ଭୋପାଳ, ୦୮/୦୫: ଜଣେ ମହିଳା ଜେଲର । ଅନ୍ୟ ଜଣେ ହତ୍ୟା ଅଭିଯୁକ୍ତ। ଜେଲ ଭିତରେ ଗଢ଼ି ଉଠିଲା ପ୍ରେମ। ଏହି ପ୍ରେମ ଏବେ ବିବାହରେ ପରିଣତ ହୋଇଛି। ଗl ୫ ତାରିଖରେ ଉଭୟ ପରସ୍ପରକୁ ଜୀବନସାଥୀ କରିଛନ୍ତି। ମହିଳା ଜେଲର ହେଉଛନ୍ତି ଫିରୋଜା ଖାତୁନ । ସେ ଧର୍ମେନ୍ଦ୍ର ସିଂହ ଓରଫ ଅଭିଳାଷଙ୍କୁ ବିବାହ କରିଛନ୍ତି। ଏହି ଘଟଣା ଏବେ ସମଗ୍ର ମଧ୍ୟପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ମଧ୍ୟପ୍ରଦେଶର ସତନା କେନ୍ଦ୍ରୀୟ ଜେଲର ସହାୟକ ଅଧୀକ୍ଷକ ଫିରୋଜା ହତ୍ୟା ମାମଲାରେ ସଜା କାଟୁଥିବା ଅଭିଳାଷଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି। ଛତରପୁର ଜିଲ୍ଲା ଅନ୍ତର୍ଗତ ଲବକୁଶ ନଗରରେ ହୋଇଥିବା ଏହି ବିବାହ ଉତ୍ସବରେ ଅନେକ ଅତିଥି ସାମିଲ ହୋଇଥିଲେ। ତେବେ ଅଭିଳାଷ ଆଜୀବନ କାରାଦଣ୍ଡ ଭୋଗିଛନ୍ତି। ପ୍ରାୟ ୪ ବର୍ଷ ପୂର୍ବେ ସେ ଜେଲରୁ ମୁକୁଳିଥିଲେ। ଫିରୋଜାଙ୍କ ପରିବାର ଲୋକ ଏହି ସମ୍ପର୍କକୁ ବିରୋଧ କରିଥିଲେ। ତେଣୁ ସେମାନେ ବିବାହ ଉତ୍ସବରେ ସାମିଲ ହୋଇ ନ ଥିଲେ। ଏଭଳି ସ୍ଥିତିରେ ସତନା ବିଶ୍ଵ ହିନ୍ଦୁ ପରିଷଦର ଜିଲ୍ଲା ଉପାଧ୍ୟକ୍ଷ ରାଜବାହାଦୁର ମିଶ୍ର ସପତ୍ନୀକ ପିତାମାତା ଭାବେ କନ୍ୟାଦାନ କରିଛନ୍ତି। ଏହି ସମୟରେ ବଜରଙ୍ଗ ଦଳର ଲୋକମାନେ ଉପସ୍ଥିତ ଥିଲେ । ଖବର ସାମ୍ନାକୁ ଆସିବା ପରେ ସଜ୍ଜା ଜେଲ ଅଧିକାରୀଗଣ, କର୍ମଚାରୀ ଏବଂ କଏଦୀମାନେ ନବ ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସୂଚନାଯୋଗ୍ୟ, ସତନା ଜେଲରେ ପଦଭାର ଗ୍ରହଣ ବେଳେ ଫିରୋଜା ଖାତୁନ ୱାରେଣ୍ଟ ଇନଚାର୍ଜ ଭାବେ ଦାୟିତ୍ଵ ସମ୍ଭାଳିଥିଲେ। ଏହି ସମୟରେ ହତ୍ୟା ମାମଲାରେ ସଜା କାଟୁଥିବା ଅଭିଳାଷ ମଧ୍ୟ ସଜ୍ଜା କାଟୁଥିଲେ। ଏହି ସମୟରେ ଉଭୟଙ୍କ ମଧ୍ୟରେ କଥାବାର୍ଭା ଆରମ୍ଭ ହୋଇଥିଲା। ଏହାପରେ ବନ୍ଧୁତା ସ୍ଥାପନ ହୋଇଥିଲା ଏବଂ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଅଭିଳାଷ ଜେଲରୁ ମୁକୁଳିବା ପରେ ଉଭୟ ବିବାହ କରିଛନ୍ତି।

ଅଭିଳାଷ ଛତରପୁର ଜିଲ୍ଲା ଅଧୀନ ଚନ୍ଦଲାର ନିବାସୀ। ୨୦୦୭ରେ ଚନ୍ଦଲା ନଗର ପରିଷଦର ତତ୍କାଳୀନ ଉପାଧ୍ୟକ୍ଷ କୃଷ୍ଣଦତ୍ତ ଦୀକ୍ଷିତଙ୍କୁ ହତ୍ୟା କରି ଶବକୁ ମାଟିରେ ପୋତିଦେବା ମାମଲାରେ ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ପ୍ରାୟ ୧୪ ବର୍ଷ ଜେଲରେ ରହିବା ପରେ ଭଲ ଆଚରଣ ଆଧାରରେ ତାଙ୍କୁ ମୁକ୍ତ କରାଯାଇଥିଲା।