ନୂଆଦିଲ୍ଲୀ, ୦୨/୦୧ : ଦେଶର ଶାସକମାନଙ୍କୁ ଗାଦିରୁ ହଟାଇବାକୁ ପଡିବ । ରାସ୍ତାରେ ଗୋଡାଇ ଗୋଡାଇ ପିଟିବାକୁ ହେବ । ଭାରତରେ ନେପାଳ ଏବଂ ବାଂଲାଦେଶ ଭଳି ଆନ୍ଦୋଳନର ଆବଶ୍ୟକତା ଅଛି । କିଛି ଏମିତି ବୟାନ ଦେଇ ବିବଦୀୟ ହୋଇ ପଡିଛନ୍ତି ହରିୟାଣାର ଜନନାୟକ ଜନତା ପାର୍ଟିର ମୁଖ୍ୟ ଅଜୟ ଚୌଟାଲା । ମହେନ୍ଦ୍ରଗଡ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦେଇଥିବା ବୟାନ ଏବେ ଚର୍ଚ୍ଚାରେ ।

ଅଜୟ କହିଛନ୍ତି ଯେ, ଶାସକମାନଙ୍କୁ ଦେଶକୁ ବିଦା କରିବାକୁ ପଡିବ । ସେମାନେ ଦେଶ ଛାଡି ପଳାଇବା ଦରକାର । ବାଂଲାଦେଶ, ନେପାଳ ଏବଂ ଶ୍ରୀଲଙ୍କାରେ ଏପରି ହୋଇଥିଲା । ଭାରତରେ ସମାନ ଆନ୍ଦୋଳନ ଦରକାର । ପଡୋଶୀ ଦେଶରେ ଅନେକ ସରକାର ହଟିଛନ୍ତି । ଆନ୍ଦୋଳନ କରି ସରକାରଙ୍କୁ ଗାଦିଚ୍ୟୁତ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶାସକମାନେ ବାଂଲାଦେଶ ଏବଂ ନେପାଳରେ ରାତାରାତି ଦେଶ ଛାଡି ପଳାଇଲେ । ନେପାଳର ଯୁବପୀଢି କେବଳ ରାସ୍ତାରେ ଜନ ପ୍ରତିନିଧିଙ୍କୁ ପିଟି ନାହାଁନ୍ତି ବରଂ ସରକାର ଭାଙ୍ଗି ଦେଇଛନ୍ତି । ସେହିପରି ଭାରତରେ ମଧ୍ୟ ଶାସକଙ୍କୁ ଘୋଷାରି ରାସ୍ତାରେ ମାଡ ମାରିବା ଦରକାର । ସେମାନଙ୍କୁ ଦେଶ ଛାଡି ଯିବାକୁ ବାଧ୍ୟ କରାଯିବ ଉଚିତ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଅଜୟ ଚୌଟାଲା ହେଲେ ହରିୟାଣାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ସିଂ ଚୌଟାଲାଙ୍କ ପିତା । ଅଜୟଙ୍କ ପିତା ଓମ୍ ପ୍ରକାଶ ଚୌଟାଲା ମଧ୍ୟ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିଲେ ।