ଲମତାପୁଟ, ୦୩/୧୦ : ମାଛକୁଣ୍ଡ ପୋଲିସକୁ ପୁଣି ମିଳିଛି ବଡ଼ ସଫଳତା। ପିକଅପ ଭ୍ୟାନରୁ ୫ କ୍ୱିଣ୍ଟାଲ୍ ଏବଂ ୪୪ କେଜିର ଗଞ୍ଜେଇ ଜବତ ହୋଇଛି । ଏହାସହ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ କରିଛି ପୋଲିସ ।

ରିପୋର୍ଟ ଅନୁସାରେ, ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ଗଞ୍ଜେଇ ଚୋରା ଚାଲାଣର ଖବର ପାଇ ମାଛକୁଣ୍ଡ ପୋଲିସ ଏକ ଟିମ୍ ଗଠନ କରିଥିଲା । ବାଦିଗଡ଼ ଗ୍ରାମ ନିକଟରେ ନାକାବନ୍ଦୀ କରିଥିଲା l ଏକ ପିକ ଅପ୍ ଭ୍ୟାନ ଦ୍ରୁତ ଗତିରେ ଆସୁଥିବା ଦେଖି ଗାଡ଼ିକୁ ଅଟକାଇ ଥିଲା ପୋଲିସ l ଭ୍ୟାନକୁ ଯାଞ୍ଚ କରିବାରୁ ପଛପଟ ଡାଲା ଭିତରେ ୨୭ଟି ଜରି ବ୍ୟାଗରେ ଗଂଜେଇ ଭର୍ତ୍ତି ହୋଇ ରହିଥିଲା ।

Also Read :- ଛାତ୍ର ସଂସଦ ନିର୍ବାଚନ ପାଇଁ ଅପରାହ୍ନରେ ଆସିବ ବିଜ୍ଞପ୍ତି ! ଦଶହରା ପୂର୍ବରୁ ସରିବ ପ୍ରକ୍ରିୟା

ସଙ୍ଗେ ସଙ୍ଗେ ଗାଡ଼ିରେ ଥିବା ଗଞ୍ଜେଇ ମାଫିଆକୁ ଗିରଫ କରି ଜବତ ସାମଗ୍ରୀକୁ ଓଜନ କରାଯାଇଥିଲା l ଭ୍ୟାନରୁ ୫କୁଇଣ୍ଟାଲ ୪୪ କେଜି ସବୁଜ ଜହର ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେବା ନେଇ ସୂଚନା ମିଳିଛି l ଏହି ସବୁ ଅନକାଡେଲି ଅଞ୍ଚଳରୁ ପଡୋଶୀ ରାଜ୍ୟ ଛତିଶଗଡ଼କୁ ଚୋରା ଚାଲାଣ ହେଉଥିଲା । ଅନ୍ୟ ଦିଗରେ ଗିରଫ ଅଭିଯୁକ୍ତ ଗାଡି ଚାଳକ ଜୟପୁର ଅଞ୍ଚଳର ରାଜେନ୍ଦ୍ର କୁଲଦୀପ ବୋଲି ଜଣାପଡିଛି । ଏଥିରେ ଅନ୍ୟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ତାକୁ ନେଇ ତଦନ୍ତ ଜାରି ରଖିଛି ମାଛକୁଣ୍ଡ ପୋଲିସ ।