ନୂଆଦିଲ୍ଲୀ ୧୦।୦୬; ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଭୟଙ୍କର ଅଘଟଣ। କ୍ଲିଭଲ୍ୟାଣ୍ଡର ‘ଜମ୍ପର୍ସ’ ନାମକ ଏକ ଅସ୍ଥାୟୀ ଜନବସତି ଅଞ୍ଚଳରେ ଗତ ମଙ୍ଗଳବାର ସନ୍ଧ୍ୟାରେ କେତେକ ସଶସ୍ତ୍ର ବନ୍ଧୁକଧାରୀ ଆତତାୟୀ ଗୁଳିକାଣ୍ଡ ଘଟାଇଛନ୍ତି, ଯେଉଁଥିରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୯ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ବୁଧବାର ସ୍ଥାନୀୟ ପୋଲିସ ପକ୍ଷରୁ ଜାରି ବୟାନ ଓ ରଏଟର୍ସର ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ରୁ ଅଧିକ ସନ୍ଦିଗ୍ଧ ଦୁର୍ବୃତ୍ତ ଏକ ଧଳା ରଙ୍ଗର''ଟୟୋଟା କ୍ୱାଣ୍ଟମ୍'' ଗାଡ଼ିରେ ଆସି ସେହି ବସ୍ତିର ଦୁଇଟି ପ୍ରବେଶ ପଥ ଦେଇ ଭିତରକୁ ପଶିଥିଲେ।

ସେମାନେ ସେଠାରେ ଅଲଗା ଅଲଗା ସ୍ଥାନରେ ଆନ୍ଧାଧୁନ୍ଧ ଗୁଳି ଚଳାଇବା ପରେ ସେହି ଗାଡ଼ିରେ ହିଁ ଫେରାର ହୋଇଯାଇଥିଲେ। ଏହି ନୃଶଂସ ଆକ୍ରମଣ ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ, ପୋଲିସ ସମଗ୍ର ଅଞ୍ଚଳକୁ କର୍ଡନ କରି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଏକ ବଡ଼ ଧରଣର ମ୍ୟାନହଣ୍ଟ ବା ସର୍ଚ୍ଚ ଅପରେସନ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଅନେକ ଲୋକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ି ରହିଥିଲେ, ଯେଉଁଠାରେ ୮ ଜଣ ପୁରୁଷ ଓ ୩ ଜଣ ମହିଳାଙ୍କ ସମେତ ୧୧ ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା।

ପରେ ଆଉ ଜଣେ ଗୁରୁତର ବ୍ୟକ୍ତି ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ, ଯାହା ଫଳରେ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ବାକି ୯ ଜଣ ଆହତଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି। ଉଲ୍ଲେଖଯୋଗ୍ୟ ଯେ, ସାରା ବିଶ୍ୱରେ ଦକ୍ଷିଣ ଆଫ୍ରିକାରେ ହତ୍ୟା ହାର ସବୁଠାରୁ ଅଧିକ ରହିଛି, ଯେଉଁଠାରେ ଦୈନିକ ହାରାହାରି ପ୍ରାୟ ୬୦ ଜଣ ଲୋକ ନିଜର ଜୀବନ ହରାନ୍ତି, ଯାହା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ପାଲଟିଛି।