡ଼ ଯୋଗୁଁ ଅତିକମରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ବାଲଦିଆ ଟାଉନର ମୱାଚ୍ ଗୋଥ୍ ଅଞ୍ଚଳରେ ସବୁଠାରୁ ବଡ଼ ଦୁର୍ଘଟଣା ଘଟିଛି । ବର୍ଷା ସମୟରେ ଏକ ପରିତ୍ୟକ୍ତ କୋଠାର କାନ୍ଥ ଓ ଛାତ ଭୁଶୁଡ଼ି ପଡ଼ି ଚାପି ହୋଇ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଉଦ୍ଧାରକାରୀ ଦଳ ଧ୍ଵଂସାବଶେଷରୁ ମୃତଦେହଗୁଡ଼ିକୁ ବାହାର କରିଛନ୍ତି । ପ୍ରାଥମିକ ସୂଚନା ଅନୁଯାୟୀ, ବର୍ଷାରୁ ରକ୍ଷା ପାଇବା ପାଇଁ ଏହି ଲୋକମାନେ କୋଠା ତଳେ ଆଶ୍ରୟ ନେଇଥିଲେ ।

କେବଳ ବାଲଦିଆ ଟାଉନ୍ ନୁହେଁ, ବରଂ ସହରର ଅନ୍ୟ ଅଞ୍ଚଳରୁ ମଧ୍ୟ ଦୁଃଖଦ ଖବର ମିଳିଛି । ଲାନ୍ଧୀ ମଜିଦ୍ କଲୋନୀରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଛି । ମାଲିର୍ ନଦୀ ନିକଟ ୟାରୁ ଗୋଥ୍ ଅଞ୍ଚଳରେ ବଜ୍ରପାତ ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । କୋରାଙ୍ଗିରେ ଏକ ଘରର ଛାତ ପଡ଼ି ଜଣେ ମହିଳା ଏବଂ କୋରାଙ୍ଗି ନମ୍ବର ୫ରେ ଗଛ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପାକିସ୍ତାନ ପାଣିପାଗ ବିଭାଗ (PMD) ପୂର୍ବରୁ ସୂଚନା ଦେଇଥିଲା ଯେ, ପଶ୍ଚିମା ଝଡ଼ ପ୍ରଭାବରେ କରାଚି ସମେତ ସିନ୍ଧ ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ।  ଏହି ଘଟଣା ପରେ ସିନ୍ଧ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନ ଓ ଜରୁରୀକାଳୀନ ସେବା ସଂସ୍ଥାକୁ ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧ୍ଵଂସାବଶେଷ ତଳେ ଆହୁରି କିଛି ଲୋକ ଫସି ରହିଥିବା ଆଶଙ୍କାରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Also Read- Iran_War ବିଶ୍ୱର ସବୁଠୁ ବଡ ପ୍ରାକୃତିକ ଗ୍ୟାସ୍ ପ୍ଲାଣ୍ଟରେ ଆକ୍ରମଣ, ଇରାନର ମିସାଇଲ ମାଡ଼ରେ ଜଳିଗଲା 'ରାସ୍ ଲାଫାନ୍'